ଅଧିକାଂଶ ୱାର୍ଡ ବିଜେଡି ହାତରେ, ଅଧ୍ୟକ୍ଷା ପଦ ହାତେଇଲା ବିଜେପି

ସୁନ୍ଦରଗଡ଼ ପୌର ଭୋଟରଙ୍କ ନିଷ୍ପତ୍ତି

ସୁନ୍ଦରଗଡ଼: ସୁନ୍ଦରଗଡ଼ ପୌର ନିର୍ବାଚନରେ ବିଜେଡିକୁ ଧୂଳି ଚଟାଇ ଅଧ୍ୟକ୍ଷା ଆସନ ବିଜେପି ଅକ୍ତିଆର କରି ନେଇଛି। ଏହିକ୍ରମରେ ନିର୍ବାଚନର  ଏକ ବିଚିତ୍ର ଚିତ୍ର ସାମ୍ନାକୁ ଆସିଛି। ୧୧ଟି ୱାର୍ଡରେ ବିଜେଡି କାଉନସିଲର ବିଜୟୀ ହୋଇଥିଲେ ମଧ୍ୟ ଦଳର ପୌରାଧ୍ୟକ୍ଷ ପ୍ରାର୍ଥିନୀ ହାରି ଯାଇଛନ୍ତି। ବଡ଼ କଥା ହେଲା, ଯେଉଁ ସବୁ ୱାର୍ଡରେ ଦଳର କାଉନସିଲର ପ୍ରାର୍ଥୀ ଜିତିଛନ୍ତି, ସେଥି ମଧ୍ୟରୁ ଅନେକ ୱାର୍ଡରେ ଅଧ୍ୟକ୍ଷା ପ୍ରାର୍ଥୀଙ୍କୁ ଅନ୍ୟ ପ୍ରତିଦ୍ବନ୍ଦ୍ବୀଙ୍କ ଠାରୁ କମ୍ ଭୋଟ୍ ମିଳିଛି।  ସୁନ୍ଦରଗଡ଼ର ଭୋଟରଙ୍କ ଏ ପ୍ରକାର ବିଚିତ୍ର ମୁଡ୍ ରାଜନୈତିକ ଦଳକୁ ବିସ୍ମିତ କରିଛି। ତେବେ ଏହା ପଛରେ ଅନ୍ୟତମ ପ୍ରମୁଖ କାରଣ ଭାବେ  ବିଜେଡିର ଗୋଷ୍ଠୀ କନ୍ଦଳକୁ ଦେଖାଯାଉଛି। ପୌର ନିର୍ବାଚନ ଆରମ୍ଭ ହେଉଣୁ ସୁନ୍ଦରଗଡ଼ ପୌର ଅଧ୍ୟକ୍ଷ ଓ କିଛି କାଉନସିଲର ଆସନ ପାଇଁ ଟିକଟ ବଣ୍ଟନକୁ ନେଇ  ଦଳରେ ବିବାଦ ଦେଖା ଦେଇଥିଲା।

ଟଣାଓଟରା ମଧ୍ୟରେ ଅଧ୍ୟକ୍ଷା ଆସନ ପାଇଁ ପୂର୍ବତନ ପୌର ଉପାଧ୍ୟକ୍ଷା ତଥା ଜିଲ୍ଲା ମହିଳା ସଭାନେତ୍ରୀ ରଞ୍ଜନା ପଣ୍ଡାଙ୍କ ନାମ ଘୋଷଣା କରାଗଲା। ତେବେ ଦଳରେ ଜଣେ ନୂଆ ଯୁବ ଚେହେରାକୁ ସମର୍ଥନ କରିଥିବା ଏକ ଗୋଷ୍ଠୀ ଏଥିରେ  ଅସନ୍ତୁଷ୍ଟ ହୋଇ ପଡ଼ିଥିଲେ। ଶେଷ ଯାଏ ସେମାନଙ୍କ ଅସନ୍ତୋଷ ବଳବତ୍ତର ରହିଥିଲା। ଏହାର ପ୍ରଭାବ ନିର୍ବାଚନରେ ପଡ଼ିଥିଲା।  ଅନେକ କାଉନସିଲର ପ୍ରାର୍ଥୀ ନିଜ ନିଜ ୱାର୍ଡରେ ପୌରାଧ୍ୟକ୍ଷା ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗି ନଥିଲେ।  ଏପରିକି କିଛି ପ୍ରାର୍ଥୀ ଗୋପନରେ ବିଜେପି ପ୍ରାର୍ଥିନୀ ତନୟାଙ୍କ ସ୍ବାମୀ ବଟକିଶୋରଙ୍କ ସମ୍ପର୍କରେ ଥିବା  ଚର୍ଚ୍ଚା ହୋଇଥିଲା। ସେହି କାରଣରୁ ଅନେକ ୱାର୍ଡରେ ବିଜେଡି କାଉନସିଲର ବିଜୟୀ ହୋଇଥିଲେ ମଧ୍ୟ ସେଠାରେ  ଦଳର ପୌରାଧ୍ୟକ୍ଷା ପ୍ରାର୍ଥିନୀ ରଞ୍ଜନା ପଣ୍ଡା ଅନ୍ୟ ପ୍ରତିଦ୍ବନ୍ଦ୍ବୀଙ୍କ ଠାରୁ କମ୍ ଭୋଟ୍ ପାଇଥିବା ପରିଲକ୍ଷିତ ହୋଇଛି।

ତଥ୍ୟାନୁସାରେ, ୧ ନମ୍ବର ୱାର୍ଡରେ ଦଳର ହେମନ୍ତ କୁମାର ପାଢ଼ୀ ବିଜୟୀ ହୋଇଛନ୍ତି। ସେ ୬୮୪ ଭୋଟ୍ ପାଇଛନ୍ତି। କିନ୍ତୁ ଏଠାରେ ଅଧ୍ୟକ୍ଷା ପ୍ରାର୍ଥିନୀ ରଞ୍ଜନା ପଣ୍ଡା ୪୫୬ ଭୋଟ୍ ପାଇଛନ୍ତି। ଅନ୍ୟ ଦଳର ପ୍ରାର୍ଥୀଙ୍କ ଠାରୁ ଏହା ଅଧିକ ଥିଲେ ମଧ୍ୟ କାଉନସିଲର ଶ୍ରୀ ପାଢ଼ୀ ପାଇଥିବା ଭୋଟ୍ ଠାରୁ ୨୨୮ କମ୍। ୱାର୍ଡରେ ବିଜେପିର ତନୟା ମିଶ୍ର ୪୨୯ ଭୋଟ୍ ପାଇଛନ୍ତି। ସେହିପରି ୱାର୍ଡ ନମ୍ବର ୨ରେ ଦଳର ଅନୀଲ ମହାପାତ୍ର ୬୫୩ ଭୋଟ୍ ପାଇ ବିଜୟୀ ହୋଇଥିବା ବେଳେ ଅଧ୍ୟକ୍ଷା ପ୍ରାର୍ଥିନୀ ରଞ୍ଜନା ୩୮୪ ଭୋଟ ପାଇଛନ୍ତି। ହେଲେ ବିଜେପିର ତନୟା ମିଶ୍ର ୫୬୨ ଓ ସ୍ବାଧୀନ ପ୍ରାର୍ଥୀ ନିନିମା ପଟେଲ ୫୨୨ ଭୋଟ୍ ପାଇ ରଞ୍ଜନାଙ୍କ ଠାରୁ ଆଗକୁ ଚାଲି ଯାଇଛନ୍ତି। ୱାର୍ଡ ନମ୍ବର ୩ରେ କାଉନସିଲର ମହମ୍ମଦ ଆଝାର ହୁସେନ ୫୧୨ ଭୋଟ ପାଇଛନ୍ତି।

କିନ୍ତୁ ଅଧ୍ୟକ୍ଷା ପ୍ରାର୍ଥିନୀ ଶ୍ରୀମତୀ ପଣ୍ଡା ୪୫୯, ବିଜେପି ପ୍ରାର୍ଥିନୀ ୨୬୫ ଓ ସ୍ବାଧୀନ ୪୩୨ ଭୋଟ୍ ପାଇଛନ୍ତି। ୱାର୍ଡ-୪ରେ  କାଉନସିଲର ଶ୍ବେତାଶେଫାଳି ମୁଣ୍ଡୁ ୩୭୮ ଭୋଟ୍ ପାଇଥିବା ବେଳେ    ଅଧ୍ୟକ୍ଷା ପ୍ରାର୍ଥିନୀ ୧୫୭, ବିଜେପିର ତନୟା ୧୭୪, ସ୍ବାଧୀନ ପ୍ରାର୍ଥୀ ୨୧୮ ଭୋଟ୍ ପାଇଛନ୍ତି। ୱାର୍ଡ-୫ରେ ଦଳର କାଉନସିଲର ଚିରସ୍ମିତା ଯୋଷୀ ୨୮୪ ଭୋଟ୍ ପାଇଛନ୍ତି। ହେଲେ ଦଳର ଅଧ୍ୟକ୍ଷା ପ୍ରାର୍ଥିନୀ ୧୬୦, ବିଜେପିର ତନୟା ୧୭୧, ସ୍ବାଧୀନ ପ୍ରାର୍ଥିନୀ ନିନିମା ୧୬୬ ପାଇଛନ୍ତି। ୱାର୍ଡ-୬ରେ କାଉନସିଲର ଲଲାଟେନ୍ଦୁ ପରିଡ଼ା ୯୫୩ ଭୋଟ୍ ପାଇ ବିପୁଳ ବିଜୟ ହାସଲ କରିଛନ୍ତି। କିନ୍ତୁ ଅଧ୍ୟକ୍ଷା ପ୍ରାର୍ଥିନୀ ଏଠାରେ ୫୩୬, ବିଜେପିର ତନୟା ୫୩୦ ଓ ସ୍ବାଧୀନ ପ୍ରାର୍ଥିନୀ ୫୨୨ ଭୋଟ୍ ପାଇଛନ୍ତି। ୱାର୍ଡ-୭ରେ କାଉନସିଲର ବେଣୁଧର ତାଣ୍ଡିଆ ୫୩୫ ଭୋଟ୍ ପାଇଥିବା ବେଳେ ଅଧ୍ୟକ୍ଷା ପ୍ରାର୍ଥିନୀ ରଞ୍ଜନା ୩୫୧ ଭୋଟ୍ ପାଇଛନ୍ତି। ହେଲେ ବିଜେପିର ତନୟା ମିଶ୍ର ୪୭୨, ସ୍ବାଧୀନ ପ୍ରାର୍ଥିନୀ ୨୦୧ ଭୋଟ୍ ପାଇଛନ୍ତି। ୱାର୍ଡ-୧୪ରେ ଦଳର ଦୁଶିଳା ଦଣ୍ଡସେନା ୩୦୧ ଭୋଟ୍ ପାଇ କାଉନସିଲର ଭାବେ ବିଜୟୀ ହୋଇଛନ୍ତି। କିନ୍ତୁ ଦଳର ଅଧ୍ୟକ୍ଷା ପ୍ରାଥିନୀ ୨୧୦ ଓ ବିଜେପିର ତନୟା ୨୨୮, ସ୍ବାଧୀନ ପ୍ରାର୍ଥିନୀ ୩୦୩ ଭୋଟ୍ ପାଇଛନ୍ତି। ୱାର୍ଡ-୧୫ରେ ଦଳର ସୁଶୀଳା ନାଗ ୯୬୮ ଭୋଟ୍ ପାଇଥିବା ବେଳେ ଅଧ୍ୟକ୍ଷା ପ୍ରାର୍ଥିନୀ ୫୯୭, ସ୍ବାଧୀନ ପ୍ରାର୍ଥିନୀ ୫୧୨ ଓ ବିଜେପି ୪୩୨ ଭୋଟ୍ ପାଇଛନ୍ତି।

ସମ୍ବନ୍ଧିତ ଖବର