କଟକ: ମାଲଗୋଦାମରେ ଏବେ ରଙ୍ଗବୋଳା ନକଲି ହରଡ଼ ଡାଲିର କାରବାର ଉଦ୍‌ବେଗର କାରଣ ହୋଇଛି। ଖେସାରୀ ଡାଲିରେ ରଙ୍ଗ ଦେଇ ତାହାକୁ ଅବିକଳ ହରଡ଼ ଡାଲିର ରୂପ ଦିଆଯାଉଛି। ବଜାରରେ ହରଡ଼ ଡାଲିର ମୂଲ୍ୟ ବୃଦ୍ଧି ପାଉଥିବାରୁ ଅସାଧୁ ବ୍ୟବସାୟୀ ଶସ୍ତା ତଥା ନିଷିଦ୍ଧ ଖେସାରୀ ଡାଲିକୁ ହରଡ଼ ସହିତ ମିଶାଇ ମାଲଗୋଦାମରେ ବିକ୍ରି କରୁଛନ୍ତି। ଏଭଳି ବେଆଇନ କାରବାରରେ ମାଲଗୋଦାମରେ ନିର୍ଦ୍ଦିଷ୍ଟ ଭାବେ ଦୁଇ ଡାଲି ବ୍ୟବସାୟୀ ସାମିଲ ଥିବା ଘଟଣା ଅଭିଯୋଗ ହେଉଛି।

Advertisment

ସୂଚନା ଅନୁଯାୟୀ, ଓଡ଼ିଶାରେ ୧୯୬୪ ଜାନୁଆରି ୧ରୁ ଖେସାରୀ ଡାଲିକୁ ନିଷିଦ୍ଧ ଘୋଷଣା କରାଯାଇଥିଲା। ୧୯୫୫ ଖାଦ୍ୟ ଅପମିଶ୍ରଣ ନିବାରଣ ନିୟମ(୪୪-ଏ) ଅନୁଯାୟୀ ଖେସାରୀ ଡାଲିର ବିକ୍ରି ଓ ଗଚ୍ଛିତ ଉପରେ କଟକଣା ଲଗାଯାଇଥିଲା। ଏଥିରେ ଡି-ଆମିନୋ-ପ୍ରୋ-ପିଓନିକ ଏସିଡ୍ ଚିହ୍ନଟ ହୋଇଥିଲା। ଏହି ଧରଣର ଡାଲି ଖାଇଲେ ପାରାଲିସିସ୍ ହେବାର ଆଶଙ୍କା କରାଯିବା ସହିତ ମେରୁଦଣ୍ଡ ଉପରେ ପ୍ରଭାବ ପଡ଼ୁଥିବା କୁହାଯାଇଥିଲା। କିନ୍ତୁ ୬୦ ବର୍ଷ ପରେ ବି ଏହି ଡାଲିର କାରବାର ଉପରେ ସଂପୂର୍ଣ୍ଣ କଟକଣା ଲଗାଯାଇପାରି ନାହିଁ। ମାଲଗୋଦାମରେ ହରଡ଼ ଡାଲି ମୂଲ୍ୟ ବୃଦ୍ଧି ହେଉଥିବା ସମୟରେ ଏହି ଡାଲିର ଅପମିଶ୍ରଣ ସଂଗିନ ସ୍ଥିତି ସୃଷ୍ଟି କରିଛି। ଛତିଶଗଡ଼ର ରାୟପୁର ଓ ବିହାରରୁ ମାଲଗୋଦାମର ନିର୍ଦ୍ଦିଷ୍ଟ ଡାଲି ବ୍ୟବସାୟୀ ଖେସାରୀ ଡାଲି କେଜି ପିଛା ୪୦ରୁ ୪୫ ଟଙ୍କାରେ କିଣୁଛନ୍ତି। ଏହି ଧରଣର ଡାଲି ମାଲଗୋଦାମକୁ ଅଧିକ ମାତ୍ରାରେ ରାୟପୁରରୁ ହିଁ ଆମଦାନୀ କରାଯାଉଛି। ସେଠାକାର ପାହାଡ଼ିଆ ଅଞ୍ଚଳରେ ଏହି ଡାଲି ପ୍ରଚୁର ଅମଳ ହେଉଛି। ଖେସାରୀ ଡାଲିକୁ ସେହି ରାଜ୍ୟଗୁଡ଼ିକରେ ଚଣା ଡାଲି କୁହାଯାଏ। ଏବେ ଛତିଶଗଡ଼ର ରାୟପୁର ଓ ମହାରାଷ୍ଟ୍ରର ନାଗପୁରରୁ ମାଲଗୋଦାମ ଆମଦାନୀ ହେଉଥିବା ହରଡ଼ ଡାଲି ମୂଲ୍ୟ କେଜି ପିଛା ୧୬୫ ଟଙ୍କା ଛୁଇଁଲାଣି। ଏଭଳି ପରିସ୍ଥିତିରେ ମାଲଗୋଦାମର ଅସାଧୁ ବ୍ୟବସାୟୀ ଡାଲି ଅପମିଶ୍ରଣ କାରସାଦି ଆରମ୍ଭ କରିଦେଇଛନ୍ତି। ଏହି ଡାଲିକୁ କଟକ ସମେତ କେନ୍ଦ୍ରାପଡ଼ା, ଜଗତସିଂହପୁର, ଢେଙ୍କାନାଳ, ଅନୁଗୁଳ, ଯାଜପୁର, ଭଦ୍ରକ, ବାଲେଶ୍ବର ଇତ୍ୟାଦି ଜିଲ୍ଲାକୁ ଚାଲାଣ କରାଯାଉଛି। ମାଲଗୋଦାମ ସମେତ ପୁରୀ ଜିଲ୍ଲା ନିମାପଡ଼ା ଓ ବ୍ରହ୍ମପୁରରେ ମଧ୍ୟ ଏହି ହରଡ଼ ସହିତ ଖେସାରୀ ଅପମିଶ୍ରଣ କରାଯାଇ ବଜାରକୁ ଛଡ଼ା ଯାଉଛି।

ମାଲଗୋଦାମର ଜଣେ ବ୍ୟବସାୟୀଙ୍କ କହିବା ଅନୁଯାୟୀ, ପୂର୍ବରୁ ବୁଟ ଡାଲିରେ ଖେସାରୀ ଡାଲିକୁ ମିଶ୍ରଣ କରାଯାଉଥିଲା। ଏବେ ହରଡ଼ ଡାଲିର ମୂଲ୍ୟ ବୃଦ୍ଧି ପାଇଥିବାରୁ ଅଧିକ ଲାଭ କରିବା ଲୋଭରେ ମିଶ୍ରଣ ହେଉଛି। ଖେସାରୀ ଡାଲିକୁ ବିହାର ଓ ଛତିଶଗଡ଼ରୁ ପ୍ୟାକିଂ ପୂର୍ବରୁ ହରଡ଼ ଡାଲି ଭଳି ଦେଖାଯିବାକୁ ରଙ୍ଗ ଦିଆଯାଉଛି। ହରଡ଼ ଡାଲି ଦାନାଠାରୁ ଖେସାରୀ ଡାଲି ଦାନା ଛୋଟ। ସେଥିରୁ ଜଣେ ଗ୍ରାହକ ଖେସାରୀ ବୋଲି ଜାଣିପାରିବେ। ନହେଲେ ସାଧାରଣ ଗ୍ରାହକ ଏହାକୁ ଚିହ୍ନିବା କରିବା କଷ୍ଟକର ହୋଇପଡ଼ିବ। ଅଳ୍ପ ମୂଲ୍ୟରେ ମିଳୁଥିବା ଖେସାରୀ ଡାଲିକୁ ଗୋ-ଖାଦ୍ୟ ଭାବେ ବ୍ୟବହାର କରାଯାଏ। ଆର୍ଥିକ ସ୍ବଚ୍ଛଳ ନଥିବା ଲୋକେ ବି ଅନେକ କ୍ଷେତ୍ରରେ ଏହାକୁ ବ୍ୟବହାର କରନ୍ତି। ଡାଲି ଅପମିଶ୍ରଣ ଏବେ ଜୋର ଧରି ଥିଲେ ବି ପୁଲିସ ଓ ସିଏମସି ସ୍ବାସ୍ଥ୍ୟ ବିଭାଗ ଏଯାଏ ଯାଞ୍ଚ ପାଇଁ ପଦକ୍ଷେପ ନ ନେବା ଗ୍ରାହକଙ୍କ ପାଇଁ ବିପଦ ଡାକି ଆଣୁଛି।