ବାରିପଦା: ଗତ ନିର୍ବାଚନରେ ମୟୂରଭଞ୍ଜ ଜିଲ୍ଲାରେ ବିଜେଡିକୁ ବଡ଼ ଝଟ୍‌କା ମିଳିଥିବା ବେଳେ ଏବେ ଦଳର ଅନେକ ନେତା ଏବେ ବିଜେପି ମୁହଁା ହୋଇଛନ୍ତି। ଏହି ତାଲିକାରେ ବ୍ଲକ୍‌ ଅଧ୍ୟକ୍ଷ, ଅଧ୍ୟକ୍ଷାଙ୍କଠାରୁଆରମ୍ଭକରି ଦଳୀୟ ବିଧାୟକ ପ୍ରାର୍ଥୀ ରହିଛନ୍ତି। ନିର୍ବାଚନର କିଛିଦିନ ପରେ ଏହିଭଳି ଏକ ଚର୍ଚ୍ଚା ଲାଗିରହିଥିଲା ବେଳେ ଏହାକୁ ଖୋରାକ ଯୋଗାଇଛି ଆଜି ଅନୁଷ୍ଠିତ ବିଜେଡିର ବୈଠକ। ଦଳର ଜିଲ୍ଲା ସଭାପତି ତଥା ପୂର୍ବତନ ମନ୍ତ୍ରୀ ସୁଦାମ ମାରାଣ୍ଡି ଡାକିଥିବା ଏହି ବୈଠକରେ ଅଧିକାଂଶ ବ୍ଲକ୍‌ ଅଧ୍ୟକ୍ଷ ଏବଂ ଦଳୀୟ ପ୍ରାର୍ଥୀ ଅନୁପସ୍ଥିତ ରହିଛନ୍ତି।

Advertisment

ଗତ ନିର୍ବାଚନରେ ମୟୂରଭଞ୍ଜରେ ବିଜେଡି ଶୋଚନୀୟ ପରାଜୟବରଣ କରିଛି। ଲୋକସଭା ସହିତ ୯ଟି ବିଧାନସଭା ଆସନରେ ଦଳର କୌଣସି ପ୍ରାର୍ଥୀ ଜିତିନାହାନ୍ତି। ସମସ୍ତ ଆସନ ବିଜେପିକୁ ଯାଇଛି। ଫଳରେ, ଦୀର୍ଘବର୍ଷ ଧରି ବିଜେଡି କବ୍‌ଜାରେ ରହିଥିବା ଏହି ଜିଲ୍ଲାର ଚିତ୍ର ସମ୍ପୂର୍ଣ୍ଣ ଭାବେ ବଦଳି ଯାଇଛି।ଏବେ ମୟୂରଭଞ୍ଜରୁ ୨ ଜଣଙ୍କୁ ମନ୍ତ୍ରୀ ପଦ ମିଳିଛି। ଏପରିସ୍ଥଳେ, ବିଜେପିର ପ୍ରଭାବ ଓ କ୍ଷମତାକୁ ଦୃଷ୍ଟିରେ ରଖି ବିଜେଡିର ବହୁ ବ୍ଳକ୍‌ ଅଧ୍ୟକ୍ଷ, ଅଧ୍ୟକ୍ଷା ବିଜେପି ମୁହଁା ହେଉଥିବା କିଛିଦିନ ଧରି ଚର୍ଚ୍ଚା ଲାଗିରହିଛି।

୨୬ ବ୍ଳକ୍‌ ଅଧ୍ୟକ୍ଷଙ୍କ ମଧ୍ୟରୁ ଅନୁପସ୍ଥିତ ରହିଲେ ୧୨ ଜଣ
୯ରୁ ୮ ବିଧାୟକ ପ୍ରାର୍ଥୀ ଅନୁପସ୍ଥିତ
ଅଧିକାଂଶ ନେତା ଏବେ ବିଜେପି ମୁହାଁ

ସମ୍ଭାବ୍ୟ ଦଳଡିଅଁାକୁ ରୋକିବା ପାଇଁ ଆଜି ସୁଦାମ ସ୍ଥାନୀୟ ହୋଲି ପ୍ୟାଲେସ୍ ହୋଟେଲ ସଭାଗୃହରେ ବୈଠକ ଡାକିଥିଲେ। ବୈଠକକୁ ସବୁ ବ୍ଲକ୍‌ର ଅଧ୍ୟକ୍ଷ ଓ ଅଧ୍ୟକ୍ଷା, ଦଳର ବରିଷ୍ଠ ନେତା ଓ ନିର୍ବାଚନରେ ପରାଜିତ ବିଧାୟକ ପ୍ରାର୍ଥୀମାନଙ୍କୁ ଡକାଯାଇଥିଲା। ହେଲେ ବିଜେଡି ଅକ୍ତିଆରରେ ଥିବା ଜିଲ୍ଲାର ସମସ୍ତ ୨୬ ବ୍ଲକ୍‌ ମଧ୍ୟରୁ ସର୍ବାଧିକ ୧୪ ଜଣ ଅଧ୍ୟକ୍ଷ ବା ଅଧ୍ୟକ୍ଷା ଯୋଗ ଦେଇଥିଲେ। ସେହିପରି ଜିଲ୍ଲାର ୯ଟି ନିର୍ବାଚନମଣ୍ଡଳୀ ମଧ୍ୟରୁ କେବଳ ଯଶିପୁରର ଚକ୍ରଧର କହଁରଙ୍କୁ ବାଦ୍‌ଦେଲେ ଅନ୍ୟ କୌଣସି ବିଧାୟକ ପ୍ରାର୍ଥୀ ଯୋଗ ଦେଇନଥିଲେ। ଶୁଣିବାକୁ ମିଳୁଛି ଯେ ବିଜେଡି ପୁଣି କ୍ଷମତାକୁ ଆସିବ, ଆମେ ଏକଜୁଟ୍‌ ହୋଇ ରହିବା ବୋଲି କହି ଉପସ୍ଥିତ ଶ୍ରୀ ମାରାଣ୍ଡି ସମସ୍ତଙ୍କୁ ବୁଝାଇବାକୁ ଚେଷ୍ଟା କରିଥିଲେ। ଏଥିରେ ଦଳର ବରିଷ୍ଠ ନେତା କାଶିନାଥ ହେମ୍ବ୍ରମ, ମୟୂରଭଞ୍ଜ ସମବାୟ ବ୍ୟାଙ୍କର ସଭାପତି ସୁବ୍ରମଣ୍ୟମ୍‌ ମହାନ୍ତି, ଜିଲ୍ଲା କାର୍ଯ୍ୟକାରୀ ସଭାପତି ଜିତେନ୍ଦ୍ର ମହାନ୍ତି ଓ ବାରିପଦା ନିର୍ବାଚନ ମଣ୍ଡଳୀ ସଂଯୋଜକ ପ୍ରଭାତ କୁମାର ନାୟକ ପ୍ରମୁଖ ଉପସ୍ଥିତ ଥିଲେ। ଆଜିର ବୈଠକ ପରେ ଏହି ଘଟଣା ଜିଲ୍ଲା ରାଜନୀତିରେ ଚର୍ଚ୍ଚାର ବିଷୟ ପାଲଟିଛି। ବୈଠକରେ ଅନୁପସ୍ଥିତ କିଛି ବିଧାୟକ ପ୍ରାର୍ଥୀଙ୍କୁ ଯୋଗାଯୋଗ କରାଯାଇଥିଲା। ତେବେ, କିଏ ପୁରୀରେ ତ ଆଉ କିଏ ଭୁବନେଶ୍ବରରେ ଥିବା କଥା କହିଥିଲେ। ଏ ନେଇ ଶ୍ରୀ ମାରାଣ୍ଡିଙ୍କ ପ୍ରତିକ୍ରିୟା ନେବାକୁ ଚେଷ୍ଟା କରାଯାଇଥିଲା। ହେଲେ ସେ ଫୋନ୍‌ ଉଠାଇ ନଥିଲେ।