ତଦନ୍ତ ପରେ ଧରାପଡ଼ିଲା ଚଞ୍ଚକତା: ମାଲକାନଗିରିରେ ୪୮ ଲଘୁ ଖଣିଜ ଟେଣ୍ଡର୍‌ ରଦ୍ଦ

ସାନି ଟେଣ୍ଡର୍‌ ପାଇଁ ନିର୍ଦ୍ଦେଶ ଦେଲେ ଜିଲ୍ଲାପାଳ

ମାଲକାନଗିରି: ମାଲକାନଗିରି ଲଘୁ ଖଣିଜ ଟେଣ୍ଡର ଅନିୟମିତତା ପ୍ରସଙ୍ଗ ନୂଆମୋଡ଼ ନେଇଛି। ଦକ୍ଷିଣାଞ୍ଚଳ ରାଜସ୍ବ କମିସନରଙ୍କ ତଦନ୍ତ ରିପୋର୍ଟ ଆଧାରରେ ଜିଲ୍ଲାର ସମସ୍ତ ୪୮ଟି ଯାକ ଲଘୁ ଖଣିଜ ଟେଣ୍ଡରକୁ ରଦ୍ଦ କରିଛନ୍ତି ଜିଲ୍ଲାପାଳ ବିଶାଳ ସିଂହ। ଏ ନେଇ ଜିଲ୍ଲାର ସମସ୍ତ ତହସିଲଦାର (ଖଇରପୁଟ ବ୍ୟତୀତ)ଙ୍କୁ ଅବଗତ କରି ସାନି ଟେଣ୍ଡର ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଏହି ପଦକ୍ଷେପ ପରେ ଚଞ୍ଚକତା କରି ଟେଣ୍ଡର ଦିଆଯାଇଥିବା ସ୍ପଷ୍ଟ ହୋଇଛି। ଏହି ଅନିୟମିତତା ପଛରେ ରହିଥିବା ସରକାରୀ ଅଧିକାରୀଙ୍କ ବିରୋଧରେ କେବେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ, ତାହାକୁ ନେଇ ପ୍ରଶ୍ନ ଉଠିଛି।

ସୂଚନା ଅନୁଯାୟୀ, ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପକ୍ଷରୁ ଚଳିତବର୍ଷ ଜିଲ୍ଲାର ସମସ୍ତ ଲଘୁ ଖଣିଜ ଉତ୍ସର ଖନନ ନିମନ୍ତେ ଟେଣ୍ଡର ଆହ୍ବାନ କରାଯାଇଥିଲା। ତେବେ, ଆନ୍ଧ୍ରର ଖଣି ମାଲିକ ବେଣୁଗୋପଳଙ୍କୁ ୭ଟି ଖଣି ଖନନ ପାଇଁ ଅନୁମତି ମିଳିବା ପରେ ସନ୍ଦେହ ପ୍ରକାଶ ପାଇଥିଲା। ଖୋଳତାଡ଼ କରିବାରୁ ତତ୍କାଳୀନ ଜିଲ୍ଲାପାଳ ୱାଇ. ବିଜୟ ଟେଣ୍ଡର ବାକ୍ସକୁ ନିଜ ଘରେ ନେଇ ରଖିବା ଏବଂ ସଲଭେନ୍‌ସି ପ୍ରମାଣପତ୍ରରେ ବ୍ୟାପକ ଜାଲିଆତି କରାଯାଇଥିବା ଜଣାପଡ଼ିଥିଲା। ତେଣୁ ପ୍ରଶାସନକୁ ସିଧାସଳଖ ଟାର୍ଗେଟ କରିଥିଲେ କଂଗ୍ରେସ ଏବଂ ବିଜେପି। ଯାହାକୁ ନେଇ ଜିଲ୍ଲାରେ ଅନେକ ଚର୍ଚ୍ଚା ଆରମ୍ଭ ହୋଇ ପ୍ରଶାସନର ଭୂମିକାକୁ ନେଇ ପ୍ରଶ୍ନ ଉଠିଥିଲା। ଏମିତି ବିବାଦୀୟ ପରିସ୍ଥିତିରେ ତତ୍କାଳୀନ ଜିଲ୍ଲାପାଳ ୱାଇ. ବିଜୟ ବଦଳି ହୋଇଥିଲେ। ଦୁର୍ନୀତିରେ ପ୍ରଶାସନର ସିଧାସଳଖ ସଂପୃକ୍ତି ନେଇ ସବୁ ଆଡ଼ୁ ସ୍ବର ଉଠିବାରୁ ଦକ୍ଷିଣାଞ୍ଚଳ ରାଜସ୍ବ କମିସରନର୍‌ ନିଜେ ଏହି ଅଭିଯୋଗର ତଦନ୍ତ କରିଥିଲେ। ସେହିପରି ଜିଲ୍ଲାପାଳ ମଧ୍ୟ ବେଣୁଗୋପାଳ ଦାଖଲ କରିଥିବା ସଲଭେନ୍‌ସି ପ୍ରମାଣପତ୍ରର ଯାଞ୍ଚ କରିଥିଲେ। ସଂପତ୍ତିର ଭୁଲ ଆକଳନ କରି ସଲଭେନ୍‌ସି ପ୍ରମାଣପତ୍ର ଦିଆଯାଇଥିବା ଜିଲ୍ଲାପାଳ ଜାଣିବାକୁ ପାଇଥିଲେ। ତେଣୁ ବେଣୁଗୋପାଳ ଖଣି ଖନନ ନିମନ୍ତେ ଦାଖଲ କରିଥିବା ସଲଭେନ୍‌ସି ପ୍ରମାଣପତ୍ରକୁ ରଦ୍ଦ କରିଥିଲେ। ଅନ୍ୟପକ୍ଷରେ ରାଜସ୍ବ କମିସନର ତଦନ୍ତରୁ ବ୍ୟାପକ ଅନିୟମିତତା ହୋଇଥିବା ଜାଣିବାକୁ ପାଇଥିଲେ। ଏ ନେଇ ରିପୋର୍ଟ ପ୍ରସ୍ତୁତ କରି ରାଜ୍ୟ ସରକାରଙ୍କୁ ପ୍ରଦାନ କରିଥିଲେ। ଯାହାଫଳରେ ରାଜସ୍ବ ଓ ବିପର୍ଯ୍ୟୟ ପ୍ରଶମନ ବିଭାଗ ଟେଣ୍ଡର ପ୍ରକ୍ରିୟାକୁ ରଦ୍ଦ କରିବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଥିଲେ। ନିର୍ଦ୍ଦେଶ ମୁତାବକ ଆଜି ସମସ୍ତ ଟେଣ୍ଡରକୁ ଜିଲ୍ଲାପାଳ ରଦ୍ଦ କରି ଜିଲ୍ଲାର ତହସିଲଦାର ମାନଙ୍କୁ ଅବଗତ କରାଇଛନ୍ତି। ସେହିପରି ରଦ୍ଦ ହୋଇଥିବା ଲଘୁ ଖଣି ନିମନ୍ତେ ସାନି ଟେଣ୍ଡର କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ତେବେ ପ୍ରଶାସନ ଏଭଳି ପଦକ୍ଷେପ କଂଗ୍ରେସକୁ ସନ୍ତୁଷ୍ଟ କରିପାରି ନାହିଁ। କେବଳ ଟେଣ୍ଡର ରଦ୍ଦ କରିଦେଲେ ଦୁର୍ନୀତି ଲୁଚି ଯିବ ନାହିଁ ବୋଲି କଂଗ୍ରେସ କହିଛି। ଯେଉଁ ଅଧିକାରୀଙ୍କ ପାଇଁ ଏଭଳି ଦୁର୍ନୀତି ହୋଇଥିଲା, ସେମାନଙ୍କୁ କାହିଁକି ସୁରକ୍ଷା ଦିଆଯାଉଛି ବୋଲି ଦଳ ପ୍ରଶ୍ନ କରିଛି। ତେଣୁ ସଂପୃକ୍ତ ସମସ୍ତ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପିସିସି କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର