ଭୁବନେଶ୍ବର: ‌ବିଜେପି ସରକାର ଓଡ଼ିଆ ଅସ୍ମିତା କଥା ବାରମ୍ବାର କହୁଛନ୍ତି। କୋଟିଆ, ପୋଲାଭରମ୍‌, ମହାନଦୀ ଓ ସୁବର୍ଣ୍ଣରେଖା ପ୍ରସଙ୍ଗରେ ଓଡ଼ିଆ ଅସ୍ମିତା କେତେ ବାଟ ଯାଉଛି, ତାହାକୁ ଆମର ଅପେକ୍ଷା ରହିଲା। ‌ଛତିଶଗଡ଼ରେ ବିଜେପି ସରକାର। ଆନ୍ଧ୍ରରେ ବି ବିଜେପି ମେଣ୍ଟ ସରକାର। ତେଣୁ ଟ୍ରିପଲ୍‌ ଇଞ୍ଜିନ ସରକାରରେ ଓଡ଼ିଆ ଅସ୍ମିତା କେତେ ସୁରକ୍ଷିତ ହେଉଛି, ତାହା ସ୍ପଷ୍ଟ ହେବ।

Advertisment

ଆଜି ବିଧାନସଭାରେ ଏମିତି ଭାବେ ଶାସକ ଦଳକୁ ଟା‌ର୍ଗେଟ୍‌ କରିଛନ୍ତି ବିଜେଡି ବିଧାୟକ ଅରୁଣ କୁମାର ସାହୁ। ଲେଖାନୁଦାନ ବିନିଯୋଗ ବିଧେୟକ ଉପରେ ଆଲୋଚନା ଆରମ୍ଭ କରି ଶ୍ରୀ ସାହୁ କହିଲେ, ଏକ ଜାତୀୟ ଦଳ ଉଭୟ କେନ୍ଦ୍ର ଓ ରାଜ୍ୟରେ ଶାସନରେ ଥିଲେ, ସେଠି ରାଜ୍ୟ ସରକାରଙ୍କ ମୂଲଚାଲ୍‌ କ୍ଷମତା କମିଯାଏ। ଜେଡି(ୟୁ)ର ୧୨ ଓ ଟିଡିପିର ୧୬ ସାଂସଦ ଥାଇ ସେମାନେ ବିହାର ଓ ଆନ୍ଧ୍ରପ୍ରଦେଶକୁ ସ୍ବତନ୍ତ୍ର ଅନୁଦାନ ନେଇଗଲେ। କାରଣ ସେମାନେ କେନ୍ଦ୍ରରେ ସରକାର ବଞ୍ଚାଇବାକୁ ସହଯୋଗ କରୁଛନ୍ତି। ଓଡ଼ିଶାରୁ ବି ୨୦ ସାଂସଦ ଯାଇଛନ୍ତି। କେନ୍ଦ୍ରରେ ସରକାର ଗଠନରେ ଓଡ଼ିଶାର ଅବଦାନ ବହୁତ। ତେଣୁ ଓଡ଼ିଶାକୁ ସ୍ବତନ୍ତ୍ର ଅନୁଦାନ ମିଳିବା କଥା, ଯାହା ହୋଇ ନାହିଁ। ସଂଘୀୟ ବ୍ୟବସ୍ଥାରେ ପକ୍ଷପାତିତା ଆରମ୍ଭ ହୋଇଛି। ୨୦୧୪ରେ ଏନ୍‌ଡିଏ ସରକାର କେନ୍ଦ୍ରରେ ଆସିଲା ପରେ ନାଁ ପରିବର୍ତ୍ତନର ଯୁଗ ଆରମ୍ଭ ହେଲା। ଏଠି ଆପଣମାନେ ଏବେ ସରକାରଙ୍କୁ ଆସିଛନ୍ତି, ତେଣୁ ନାଁ ବଦଳାଇବା ସ୍ବାଭାବିକ। ରାଜ୍ୟପାଳ ତାଙ୍କ ଅଭିଭାଷଣରେ କହିଛନ୍ତି ଯେ ଓଡ଼ିଶାରେ ନିର୍ବାଚନ ଶାନ୍ତିପୂର୍ଣ୍ଣ ଓ ହିଂସାମୁକ୍ତ ହୋଇଛି। ୨୦୨୩-୨୪ରେ ଆଇନଶୃଙ୍ଖଳା ମୋଟାମୋଟି ଶାନ୍ତିପୂର୍ଣ୍ଣ ଥିଲା ବୋଲି ଏବେ ସରକାର ରିପୋର୍ଟ ଦେଇଛନ୍ତି। ମାଓବାଦୀ କାର୍ଯ୍ୟକଳାପ ନିୟନ୍ତ୍ରଣ ହୋଇଥିବାରୁ କେନ୍ଦ୍ର ଗୃହ ମନ୍ତ୍ରୀ ମଧ୍ୟ ଓଡ଼ିଶାକୁ ଭୁରି ଭୁରି ପ୍ରଶଂସା କରିଛନ୍ତି। ଏହାର ଶ୍ରେୟ ନବୀନ ପଟ୍ଟନାୟକଙ୍କ ସରକାରକୁ ଯିବ। ୨୦୦୦ ମସିହାରେ ୧୧ ହଜାର କୋଟି ଟଙ୍କାର ବଜେଟ୍‌ରୁ ୨୦୨୪ରେ ୨ ଲକ୍ଷ ୫୫ ହଜାର କୋଟି ଟଙ୍କାର ବଜେଟ୍‌କୁ ପହଞ୍ଚାଯାଇପାରିଛି। ଏବେ ସରକାର ମାତ୍ର ୧୦ ହଜାର କୋଟି ଟଙ୍କାର ବଜେଟ୍‌ ଆକାର ବଢ଼ାଇଛନ୍ତି, ତାହା ପୁଣି ଋଣ କରି। ସରକାରଙ୍କୁ ଚ୍ୟାଲେଞ୍ଜ୍‌ ଦେଇ ଅରୁଣ କହିଥିଲେ, ଆପଣ ବିଏସ୍‌କେୱାଇ ନାମ ବଦଳାଇ ଗୋପବନ୍ଧୁଙ୍କ ନାମରେ କଲେ। ଏଥିରେ କିଛି ଅସୁବିଧା ନାହିଁ। କିନ୍ତୁ ଏହି ଯୋଜନାକୁ ଆପଣ ବନ୍ଦ କରିପାରିବେନି। କାରଣ ଏଥିରେ ବହୁ ଲୋକ ଉପକୃତ ହେଉଛନ୍ତି। ଏଥିରେ କୌଣସି ରାଜନୀତି ନାହିଁ କି ଦଳ ନାହିଁ।

ବିଜେଡି ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ବାଇଁ କହିଥିଲେ ବିଜେପି କ୍ଷମତାକୁ ଆସିବା ପରେ ଓଡ଼ିଶା ସମେତ ପଶ୍ଚିମବଙ୍ଗ, ତେଲେଙ୍ଗାନା, ରାଜସ୍ଥାନ, ଛତିଶଗଡ଼ରେ ଦଙ୍ଗା ହୋଇଛି। ନିଟ୍ ପରୀକ୍ଷାରେ କେଳେଙ୍କାରୀ ହୋଇଛି। ଗଣେଶ୍ବର ବେହେରା ଓ ବ୍ୟୋମକେଶ ରାୟ ଆଲୋଚନାରେ ଭାଗ ନେଇଥିଲେ। କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡ଼ାମ କହିଥିଲେ, ସାରା ରାଜ୍ୟରେ ସ୍ବାସ୍ଥ୍ୟ ସେବା ବିପର୍ଯ୍ୟସ୍ତ ହୋଇପଡ଼ିଛି। ବଜେଟ୍‌ରେ ପୂର୍ବବର୍ଷ ତୁଳନାରେ ୩୦% ଅଧିକ ଅର୍ଥ ବରାଦ ହୋଇଥିଲେ ହେଁ ଏହା ବାସ୍ତବରେ ସବୁ ସମସ୍ୟାର ସମାଧାନ କରିପାରିବ ତ! ରାଜ୍ୟ ସରକାର ଭତ୍ତା ୩ହଜାର ଟଙ୍କା ହେବ ବୋଲି ଘୋଷଣା କରିଥିଲେ। ଜଣେ ଆଦିବାସୀ ମୁଖ୍ୟମନ୍ତ୍ରୀ ହୋଇଥିବାରୁ ତାଙ୍କ ପ୍ରତିଶ୍ରୁତି ପୂରଣ କରିବେ ବୋଲି ଅାଶା କରିଥିଲୁ। ହେଲେ ମୁଖ୍ୟମନ୍ତ୍ରୀଙ୍କୁ କିଏ ନିୟନ୍ତ୍ରଣ କରୁଛି ଜାଣିନି, ଦିଲ୍ଲୀର ପିଏମ୍‌ଓରୁ ନିୟନ୍ତ୍ରଣ ହେଉଛନ୍ତି ବୋଧେ। ଯେଉଁଥିପାଇଁ ବର୍ଦ୍ଧିତ ଭତ୍ତା ୮୦ବର୍ଷରୁ ଉର୍ଦ୍ଧ୍ବ ଲୋକଙ୍କୁ ମିଳିବ ବୋଲି ଘୋଷଣା କରାଗଲା। କଂଗ୍ରେସ ଦଳ ପକ୍ଷରୁ ବିଧାୟକ ସି.ଏସ୍ ରାଜନ ଏକ୍କା, ଦାସରଥୀ ଗମାଙ୍ଗ, ପବିତ୍ର ସାଉଁଟା ଓ ସୋଫିଆ ଫିରଦୋସ୍ ଆଲୋଚନାରେ ଭାଗ ନେଇଥିଲେ।

ଶାସକ ଦଳ ପକ୍ଷରୁ ଲେଖାନୁଦାନ ବିନିଯୋଗ ବିଧେୟକ ସପକ୍ଷରେ ଯୁକ୍ତି କରାଯାଇଥିଲା, ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ପୂର୍ବ ସରକାର ବଡ଼ କେଳେଙ୍କାରୀ କରିଛନ୍ତି। ବିଜେଡି ଦଳୀୟ କର୍ମୀଙ୍କ ଆଧାରରେ ଘର ବାଣ୍ଟିଥିବାରୁ ବହୁ ଲୋକ ଘର ପାଇନାହାନ୍ତି। ତେଣୁ ଏହାର ତଦନ୍ତ କରାଯାଉ। ପ୍ରାଥମିକ ସ୍କୁଲରୁ ଆରମ୍ଭ କରି ମହାବିଦ୍ୟାଳୟ ଓ ବିଶ୍ବବିଦ୍ୟାଳୟ ସ୍ତରରେ ଶିକ୍ଷକ ନିଯୁକ୍ତିକୁ ଗୁରୁତ୍ବ ଦିଆଯାଇଛି। ଏହି ବଜେଟ୍ ଏକ ଜନକଲ୍ୟାଣକାରୀ ବଜେଟ୍। ଏଥିରେ ସ୍ବାସ୍ଥ୍ୟ, ଶିକ୍ଷା, କୃଷି, ମହିଳା, ଯୁବବର୍ଗଙ୍କୁ ନିଯୁକ୍ତି ଦେବାକୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ଶାସକ ଦଳ ପକ୍ଷରୁ ବାବୁ ସିଂହ, ଭାସ୍କର ମଡ଼େଇ, ସନ୍ତୋଷ କୁମାର ଖୁଣ୍ଟିଆ, ଛବି ମଲ୍ଲିକ, ରଘୁନାଥ ଜଗଦଲା, ଅଗସ୍ତି ବେହେରା, ପୂର୍ଣ୍ଣ ଚନ୍ଦ୍ର ସେଠୀ, ଭାଦବ ହାଁସଦା, ଜଲେନ ନାୟକ, ମନୋରଂଜନ ଦ୍ୟାନସାମନ୍ତରାୟ, ଅଶୋକ ମହାନ୍ତି, ପ୍ରତାପ ଚନ୍ଦ୍ର ନାୟକ, ସୀତାଂଶୁ ଶେଖର ମହାପାତ୍ର, ଓମ୍‌ପ୍ରକାଶ ମିଶ୍ର, ପ୍ରକାଶ ଚନ୍ଦ୍ର ସେଠୀ, ସୁଧୀର ରଂଜନ ପାଟ୍ଟଯୋଶୀ, ଦୁଷ୍ମନ୍ତ କୁମାର ସ୍ବାଇଁ ପ୍ରମୁଖ ଆଲୋଚନାରେ ଭାଗ ‌ନେଇଥିଲେ।