ଲାଞ୍ଜିଗଡ଼ରେ କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଅର୍ଜୁନ ମୁଣ୍ଡା

ବିଭିନ୍ନ ସମସ୍ୟା ସଂପର୍କରେ ଆଲୋଚନା କଲେ, ପାରଂପରିକ ବାଦ୍ୟ ବଜାଇଥିଲେ

ଲାଞ୍ଜିଗଡ଼: ଲାଞ୍ଜିଗଡ଼ ବ୍ଲକ୍‌ ଗସ୍ତରେ କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଅର୍ଜୁନ ମୁଣ୍ଡା ଆଜି ବ୍ଲକ୍‌ର ବିଭିନ୍ନ ଅଞ୍ଚଳ ଗସ୍ତ କରିଥିଲେ। ପ୍ରଥମେ ଭଟାଙ୍ଗପଦରସ୍ଥିତ ସ୍ମାର୍ଟ ସ୍କୁଲ ପରିଦର୍ଶନ କରି ଶିକ୍ଷକ ଓ ଅଭିଭାବକଙ୍କ ସହ ବିଭିନ୍ନ ସମସ୍ୟା ନେଇ ଆଲୋଚନା କରିଥିଲେ। ପରେ ମାଓପ୍ରବଣ ଅଞ୍ଚଳ ଲାଞ୍ଜି ପଞ୍ଚାୟତରେ ପ୍ରଶାସନ ପକ୍ଷରୁ ନିର୍ମାଣ ହୋଇଥିବା ନୂତନ ଗାଁ ବିକାଶ ନଗରକୁ ଗସ୍ତ କରି ବନବାସୀଙ୍କ ସହ ଆଲୋଚନା କରିଥିଲେ। ଆଜି ଏହି ଦୁର୍ଗମ ଅଞ୍ଚଳକୁ ଗସ୍ତ କରି କେନ୍ଦ୍ରମନ୍ତ୍ରୀ ଶ୍ରୀ ମୁଣ୍ଡା ଖୁସି ବ୍ୟକ୍ତି କରିଛନ୍ତି। ପରେ ବିଶ୍ବନାଥପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପରିଦର୍ଶନ କରି ସ୍ବାସ୍ଥ୍ୟସେବାକୁ ନେଇ ଅଞ୍ଚଳବାସୀଙ୍କ ସହ ଆଲୋଚନା କରିଥିଲେ। ପରେ ବିଶ୍ବନାଥପୁରସ୍ଥିତ ଏକ ଚା’ ଦୋକାନରେ ଏକ ଚାଏ ପେ ଚର୍ଚ୍ଚା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

ବିଶ୍ବନାଥପୁର ଅଞ୍ଚଳରେ ଥିବା ବିଭିନ୍ନ ସମସ୍ୟାକୁ ନେଇ ଏଥିରେ ଚର୍ଚ୍ଚା ହୋଇଥିବା ବେଳେ ସାପୁଲକୁଚାଠାରେ ମନରେଗା ଯୋଜନାରେ ନିର୍ମାଣ ହୋଇଥିବା ଅମୃତ ସରୋବର, ଟାଙ୍ଗନକନାଠାରେ ଲାଞ୍ଜିଗଡ଼ କୁଟିଆ କନ୍ଧ ଉନ୍ନୟନ ସଂସ୍ଥା ପକ୍ଷରୁ ହୋଇଥିବା ଲେମନ ଗ୍ରାସ ପ୍ଲାଣ୍ଟ ଦେଖି ଲେମନ ଗ୍ରାସ ଚାଷୀମାନଙ୍କୁ ଭେଟି ବିଭିନ୍ନ ସମସ୍ୟା ଉପରେ ଅଲୋଚନା କରିଥିଲେ। ଏହାପରେ ସେ ଲାଞ୍ଜିଗଡ଼ ପଞ୍ଚାୟତ ବାନିଗାଁକୁ ଯାଇ ଅଙ୍ଗନବାଡ଼ି କେନ୍ଦ୍ର ଓ ମାତୃ ଓ ଶିଶୁ ପୋଷଣ କେନ୍ଦ୍ର ପରିଦର୍ଶନ କରି ସେଠାରେ ବୃକ୍ଷରୋପଣ କରିଥିଲେ। ପରେ ବାନିଗାଁ ଆଦିବାସୀଙ୍କ ସହିତ କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନାର ସୁବିଧା ସୁଯୋଗ ପାଉଛନ୍ତି କି ନାହିଁ ପଚାରି ବୁଝିବା ସହ ଲାଞ୍ଜିଗଡ଼ କନ୍ଧ ଉନ୍ନୟନ ସଂସ୍ଥା କାର୍ଯ୍ୟାଳୟକୁ ଆସି ଲୋକଙ୍କ ସହିତ ଆଲୋଚନା କରିଥିଲେ।

କେନ୍ଦ୍ରମନ୍ତ୍ରୀ ଶ୍ରୀ ମୁଣ୍ଡାଙ୍କୁ ଆଦିବାସୀ ମାନେ ଖୁବ୍ ଉତ୍ସାହର ସହିତ ନୃତ୍ୟ ଗୀତର ସହିତ ସ୍ବାଗତ କରିଥିବା ବେଳେ ମନ୍ତ୍ରୀ ଶ୍ରୀ ମୁଣ୍ଡା ମଧ୍ୟ ସେମାନଙ୍କ ସହ ତାଳେ ତାଳେ ପାରଂପରିକ ବାଦ୍ୟ ବଜାଇଥିଲେ। ତାଙ୍କର ଏହି ଗସ୍ତ ସମୟରେ ସାଂସଦ ବସନ୍ତ ପଣ୍ଡା, ଡିଆର୍‌ଡିଏ ପିଡି ସୋମେଶ ଉପାଧ୍ୟାୟ, ଉପଜିଲ୍ଲାପାଳ ଡ. ବିଶ୍ବଜିତ ଦାସ, ଜିଲ୍ଲା ମଙ୍ଗଳ ଅଧିକାରୀ ଅରବିନ୍ଦ ରାୟ, ଆଇଟିଡିଏ ପିଏ ବିରଞ୍ଚି ନାରାୟଣ ଦରବାନ, ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ରମେଶ ମାଝୀ, ସାଂସଦ ପ୍ରତିନିଧି ଲକ୍ଷ୍ମୀଧର ସନ୍ତୋଷ ରାୟ, ଲାଞ୍ଜିଗଡ଼ ବିଡିଓ ଜିତେନ୍ଦ୍ର ମିଶ୍ର, ଏବିଡିଓ ବିଭୂତି ଭୂଷଣ ଶତପଥୀ, ଲାଞ୍ଜିଗଡ଼ କେକେଡିଏ ପ୍ରକଳ୍ପ ସଂଯୋଜକ ଲମ୍ବୋଦର ପ୍ରଧାନଙ୍କ ସମେତ ଲାଞ୍ଜିଗଡ଼ ବ୍ଲକ୍‌ ଓ ପଞ୍ଚାୟତସ୍ତରୀୟ କର୍ମଚାରୀ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର