ମାଲକାନଗିରିରେ ୩୬ କରୋନା ଆକ୍ରାନ୍ତ ଚିହ୍ନଟ, ଆକ୍ରାନ୍ତଙ୍କ ମଧ୍ୟରେ ୨୯ ବିଏସଏଫ ଯବାନ

ଅମାନିଆ ହୋଇ ସହର ସାରା ଘୂରି ବୁଲୁଛନ୍ତି ଯବାନ

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ କରୋନା ରୋଗୀଙ୍କ ସଂଖ୍ୟା ହୁ ହୁ ହୋଇ ବଢ଼ିଚାଲିଛି। ଆଜି ରାଜ୍ୟରେ ମାଲକାନଗିରି ଜିଲ୍ଲା ସଂକ୍ରମଣରେ ଏକ ନମ୍ବର ସ୍ଥାନରେ ରହିଛି। ଜିଲ୍ଲାରେ ସର୍ବାଧିକ ୩୬ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେଥି ମଧ୍ୟରୁ ୨୯ଜଣ ବିଏସ୍‌ଏଫ୍‌ ଯବାନ ବୋଲି ଜଣାପଡ଼ିଛି। ଅନ୍ୟ ୪ଜଣ ଏମ୍‌ଭି-୭ ସ୍ଥିତ ସଂଗରୋଧରେ ରହିଥିବା ବେଳେ ଆଉ ୩ ଜଣ କୋରୁକୋଣ୍ଡା ବ୍ଲକ୍‌ ଏମ୍‌ଭି-୧୨ ଗ୍ରାମରେ ଗୃହ ସଂଗରୋଧରେ ରହିଥିଲେ। ବର୍ତ୍ତମାନ ସୁଦ୍ଧା ଜିଲ୍ଲାରେ ମୋଟ ୯୬ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ୫୨ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ସେପଟେ ଏବେ ମଧ୍ୟ ୪୪ ଜଣ ଆକ୍ରାନ୍ତ ଚିକିତ୍ସିତ ହେଉଥିବା ଜଣାପଡ଼ିଛି।

ସ୍ଥାନୀୟ ବାଳିକା ବିଦ୍ୟାଳୟ, ମାଲ୍ୟବନ୍ତ ହଷ୍ଟେଲ ଏବଂ କନିଷ୍ଠ ବିଜ୍ଞାନ ମହାବିଦ୍ୟାଳୟରେ ଥିବା ସଂଗରୋଧ କେନ୍ଦ୍ରରେ କେବଳ ବିଏସ୍‌ଏଫ୍‌ ଯବାନ ରହୁଥିବା ବେଳେ ଏମାନଙ୍କ ମଧ୍ୟରେ ଏବେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଆଜି ଚିହ୍ନଟ ହୋଇଥିବା ୨୯ଜଣ ଯବାନ ରାଜସ୍ଥାନ, ଉତ୍ତର ପ୍ରଦେଶ, କର୍ଣ୍ଣାଟକ, ପଶ୍ଚିମବଙ୍ଗ, ତ୍ରିପୁରା, ବିହାର ଆଦି ରାଜ୍ୟରୁ ଫେରିଥିଲେ। ଏମ୍‌ଭି-୭ ସଂଗରୋଧ କେନ୍ଦ୍ରରେ ଚିହ୍ନଟ ହୋଇଥିବା ରୋଗୀମାନେ ତାମିଲନାଡୁ ଏବଂ ନୂଆଦିଲ୍ଲୀରୁ ଫେରିଥିବା ବେଳେ ଏମଭି-୧୨ ଗ୍ରାମରେ ଗୃହ ସଂଗରୋଧରେ ରହିଥିବା ରୋଗୀ ନୂଆଦିଲ୍ଲୀରୁ ଫେରିଛନ୍ତି। ସଂକ୍ରମଣକୁ ଦୃଷ୍ଟିରେ ରଖି ମାଲକାନଗିରି ଡିଆରଡିଏ କାର୍ଯ୍ୟାଳୟଠାରୁ ଆଇଏମ୍‌ଏସ୍‌ଟି ସ୍କୁଲ ପର୍ଯ୍ୟନ୍ତ କଣ୍ଟେନମେଣ୍ଟ ଜୋନ୍ ଭାବେ ଆଜି ଘୋଷଣା କରାଯାଇଛି। ସେହିପରି ଏମ୍‌ଭି-୧୨ ଗ୍ରାମକୁ ମଧ୍ୟ କଣ୍ଟେନମେଣ୍ଟ ଜୋନ୍ ଭାବେ ଘୋଷଣା କରିଛି ପ୍ରଶାସନ।

ମାଲକାନଗିରି ବାଳିକା ବିଦ୍ୟାଳୟ, କନିଷ୍ଠ ବିଜ୍ଞାନ ମହାବିଦ୍ୟାଳୟ ଏବଂ ମାଲ୍ୟବନ୍ତ ହଷ୍ଟେଲରେ ରହୁଥିବା ବିଏସ୍‌ଏଫ୍‌ ଯବାନ ଅମାନିଆ ଭାବେ ବାହାରେ ବୁଲିବା ସହ ଦୋକାନରୁ ସଉଦା କିଣୁଥିବା ଲକ୍ଷ୍ୟ କରାଯାଇଛି। ସେମାନେ ମାଲକାନଗିରି ସହର ସାରା ବୁଲୁଥିବା ବେଳେ କିଛି ଦିନ ତଳେ ଜିଲ୍ଲାପାଳ ଏମାନଙ୍କୁ ତାଗିଦ ମଧ୍ୟ କରିଥିଲେ। ଯବାନମାନେ ବୁଲିବା ବେଳେ କାହା କାହା ସଂସ୍ପର୍ଶରେ ଆସିଛନ୍ତି ତାହା ଏବେ ସବୁଠୁ ବଡ଼ ଚିନ୍ତାର ବିଷୟ। ସମସ୍ତ ଯବାନଙ୍କ ମଧ୍ୟରେ ସଂପର୍କ ବଢ଼ିଥିବାରୁ ଏହି ସଂଖ୍ୟା ହୁଏତ ଆଗାମୀ ଦିନରେ ଶତାଧିକ ହେବାର ଆଶଙ୍କା କରାଯାଉଛି। ଏହି ଅଞ୍ଚଳରେ ବାସ କରୁଥିବା ଲୋକେ ଏବେ ଭୟଭୀତ ହୋଇ ରହିଛନ୍ତି। ହେଲେ ପ୍ରଶାସନ ପକ୍ଷରୁ ଭୟ ନ କରିବା ପାଇଁ କୁହାଯାଇଛି। ଘରେ ରହି ସୁରକ୍ଷିତ ରହିବା ସହ ଘରୁ ପଦାକୁ ବାହାରିଲେ ମୁହଁରେ ମାସ୍କ ପିନ୍ଧି ବାହାରିବା ପାଇଁ ପରାମର୍ଶ ଦିଆଯାଉଛି। ସାମାଜିକ ଦୂରତା ରକ୍ଷାକରି ବଜାରରେ ଜିନିଷପତ୍ର କିଣିବା ସହ ଗହଳି ସ୍ଥାନରୁ ଦୂରରେ ରହିବାକୁ ଲୋକଙ୍କୁ ଅନୁରୋଧ କରିଛି ପ୍ରଶାସନ।

ସମ୍ବନ୍ଧିତ ଖବର