ଭୁବନେଶ୍ବର: ରାଜ୍ୟ ସରକାରଙ୍କର ଗ୍ରାମାଭିମୁଖୀ ମହତ୍ବକାଂକ୍ଷୀ ଯୋଜନା ‘ଆମ ଓଡ଼ିଶା ନବୀନ ଓଡ଼ିଶା’ ପର୍ଯ୍ୟାୟକ୍ରମେ ବିଭିନ୍ନ ଜିଲ୍ଲାରେ କାର୍ଯ୍ୟକାରୀ ହେଉଛି। ଆଜି ପଞ୍ଚମ ପର୍ଯ୍ୟାୟରେ ଖୋର୍ଦ୍ଧା ଓ ଜଗତସିଂହପୁର ଜିଲ୍ଲାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଯୋଜନାର ଆରମ୍ଭ କରିଛନ୍ତି। ଏଥିରେ ପ୍ରତି ପଞ୍ଚାୟତ ୫୦ ଲକ୍ଷ ଟଙ୍କା ଲେଖାଏ ପାଇବେ। ଏହା ସହ ‘ମୁଖ୍ୟମନ୍ତ୍ରୀ ସ୍ବତନ୍ତ୍ର ସହାୟତା’ କାର୍ଯ୍ୟକ୍ରମରେ ମଧ୍ୟ ଏହି ଦୁଇ ଜିଲ୍ଲା ପାଇଁ ଆଜି ଅର୍ଥ ମଞ୍ଜୁର ହୋଇଛି। ଖୋର୍ଦ୍ଧା ଜିଲ୍ଲା ପାଇଁ ମୋଟ୍‌ ୧୨୫୫ କୋଟି ଓ ଜଗତସିଂହପୁର ଜିଲ୍ଲା ପାଇଁ ୨୬୦ କୋଟି ଟଙ୍କା ମଞ୍ଜୁର ହୋଇଛି। ‘ଆମ ଓଡ଼ିଶା ନବୀନ ଓଡ଼ିଶା’ ଯୋଜନାରେ ଖୋର୍ଦ୍ଧା ଜିଲ୍ଲାର ୭ଟି ନିର୍ବାଚନମଣ୍ଡଳୀକୁ ମିଳିଛି ୯୫ କୋଟି ଟଙ୍କା। ଏହିସବୁ ନିର୍ବାଚନମଣ୍ଡଳୀର ୧୦ଟି ବ୍ଲକ୍‌‌ରେ ୧୯୦ଟି ଗ୍ରାମପଞ୍ଚାୟତରେ ୨୭୬୩ଟି ପ୍ରକଳ୍ପ ହେବ। ସେହିପରି ଜଗତସିଂହପୁର ଜିଲ୍ଲାର ୪ଟି ନିର୍ବାଚନମଣ୍ଡଳୀ ପାଇଁ ୯୯ କୋଟି ଟଙ୍କା ମଞ୍ଜୁର ହୋଇଛି। ଏଥିରେ ୮ଟି ବ୍ଲକ୍‌ର ୧୯୮ଟି ଗ୍ରାମପଞ୍ଚାୟତରେ ୨୯୨୨ ଟି ପ୍ରକଳ୍ପ କରାଯିବ।

Advertisment

ଏହି ଅବସରରେ ଉଦ୍‌ବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଲେ ଯେ ସବୁ ଗାଁର ବିକାଶ ଆମର ଲକ୍ଷ୍ୟ। ଗାଁରେ ସମସ୍ତଙ୍କୁ ମିଳିବ ବିକାଶର ଗ୍ୟାରେଣ୍ଟି। ଗାଁ ଲୋକ ସମସ୍ତେ ଶିକ୍ଷା ଓ ସ୍ବାସ୍ଥ୍ୟର ଗ୍ୟାରେଣ୍ଟି ପାଇବେ। ଗାଁ ଗାଁରେ ସଂସ୍କୃତିର ସୁରକ୍ଷା ହେବ ଓ ଆଧୁନିକତାର ବିକାଶ ହେବ। ବିକଶିତ ଗାଁ ହେବ ଆଧୁନିକ ଓଡ଼ିଶାର ପରିଚୟ। ଆମ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମରେ ପ୍ରତି ଗାଁ ଗାଁରେ ଜଗନ୍ନାଥ ସଂସ୍କୃତିର ସଂରକ୍ଷଣ କରାଯିବ ଓ ପ୍ରତି ପୂଜାସ୍ଥଳୀର ବିକାଶ କରାଯିବ। ଗାଁରେ ଡିଜିଟାଲ ଭିତ୍ତିଭୂମିର ବିକାଶ ଏହି ଯୋଜନାର ଅନ୍ୟତମ ଲକ୍ଷ୍ୟ। ଏହି କାର୍ଯ୍ୟକ୍ରମର ସଫଳ ରୂପାୟନରେ ସେ ସମସ୍ତଙ୍କର ସହଯୋଗ କାମନା କରିଥିଲେ।

ଖୋର୍ଦ୍ଧା ଓ ଜଗତସିଂହପୁରରେ ଆରମ୍ଭ ହେଲା ‘ଆମ ଓଡ଼ିଶା ନବୀନ ଓଡ଼ିଶା’
‘ଆମ ଓଡିଶା ନବୀନ ଓଡିଶା’ ହେବ ଗାଁର ସବୁ ଲୋକଙ୍କ ପାଇଁ ବିକାଶର ଗ୍ୟାରେଣ୍ଟି: ମୁଖ୍ୟମନ୍ତ୍ରୀ
ସବୁ ଗାଁର ବିକାଶ ଠିକ୍‌ ସମୟରେ ସ୍ବଚ୍ଛତାର ସହ ହେବ: ନବୀନ ଓଡିଶା ଅଧ୍ୟକ୍ଷ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଭାସୀ ଜରିଆରେ ଏଥିରେ ସାମିଲ୍‌ ହୋଇଥିଲା ବେଳେ ନିର୍ବାଚନମଣ୍ଡଳୀ ସ୍ତରରେ ଆୟୋଜିତ କାର୍ଯ୍ୟକ୍ରମରେ ବହୁ ଲୋକ ଯୋଗ ଦେଇଥିଲେ। ୫-ଟି ତଥା ନବୀନ ଓଡ଼ିଶା ଅଧ୍ୟକ୍ଷ ଭି. କେ. ପାଣ୍ଡିଆନ ଏହି କାର୍ଯ୍ୟକ୍ରମକୁ ସଂଯୋଜନା କରି ରୂପାନ୍ତର କାର୍ଯ୍ୟ ଲୋକଙ୍କ ମଧ୍ୟରେ ଉତ୍ସାହ ସୃଷ୍ଟି କରିଛି ବୋଲି କହିଥିଲେ। ‘ଆମ ଓଡ଼ିଶା ନବୀନ ଓଡ଼ିଶା’ କାର୍ଯ୍ୟକ୍ରମ ଜରିଆରେ ସବୁ ଗାଁରେ ରୂପାନ୍ତର ଆଣିବା ମୁଖ୍ୟମନ୍ତ୍ରୀଙ୍କ ଲକ୍ଷ୍ୟ। ଗାଁ ଗାଁରେ ସବୁ କାମକୁ ଆମେ ଠିକ୍‌ ସମୟରେ ସ୍ବଚ୍ଛତାର ସହ କରି ରୂପାନ୍ତର ଆଣିବା ବୋଲି ସେ କହିଥିଲେ। ଏହି କାର୍ଯ୍ୟକ୍ରମରେ ମନ୍ତ୍ରୀ ଅଶୋକ ପଣ୍ଡା ଓ ଅତନୁ ସବ୍ୟସାଚୀ ନାୟକ, ରାଜ୍ୟସଭା ସାଂସଦ ମାନସ ମଙ୍ଗରାଜ, ବିଧାୟକ ପ୍ରଶାନ୍ତ କୁମାର ମୁଦୁଲି, ରାଜେନ୍ଦ୍ର କୁମାର ସାହୁ, ଅରବିନ୍ଦ ଢାଲି, ଜ୍ୟୋତିରିନ୍ଦ୍ର ନାଥ ମିତ୍ର , ସୁଶାନ୍ତ ରାଉତ, ରଘୁନନ୍ଦନ ଦାସ, ବିଜୟ ଶଙ୍କର ଦାସ ଓ ସମ୍ବିତ ରାଉତରାୟ ପ୍ରମୁଖ ଉପସ୍ଥିତ ଥିଲେ। ‘ଆମ ଓଡ଼ିଶା ନବୀନ ଓଡ଼ିଶା’ କାର୍ଯ୍ୟକ୍ରମ ସହିତ ଜନ ଅଭିଯୋଗ ଶୁଣାଣି ଭିତ୍ତିରେ ମୁଖ୍ୟମନ୍ତ୍ରୀ ସ୍ବତନ୍ତ୍ର ସହାୟତା କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ସବୁ ଜିଲ୍ଲା ପାଇଁ ଅର୍ଥ ମଞ୍ଜୁର କରିଛନ୍ତି ବୋଲି ଶ୍ରୀ ପାଣ୍ଡିଆନ୍ ସୂଚନା ଦେଇଥିଲେ। ଖୋର୍ଦ୍ଧା ଜିଲ୍ଲାରେ ୫୭ଟି ପ୍ରକଳ୍ପ ପାଇଁ ୧୧୬୦.୫୦ କୋଟି ଟଙ୍କା ଓ ଜଗତସିଂହପୁର ଜିଲ୍ଲାରେ ୩୫ଟି ପ୍ରକଳ୍ପ ପାଇଁ ୧୬୧.୧୭ କୋଟି ଟଙ୍କା ମଞ୍ଜୁର କରାଯାଇଛି। କାର୍ଯ୍ୟକ୍ରମରେ ଉଭୟ ଜିଲ୍ଲାର ଜିଲ୍ଲାପାଳ ଧନ୍ୟବାଦ ଅର୍ପଣ କରିଥିଲେ ।