ଭୁବନେଶ୍ବର: ବିଜେଡି ସଭାପତି ନବୀନ ପଟ୍ଟନାୟକ ଆଜି ପୁଣି ବିରୋଧୀଙ୍କୁ ଟାର୍ଗେଟ୍‌ କରିଛନ୍ତି। ଖୋର୍ଦ୍ଧା, ନୟାଗଡ଼, କଟକ ଓ ପୁରୀ ନିର୍ବାଚନମଣ୍ଡଳୀରେ ବିଜେଡି ପ୍ରାର୍ଥୀଙ୍କ ପାଇଁ ପ୍ରଚାର କଲା ବେଳେ କହିଥିଲେ, ବିରୋଧୀ ମିଛ କଥା କହୁଛନ୍ତି। କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି। ଏହା ସହ ଲୋକଙ୍କୁ ପଚାରିଥିଲେ, ଜୁଲାଇ ମାସରୁ ମାଗଣା ବିଜୁଳି ମିଳିବ। ଆପଣମାନେ ଖୁସି ତ? ସମବେତ ଜନତା ‘ହଁ’ ମାରିଥିଲେ। ବିଭିନ୍ନ ଯୋଜନା ସମ୍ପର୍କରେ ଲୋକଙ୍କ ମତାମତ ଲୋଡ଼ିଥିଲେ ନବୀନ। ବିଏସ୍‌କେୱାଇ, ମିସନଶକ୍ତି, ମମତା, ଲକ୍ଷ୍ମୀବସ, କାଳିଆ, ୫-ଟି ସ୍କୁଲ ରୂପାନ୍ତରଣ, ମଧୁବାବୁ ପେନ୍‍ସନ, ରାସନ କାର୍ଡ, ପୁରୀ ମନ୍ଦିର କାମ, ମା’ସମଲେଇଙ୍କ କାମ ସମ୍ପର୍କ‌ରେ ପଚାରିଥିଲେ। ସବୁଥିରେ ସମ୍ମିଳିତ ସ୍ୱରରେ ଲୋକେ କହିଥିଲେ ‘ବହୁତ ଭଲ’। ବିଜେଡିର ସାଂସଦ ଓ ବିଧାୟକ ପ୍ରାର୍ଥୀଙ୍କୁ ଭୋଟ୍‌ ଦେବାକୁ ସେ ନିବେଦନ କରିଥିଲେ।

Advertisment

ଖୋର୍ଦ୍ଧାରେ ହୋଇଥିବା ସଭାରେ ଭୁବନେଶ୍ବର ସାଂସଦ ଅପରାଜିତା‌ ଷଡ଼ଙ୍ଗୀଙ୍କୁ ସମ‌ାଲୋଚନା କରିଥ‌ିଲେ ମୁଖ୍ୟମନ୍ତ୍ରୀ। ପୁରୀ ଶ୍ରୀମନ୍ଦିର ଓ ଲିଙ୍ଗରାଜ ମନ୍ଦିର କାମ ବନ୍ଦ କରିବାକୁ ସେ ଚେଷ୍ଟା କରିଥିଲେ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ବିଜେଡି ନେତା ଭି କେ ପାଣ୍ଡିଆନ ମଧ୍ୟ ଅପରାଜିତାଙ୍କୁ ସମାଲୋଚନା କରି କହିଲେ, ଭୁବନେଶ୍ୱର ସାଂସଦ ତାଙ୍କ ରିପୋର୍ଟ କାର୍ଡ ଦେଇ ଲେଖିଛନ୍ତି ଯେ, ଜାତୀୟ ରାଜପଥ ନିର୍ମାଣରେ ୬ ହଜାର ୪୦୦ କୋଟି ଟଙ୍କା ଖର୍ଚ୍ଚ ହୋଇଛି। ଆପଣମାନେ କୁହନ୍ତୁ ଏନ୍‍ଏଚ୍‍ ନିର୍ମାଣରେ ସାଂସଦଙ୍କ ଭୂମିକା କ’ଣ ? କଳିଙ୍ଗ ଷ୍ଟାଡିୟମ ପାଖରେ ଫୁଟ୍‌ ଓଭର୍‌ବ୍ରିଜ୍ କରିଛନ୍ତି। ୭ ହଜାର ସୋଲାର ଲାଇଟ୍‌, ୨୦ଟି ମିନିମାକ୍ସ ଲାଇଟ୍‌- ଏହା ହେଉଛି ଆପଣଙ୍କ ସାଂସଦଙ୍କ ବଡ଼ କାମ। ବର୍ତ୍ତମାନ ମନ୍ଦିର ବୁଲି ୱାଟର୍‌ କୁଲର ଲଗାଉଛନ୍ତି। ଭୁବନେଶ୍ୱର ଲୋକ ତାଙ୍କୁ କ’ଣ ଏଇଥି ପାଇଁ ସାଂସଦ କରିଥିଲେ? ସାଂସଦଙ୍କ କାମ କ’ଣ ଆପଣମାନେ ଜାଣନ୍ତି? ବିଶେଷକରି ରାଜଧାନୀର ସାଂସଦମାନଙ୍କର ସ୍ୱତନ୍ତ୍ର ଭୂମିକା ଥାଏ। ଭୁବନେଶ୍ୱର ସାଂସଦ ଭାବେ ସହରକୁ ମେଟ୍ରୋ ଆଣିବା, ରିଙ୍ଗ ରୋଡ୍‌ କରି ଆଖପାଖ ଅଞ୍ଚଳକୁ ଭୁବନେଶ୍ୱର ସହିତ ଯୋଡ଼ିବା। ଏହା ଦ୍ୱାରା ଭୁବନେଶ୍ୱର ସହିତ ପାରିପାର୍ଶ୍ୱିକ ଅଞ୍ଚଳର ମଧ୍ୟ ଉନ୍ନତି ହୋଇପାରିବ। ଭୁବନେଶ୍ୱରର ଅଭିବୃଦ୍ଧି ସମ୍ଭାବନାକୁ ବଢ଼ାଇବା ହେଉଛି ତାଙ୍କ କାମ, କିନ୍ତୁ ସେ ଛୋଟ ଛୋଟ କାମରେ ଲାଗିଛନ୍ତି। ସାଂସଦ ଭାବେ ଆମର ଆଶା ଥିଲା ସେ ଭୁବନେଶ୍ୱର ପାଇଁ ଆଇଟି ପାର୍କ, ସି ଫୁଡ୍‌ ପାର୍କ, ଟେକ୍ସଟାଇଲ୍ ପାର୍କ ଆଦି ଅନେକ ଶିଳ୍ପ ଆଣିବେ। ସାଂସଦ ଭାବେ ଯୁବଗୋଷ୍ଠୀ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ତାଙ୍କର କର୍ତ୍ତବ୍ୟ। କିନ୍ତୁ ଆପଣଙ୍କ ସାଂସଦ ଆପଣଙ୍କ ପାଇଁ କ’ଣ କରିଛନ୍ତି ଜଣାପଡ଼ୁନାହିଁ। ଆପଣଙ୍କ ଅଞ୍ଚଳର ଗର୍ବ ଓ ଗୌରବ ପାଇକ ବିଦ୍ରୋହ ବିଷୟରେ ସେ କିଛି କରିଛନ୍ତି କି?

ଅପରାଜିତାଙ୍କୁ ବି ସମାଲୋଚନା କଲେ ନବୀନ
ଅପରାଜିତା, ଭର୍ତ୍ତୃହରିଙ୍କୁ ଟାର୍ଗେଟ୍‌ କଲେ ପାଣ୍ଡିଆନ
ମଧ୍ୟବିତ୍ତ ପରିବାରର ବୋଝ ହାଲ୍‌କା କରିବେ ମୁଖ୍ୟମନ୍ତ୍ରୀ

ଏହି ଅବସରରେ ଖୋର୍ଦ୍ଧାରେ ନବୀନ ସରକାର କେଉଁ କେଉଁ ଶିଳ୍ପପ୍ରତିଷ୍ଠା କରିଛନ୍ତି, ତା’ର ହିସାବ ଦେଇଥିଲେ ପାଣ୍ଡିଆନ। ମଧ୍ୟବିତ୍ତ ପରିବାରମାନଙ୍କ ବୋଝ ହାଲ୍‍କା କରିବା ପାଇଁ ମୁଖ୍ୟମନ୍ତ୍ରୀ ବହୁତ ବଡ଼ ନିଷ୍ପତ୍ତି ନେଇଛନ୍ତି। ମଧ୍ୟବିତ୍ତ ପରିବାରବର୍ଗଙ୍କୁ ବିଏସ୍‌କେୱାଇ କାର୍ଡ ଦିଆଯିବ। ୨୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଗୃହଋଣ ପାଇଁ ସୁଧ କମ୍‍ କରାଯିବ। ଉଚ୍ଚଶିକ୍ଷା ପାଇଁ ଋଣରେ ମଧ୍ୟ ସୁଧ କମ୍‍ କରାଯିବ। ଆଜି ପର୍ଯ୍ୟନ୍ତ କୌଣସି ରାଜନୈତିକ ଦଳ ମଧ୍ୟବିତ୍ତ ବର୍ଗଙ୍କ ଉନ୍ନତି ପାଇଁ କିଛି କରିନାହାନ୍ତି ବୋଲି ସେ କହିଥିଲେ। କଟକ ସଭାରେ ବିଜେପି ସାଂସଦ ପ୍ରାର୍ଥୀ ଭର୍ତ୍ତୃହରି ମହତାବଙ୍କୁ ସମାଲୋଚନା କରି ପାଣ୍ଡିଆନ କରି କହିଲେ, ଲୋକସଭାରେ କୋଭିଡ୍‌ ମୁକାବିଲା ସମ୍ପର୍କରେ ଦେଇଥିବା ଭାଷଣରେ ଓଡ଼ିଶାର ସଫଳତା ବିଷୟରେ ପଦେ ବି କହିଲେନି। ଶାରୀରିକ ଭାବେ ସେ ବିଜେଡିରେ ଥିଲେ, କିନ୍ତୁ ଅନ୍ତରରେ ବିଜେପି ଥିଲା। ଓଡ଼ିଶା ପ୍ରତି ଓ ମୁଖ୍ୟମନ୍ତ୍ରୀଙ୍କ ପ୍ରତି ତାଙ୍କର ପ୍ରତାରଣାର ଜବାବ ୨୫ ତାରିଖରେ ମିଳିବ।

ନୟାଗଡ଼ ସଭାରେ ‌ବିଜେଡି ନେତା ଭି କେ ପାଣ୍ଡିଆନ କହିଲେ, ନୟାଗଡ଼ ପାଇଁ ବିପୁଳ ପୁଞ୍ଜିନିବେଶ ଯୋଜନା ରଖିଛନ୍ତି ମୁଖ୍ୟମନ୍ତ୍ରୀ। ରେଳଲାଇନ ହୋଇଗଲା ପରେ ବର୍ତ୍ତମାନ ନୟାଗଡ଼ ଶିଳ୍ପସମୃଦ୍ଧ ହେବ। ଯୁବପିଢ଼ି ରୋଜଗାର ପାଇବେ, ସଶକ୍ତ ହେବେ। କଣ୍ଟିଲୋ ନୀଳମାଧବ ମନ୍ଦିର ରୂପାନ୍ତରଣ, ଜଳସେଚନ ପାଇଁ କୁସୁମୀ ଓ ବୃତଙ୍ଗ ଜଳସେଚନ ପ୍ରକଳ୍ପ ଆଦି ମୁଖ୍ୟମନ୍ତ୍ରୀ କରିଛନ୍ତି। ପୁରୀ ସଭାରେ ପାଣ୍ଡିଆନ କହିଲେ, ପୁରୀକୁ ବିଶ୍ବ ସ୍ତରୀୟ ଐତିହ୍ୟ ସହର କରିବା ମୁଖ୍ୟମନ୍ତ୍ରୀଙ୍କ ସ୍ବପ୍ନ। ପୁରୀରେ ବିମାନବନ୍ଦର ଆସନ୍ତା ତିନି ଚାରି ବର୍ଷରେ ପୂର୍ଣ୍ଣାଙ୍ଗ ହେବ। ଏହା ଦ୍ବାରା ପୁରୀର ଅର୍ଥନୀତି ଚଳଚଞ୍ଚଳ ହେବ। ଶ୍ରୀମନ୍ଦିର ଉନ୍ନତୀକରଣ ହେଉ କି ଅନ୍ୟାନ୍ୟ ବିକାଶମୂଳକ କାର୍ଯ୍ୟ, ସବୁଥିରେ ଉଠାଦୋକାନୀଙ୍କ ଭୂମିକା ଗୁରୁତ୍ବପୂର୍ଣ୍ଣ। ସେମାନଙ୍କୁ ବି ଥଇଥାନ କରାଯିବ। ପାଣ୍ଡିଆନ ପୁଣି କହିଥିଲେ ଯେ ସାରା ଓଡ଼ିଶା କହୁଛି ମୁଖ୍ୟମନ୍ତ୍ରୀ ଜୁନ ୯ ତାରିଖରେ ମୁଖ୍ୟମନ୍ତ୍ରୀ ଭାବେ ପୁଣିଥରେ ଶପଥ ନେବେ। ମୁଖ୍ୟମନ୍ତ୍ରୀ ହେବା ପରେ ପ୍ରଥମ ଦସ୍ତଖତରେ ଓଡ଼ିଶାର ୯୦ ପ୍ରତିଶତ ପରିବାର ପାଇଁ ବିଜୁଳି ବିଲ୍‍ ଛାଡ଼ ହେବ। ଦ୍ୱିତୀୟ ଦସ୍ତଖତରେ ସମସ୍ତେ ବିଏସ୍‌କେୱାଇରେ ସାମିଲ ହେବେ। ତୃତୀୟ ଦସ୍ତଖତରେ ମିସନଶକ୍ତି ସଦସ୍ୟାମାନଙ୍କୁ ୬୦ ବର୍ଷ ପରେ ପେନ୍‍ସନ୍‍ ବ୍ୟବସ୍ଥା ହେବ।