ପାରଳାଖେମୁଣ୍ଡି: ଚାରିପଟୁ ଘେରିଲା ପରେ କିଛି ଦିନ ଚୁପ୍ ଥିଲେ। ଏବେ ପୁଣି ଲୁଚିଛପି ଓଡ଼ିଶା ସୀମାରେ ଆନ୍ଧ୍ର ରାଜସ୍ବ ଅଧିକାରୀ ଅନୁପ୍ରବେଶ କରିଛନ୍ତି। ଆଜି ସକାଳେ ଆନ୍ଧ୍ରରୁ ରାଜସ୍ବ ଅଧିକାରୀ ଗଜପତି ଜିଲ୍ଲା ରାୟଗଡ଼ ବ୍ଲକ୍ ଅଧୀନସ୍ଥ ଗଙ୍ଗାବାଡ଼ ପଞ୍ଚାୟତର ମାଣିକପାଟଣା ଅଞ୍ଚଳରେ ପହଞ୍ଚି ଓଡ଼ିଶା ଅଧୀନରେ ଥିବା ଜମି ମାପଚୁପ କରିଥିଲେ। ଏହା ଦେଖି ସ୍ଥାନୀୟ ଲୋକେ ପ୍ରତିବାଦ କରିବା ସହ ଏହା ଓଡ଼ିଶାର ଜମି ବୋଲି ତାଗିଦ୍ କରିଥିଲେ। ଫଳରେ ସ୍ଥାନୀୟ ବାସିନ୍ଦା ଓ ଆନ୍ଧ୍ର ରାଜସ୍ବ ଅଧିକାରୀଙ୍କ ମଧ୍ୟରେ କିଛି ସମୟ ପାଟିତୁଣ୍ଡ ହୋଇଥିଲା।
ତେବେ ଲୋକଙ୍କ ବିରୋଧକୁ ଦେଖି ଆନ୍ଧ୍ର ଅଧିକାରୀମାନେ ପଛଘୁଞ୍ଚା ଦେଇଥିଲେ ମଧ୍ୟ ଧମକଚମକ ଦେଇଥିବା ସ୍ଥାନୀୟ ଲୋକେ କହିଛନ୍ତି। ଖବର ପାଇ ଗାରାବନ୍ଧ ପୁଲିସ ଏବଂ ସ୍ଥାନୀୟ ଅ଼ଞ୍ଚଳର ରାଜସ୍ବ ନିରୀକ୍ଷକ ଘଟଣା ସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି। ସେମାନେ ପହଞ୍ଚିବା ଜମି ମାପଚୁପ ପାଇଁ ଆସିଥିବା ଆନ୍ଧ୍ର ଅଧିକାରୀଙ୍କ ସହ କଥା ହୋଇ ଏହା ଓଡ଼ିଶାର ବୋଲି ଚେତାଇବା ପରେ ସେମାନେ ଫେରିଯାଇଥିବା ରାଜସ୍ବ ନିରୀକ୍ଷକ କହିଛନ୍ତି। ଏହାକୁ ନେଇ ପାରଳା ଗସ୍ତରେ ଥିବା ପୂର୍ବତନ ମୁଖ୍ୟ ଶାସନସଚିବ ତଥା କଂଗ୍ରେସ ନେତା ବିଜୟ ପଟ୍ଟନାୟକ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ସୀମାକୁ ସୁରକ୍ଷା ଦେବାରେ ସରକାର ସଂପୂର୍ଣ୍ଣ ବିଫଳ ହେବା ନିଶ୍ଚିତ ଭାବେ ଏକ ଚିନ୍ତାର ବିଷୟ ବୋଲି କହିଛନ୍ତି। ଅତିଶୀଘ୍ର ସେ ଏହି ଅଞ୍ଚଳ ଗସ୍ତ କରି ସେଠାକାର ସମସ୍ୟା ପରଖିବା ସହ ଏହାର ସମାଧାନ ପାଇଁ ସରକାରଙ୍କ ନିକଟରେ ଦାବି ରଖିବେ ବୋଲି କହିଛନ୍ତି।
ଗଜପତି ଜିଲ୍ଲା ରାୟଗଡ଼ ବ୍ଲକ୍ ଅଧୀନସ୍ଥ ଗଙ୍ଗାବାଡ଼ ପଞ୍ଚାୟତର ଅଧିକାଂଶ ଗାଁକୁ ନିଜ କବଜାକୁ ନେବା ପାଇଁ ଦୀର୍ଘ ଦିନ ହେଲା ପଡ଼ୋଶୀ ଆନ୍ଧ୍ର ପ୍ରୟାସ ଚଳାଇ ଆସିଛି। ଏଥିପାଇଁ ଅନେକ ଥର ସୀମାରେ ଅନୁପ୍ରବେଶ କରି ସୀମାନ୍ତ ଓଡ଼ିଶାର ଲୋକଙ୍କୁ ବିଭିନ୍ନ ପ୍ରକାର ପ୍ରଲୋଭନ ଦେଖାଇବା ସହ କିଛି ଯୋଜନାରେ ସାମିଲ କରାଇ ନିଜ ଆଡ଼କୁ ଟାଣିବାକୁ ଉଦ୍ୟମ ଚଳାଇଛି। ଏହି ଅଞ୍ଚଳର ଲୋକଙ୍କୁ ନିଜ ରାଜ୍ୟର ଭୋଟର୍ ତାଲିକାଭୁକ୍ତ କରାଇ ନେଇଥିବା ଆନ୍ଧ୍ର ସରକାର ଏବେ ସେମାନଙ୍କୁ ଜାଗା ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି। ତେବେ ଆନ୍ଧ୍ରର ଏଭଳି ହୀନ ପ୍ରୟାସକୁ ନିଷ୍କ୍ରିୟ କରିବା ପାଇଁ ସ୍ଥାନୀୟ ପ୍ରଶାସନ କିମ୍ବା ରାଜ୍ୟ ସରକାରଙ୍କ ପକ୍ଷରୁ କୌଣସି ଠୋସ୍ ପଦକ୍ଷେପ ନିଆ ନଯିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।
ବିଗତ କିଛି ବର୍ଷ ମଧ୍ୟରେ ଆନ୍ଧ୍ର ଅନେକ ଥର ସୀମାରେ ଅନୁପ୍ରବେଶ କରିଛି। ଏପରିକି ଓଡ଼ିଶାର ଅଧିକାରୀଙ୍କୁ ଓଡ଼ିଶା ମାଟିରେ ଆନ୍ଧ୍ରର ମନ୍ତ୍ରୀ ଧମକ ଦେବା ମଧ୍ୟ ନଜିର ରହିଛି । ତଥାପି ସରକାର କିଛି କରିନାହାନ୍ତି। ଫଳରେ ଆନ୍ଧ୍ରର ସାହସ ଦିନକୁ ଦିନ ବଢ଼ିବାରେ ଲାଗିଛି। ଅନ୍ୟପଟେ ଦୀର୍ଘଦିନ ହେଲା ଗଜପତି ଜିଲ୍ଲା ପ୍ରଶାସନ ଏହି ଅଞ୍ଚଳର ଭୂମିହୀନଙ୍କୁ ଜମି ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ ଆଜି ଯାଏ ତାହା ପୂରଣ କରିପାରି ନାହାନ୍ତି। ତେଣୁ ଆଜି ଏଭଳି ପରିସ୍ଥିତି ଉପୁଜିଥିବା ସ୍ଥାନୀୟ ଲୋକେ କହିଛନ୍ତି। ଆନ୍ଧ୍ର ବାରମ୍ବାର ଅନୁପ୍ରବେଶ କରୁଥିଲେ ମଧ୍ୟ ଓଡ଼ିଶା ଅଧିକାରୀ ସବୁ ଦେଖି ନଦେଖିବା ଭଳି ରହିବା ପଛରେ କାରଣ କ’ଣ ତାହା ବୁଝି ହେଉନାହିଁ। ତେଣୁ ସୀମା ସୁରକ୍ଷା ପାଇଁ ସରକାର ସ୍ବତନ୍ତ୍ର ଦୃଷ୍ଟି ଦେବା ପାଇଁ ବିଭିନ୍ନ ମହଲରେ ଦାବି ହୋଇଛି।