କଟକ: ପୁଣି ଆରମ୍ଭ ହୋଇଛି ହରଡ଼ ଡାଲିର କଳାବଜାରୀ। ମହାରାଷ୍ଟ୍ର ଓ ଛତିଶଗଡ଼ରେ ଚଳିତ ବର୍ଷ ଯଦିଓ ହରଡ଼ ଡାଲି ଭଲ ଉତ୍ପାଦନ ହୋଇଛି, କିନ୍ତୁ ଏହାର କଳାବଜାରୀ ଯୋଗୁଁ ରାଜ୍ୟରେ ଦର ବଢି ଏବେ କିଲୋ ୧୬୫ ଟଙ୍କା। ଫେବ୍ରୁଆରି ମାସରେ ଡାଲି କିଲୋ ୧୩୦ ଟଙ୍କା ଥିବା ବେଳେ ଦୁଇ ମାସରେ ୩୫ ଟଙ୍କା ବଢି ଯାଇଛି।
ମାଲଗୋଦାମରେ ଦୁଇ ପ୍ରକାର ହରଡ଼ ଡାଲି ବିକ୍ରି ହେଉଛି। ଗୋଟିଏ ପ୍ରକାର ଡାଲି କେଜି ପିଛା ୧୫୨ ଟଙ୍କା ଓ ୧୬୫ ଟଙ୍କା ମୂଲ୍ୟରେ ବିକ୍ରି ହୋଇଛି। ଖୋଲାବଜାରରେ ୧୫୨ ଟଙ୍କିଆ ଡାଲି କେଜି ପିଛା ୧୫୮ରୁ ୧୬୦ ଯାଏ ବିକ୍ରି ହେଉଛି। ବର୍ତ୍ତମାନ ୧୫୨ ଟଙ୍କା ଥିବା ହରଡ ଡାଲି ଚଳିତବର୍ଷ ଫେବ୍ରୁଆରିରୁ ଏପ୍ରିଲ ଯାଏ ୧୩୦ରୁ ୧୩୫ ଟଙ୍କା ଥିବା ବେଳେ ଏପ୍ରିଲ୍ ଶେଷ ଆଡ଼କୁ ୧୫୬ ଛୁଇଁଥିଲା। ମେ’ ପହିଲାରେ ୧୫୧କୁ ଖସି ପୁଣି ୧୫୨ ଛୁଇଁଲାଣି। ସେହିଭଳି ଏବେ ୧୬୫ ଟଙ୍କା ଥିବା ଡାଲି ଫେବ୍ରୁଆରି ଓ ମାର୍ଚ୍ଚରେ ୧୪୫ ଟଙ୍କା ଥିବା ବେଳେ ଏପ୍ରିଲ୍ରେ ବି ପାଖାପାଖି ସେତିକି ଥିଲା। ୨୦୨୩ ମେ’ରେ ଉତ୍ପାଦନ କମ୍ ଥିବା ସତ୍ତ୍ବେ ହରଡ଼ ମୂଲ୍ୟ ୧୧୫ରୁ ୧୨୦ ଟଙ୍କା ଯାଏ ରହିଥିଲା। କିନ୍ତୁ ଏଥର ଭଲ ହୋଇଥିବା ସତ୍ତ୍ବେ ମୂଲ୍ୟ ୧୬୫ ଟଙ୍କା ଛୁଇଁଲାଣି। ମାଲଗୋଦାମର ଡାଲି ବ୍ୟବସାୟୀମାନେ ହରଡ଼ ଓ ବୁଟ ଡାଲି ଗୋଟିଏ ସମୟରେ ଉତ୍ତରପ୍ରଦେଶର କାନପୁର ଓ ଆନ୍ଧ୍ର ପ୍ରଦେଶରୁ ଆମଦାନୀ କରୁଥିଲେ।
ଗଲା ୧୫ ବର୍ଷ ହେବ ଛତିଶଗଡ଼ ଓ ମହାରାଷ୍ଟ୍ରର ନାଗପୁରରୁ ମାଲଗୋଦାମ ବ୍ୟବସାୟୀ ଆମଦାନୀ କରୁଛନ୍ତି। ନଭେମ୍ବର-ଡିସେମ୍ବରରେ ହରଡ଼ ଡାଲି ଉପରୋକ୍ତ ରାଜ୍ୟରେ ଅମଳ ହୁଏ। ପ୍ରଥମେ କର୍ଣ୍ଣାଟକ ରାଜ୍ୟରୁ ଆସେ। ପରେ ମହାରାଷ୍ଟ୍ର ଓ ଶେଷରେ ଛତିଶଗଡ଼ ରାଜ୍ୟରୁ ହରଡ଼ ଡାଲି ମାଲଗୋଦାମକୁ ଆମଦାନୀ ହୋଇଥାଏ। ଏବେ ପ୍ରତିଦିନ ମାଲଗୋଦାମକୁ ହରଡ଼ ପାଖାପାଖି ୧୫୦ ଟନ୍ ଆମଦାନୀ ହେଉଛି। ହରଡ଼ ଡାଲିର ଚାହିଦା ରାଜ୍ୟରେ ଏଭଳି ରହିଛି ଯେ ମାଲଗୋଦାମରେ ଦୈନିକ ହରଡ଼ ଡାଲି ୯୦ ଟନ୍ କାରବାର ହେଉଛି। ଅର୍ଥାତ ୩କୋଟି ଟଙ୍କାର ଡାଲି ଦୈନିକ କଟକ ସହର ସମେତ ଗ୍ରାମାଞ୍ଚଳ, କେନ୍ଦ୍ରାପଡ଼ା, ଜଗତସିଂହପୁର, ଢେଙ୍କାନାଳ, ଯାଜପୁର, ଭଦ୍ରକ, ବାଲେଶ୍ବର, ପୁରୀ, ଖୋର୍ଧା ଜିଲ୍ଲାକୁ ଯୋଗାଣ ହେଉଛି। ମାଲଗୋଦାମ ବଣିକ ସଂଘର ସାଧାରଣ ସମ୍ପାଦକ ପ୍ରଫୁଲ୍ଲ ଛାଟୋଇ କହିଛନ୍ତି ଯେ ବଡ଼ କମ୍ପାନି ଓ ମଲ୍ ମାଲିକଙ୍କ ପାଇଁ ଏହି ମୂଲ୍ୟ ବୃଦ୍ଧି ହେଉଛି। ନାଗପୁର ଓ ରାୟପୁରରେ କମ୍ପାନି ମାଲିକମାନେ ଡାଲି କିଣି ନେଉଛନ୍ତି। ସେମାନେ ଡାଲିକୁ ନିୟନ୍ତ୍ରଣ କରି ବଜାରକୁ ଛାଡ଼ୁଥିବାରୁ ଏହାର ମୂଲ୍ୟ ଏଭଳି ଅସ୍ବାଭାବିକ ବୃଦ୍ଧି ପାଉଛି।