କେନ୍ଦୁଝର ଜିଲ୍ଲାରେ ସ୍ବାସ୍ଥ୍ୟସେବା ବିପର୍ଯ୍ୟସ୍ତ: ୧୬୯ ଡାକ୍ତର ପଦବି ଖାଲି

 

କେନ୍ଦୁଝର: ଖଣିଖାଦାନ ଭରା କେନ୍ଦୁଝର ଜିଲ୍ଲାରେ ସ୍ବାସ୍ଥ୍ୟସେବା ବିପର୍ଯ୍ୟସ୍ତ ହୋଇଛି। ଜିଲ୍ଲାର ବିଭିନ୍ନ ଡାକ୍ତରଖାନାରେ ଡାକ୍ତର, ଫାର୍ମାସିଷ୍ଟ, ଷ୍ଟାଫ୍‌ନର୍ସ, ସ୍ବାସ୍ଥ୍ୟକର୍ମୀ ଏବଂ ବହୁ ପରାମେଡିକାଲ କର୍ମଚାରୀ ପଦବି ଖାଲିପଡ଼ିଛି। ଫଳରେ ଲୋକେ ଉପଯୁକ୍ତ ସ୍ବାସ୍ଥ୍ୟସେବା ନପାଇ ଘରୋଇ ଡାକ୍ତରଖାନା ଓ କ୍ଲିନିକ ମୁହାଁ ହେଉଛନ୍ତି। ଜିଲ୍ଲାରେ ୧୬୯ଟି ଡାକ୍ତର ପଦବି ଖାଲି ପଡ଼ିଥିବା ସ୍ବାସ୍ଥ୍ୟ ବିଭାଗ ସୂତ୍ରରୁ ଜଣାପଡ଼ିଛି।

ସରକାରୀ ତଥ୍ୟ ଅନୁଯାୟୀ କେନ୍ଦୁଝର ଜିଲ୍ଲାରେ ୩୫୯ଟି ଅନୁମୋଦିତ ଡାକ୍ତର ପଦବି ରହିଛି। ଜିଲ୍ଲାରେ ୧୯୦ ଜଣ ଡାକ୍ତର ଥିବାବେଳେ ୧୬୯ଟି ପଦବି ଖାଲିପଡ଼ିଛି। କେବଳ ଡାକ୍ତର ନୁହନ୍ତି ବହୁ ସଂଖ୍ୟାରେ ପାରାମେଡିକାଲ କର୍ମଚାରୀ ପଦବି ମଧ୍ୟ ଖାଲିଛି। ଜିଲ୍ଲାର ବହୁ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ଆଦୌ ଡାକ୍ତର ନଥିବା ବେଳେ ଅଧିକାଂଶ ଡାକ୍ତରଖାନାରେ ଜଣେ ଲେଖାଏଁ ଡାକ୍ତର ଅଛନ୍ତି। ସେହିପରି କିଛି ଡାକ୍ତରଖାନାରେ ଡିଏମ୍‌ଏଫ୍‌ରୁ ଡାକ୍ତର ନିଯୁକ୍ତି ଦିଆଯାଇଛି। ଜିଲ୍ଲାରେ ଦିନକୁ ଦିନ ଲୋକସଂଖ୍ୟା ବୃଦ୍ଧି ପାଉଥିବା ବେଳେ ଦୀର୍ଘଦିନ ଧରି ଖାଲି ପଡ଼ିଥିବା ଡାକ୍ତର ଓ ପାରା ମେଡିକାଲ କର୍ମଚାରୀ ପଦବି ପୂରଣ ହେଉ ନଥିବାରୁ ଲୋକେ ସ୍ବାସ୍ଥ୍ୟସେବାରୁ ବଞ୍ଚିତ ହେଉଛନ୍ତି।

ଜିଲ୍ଲାରେ ୫୮୭ଟି ଅନୁମୋଦିତ ଷ୍ଟାଫ୍‌ନର୍ସ ପଦବି ରହିଥିବା ବେଳେ ସେଥିରୁ ୧୭୯ଟି ଖାଲି ରହିଛି। ୪୧୭ଜଣ ଷ୍ଟାଫ୍‌ନର୍ସ କାର୍ଯ୍ୟ କରୁଛନ୍ତି। ୯୪ଟି ଫାର୍ମାସିଷ୍ଟ ପଦବି ମଧ୍ୟରୁ ୮୬ଟି ପୂରଣ ହୋଇଥିବା ବେଳେ ୮ଟି ଖାଲି ରହିଛି। ପୁରୁଷ ସ୍ୱାସ୍ଥ୍ୟକର୍ମୀ ପଦବି ରହିଛି ୩୦୫। ଏଥିମଧ୍ୟରୁ ୫୮ଟି ଫାଙ୍କା ପଡ଼ିଛି। ମାଳମାଳ ପୁରୁଷ ସ୍ବାସ୍ଥ୍ୟ ପରିଦର୍ଶକ ବା ମେଲ୍‌ ସୁପରଭାଇଜର ପଦବି ଖାଲି ରହିଛି। ଜିଲ୍ଲାରେ ମୋଟ ୬୭ ପଦବି ମଧ୍ୟରୁ ୨୭ଟି ଖାଲି ରହିଛି। ୬୨ଟି ଅନୁମୋଦିତ ମହିଳା ସ୍ବାସ୍ଥ୍ୟ ପରିଦର୍ଶକ ପଦବି ମଧ୍ୟରୁ ୧୭ଟି ଖାଲି ରହିଛି। ଜିଲ୍ଲାରେ ୨୯ଟି ଅନୁମୋଦିତ ଲ୍ୟାବ୍‌ ଟେକ୍ନିସିଆନ ପଦବି ଥିବା ବେଳେ ଏବେ ୫୩ଜଣ ବିଭିନ୍ନ ଯୋଜନାରେ କାର୍ଯ୍ୟ କରୁଛନ୍ତି। କେନ୍ଦୁଝର ଜିଲ୍ଲାରେ ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟସେବାକୁ ନେଇ ଆନନ୍ଦପୁର ବିଧାୟକ ଭାଗୀରଥି ସେଠୀ ଗଭୀର ଉଦ୍‌ବେଗ ପ୍ରକାଶ କରିଛନ୍ତି। କେନ୍ଦୁଝର ଜିଲ୍ଲାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସମେତ ଦୁଇଟି ଉପଖଣ୍ଡ ଚିକିତ୍ସାଳୟ, ୧୭ଟି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ସମେତ ମୋଟ ୬୬ଟି ସ୍ବାସ୍ଥ୍ୟକେନ୍ଦ୍ର ରହିଛି। ଏହାଛଡ଼ା ୩୫୧ଟି ସ୍ୱାସ୍ଥ୍ୟ ଉପକେନ୍ଦ୍ର ରହିଛି। ପ୍ରତ୍ୟେକ ସ୍ୱାସ୍ଥ୍ୟ ଉପକେନ୍ଦ୍ରରେ ଜଣେ ଲେଖାଏଁ ଫାମାସିଷ୍ଟ ଏବଂ ୬୬ଟି ସ୍ୱାସ୍ଥ୍ୟକେନ୍ଦ୍ରରେ ଅତି କମ୍‌ରେ ଜଣେ ଲେଖାଏଁ ଡାକ୍ତର ନିଯୁକ୍ତି ଦେବାକୁ ସାଧାରଣରେ ଦାବି ହେଉଛି।

ସମ୍ବନ୍ଧିତ ଖବର