ଗୋପ: ଗୋପ ବ୍ଲକ୍ରେ ବହୁ ପ୍ରତିକ୍ଷୀତ ଆଦର୍ଶ ବିଦ୍ୟାଳୟ ପୟରା ପଞ୍ଚାୟତର ନିର୍ଗୁଣ୍ତି ଠାରେ ନିର୍ମାଣ ହେବାକୁ ନିଷ୍ପତ୍ତି ନିଆଯାଇଛି। ପ୍ରଥମେ ଜମି ଖୋଜା ଚାଲିଥିବାବେଳେ ଗୋପ ଅଞ୍ଚଳରେ ଏହି ବିଦ୍ୟାଳୟ ନିମନ୍ତେ ଆବଶ୍ୟକ ଜମି ନମିଳିବାରୁ ପୟରା ପଞ୍ଚାୟତର ନିର୍ଗୁଣ୍ତି ଠାରେ ଥିବା ପ୍ରଶସ୍ତ ଜମିକୁ ବିଭାଗୀୟ ଅନୁମୋଦନ ମିଳିଛି। ଜମି ଚିହ୍ନଟ ନେଇ ବିଳମ୍ବ ହେବାରୁ ଏହି ପ୍ରକଳ୍ପ କାର୍ଯ୍ୟ ବିଳମ୍ବ ହୋଇଥିଲା। ଏବେ ଜମି ସମସ୍ୟା ସମାଧାନ ହେବା ପରେ ପ୍ରକଳ୍ପ କାର୍ଯ୍ୟ ଜୋରଦାର ହେବ ବୋଲି ଗ୍ରାମ୍ୟ ଉନ୍ନୟନ ବିଭାଗ ତରଫରୁ ସୂଚନା ମିଳିଛି। ଏହାକୁ ନେଇ ପୟରା ପଞ୍ଚାୟତର ଲୋକମାନେ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶଙ୍କ ନିକଟରେ କୃତଜ୍ଞତା ପ୍ରକାଶ କରିଛନ୍ତି। ରାଜ୍ୟ ସରକାର କେନ୍ଦ୍ରୀୟ ବିଦ୍ୟାଳୟ ଢାଞ୍ଚାରେ ଏହାର ନିର୍ମାଣ ଓ ଶିକ୍ଷା ପଦ୍ଧତ୍ତି ଲାଗୁ କରିବାକୁ ନିଷ୍ପତ୍ତି ନେବା ସହିତ ଏହା କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦର ସିଲାବସ୍କୁ ଅନୁସରଣ କରିବ ବୋଲି ମଧ୍ୟ ନିଷ୍ପତ୍ତି ନିଆଯାଇଥିଲା।
ଏହା ଦ୍ବାରା ଓଡ଼ିଆ ପଢୁଥିବା ପିଲାମାନେ ପଞ୍ଚମ ପାସ୍ ପରେ ଷଷ୍ଠ ଶ୍ରେଣୀରେ ନାମ ଲେଖାଇ ନବୋଦୟ ବିଦ୍ୟାଳୟ ଭଳି ଇଂରାଜି ମାଧ୍ୟମରେ ପଢିବେ ଏବଂ ସମସ୍ତ ସୁବିଧା ପାଇବେ। ନବୋଦୟ ବିଦ୍ୟାଳୟରେ ଯେପରି ସୁବିଧା ମିଳୁଛି ସେହିଭଳି ସୁବିଧା ମଧ୍ୟ ଏହି ବିଦ୍ୟାଳୟରେ ମିଳିବ ବୋଲି ରାଜ୍ୟ ସରକାରଙ୍କ ଗାଇଡ୍ଲାଇନ୍ରେ ରହିଛି। ସେହି ଅନୁଯାୟୀ ରାଜ୍ୟର କେତେକ ବ୍ଲକ୍ରେ ଏହି ବିଦ୍ୟାଳୟ ପ୍ରତିଷ୍ଠା ହେବା ସହିତ ପାଠପଢା ଚାଲିଥିବା ବେଳେ ଅଦ୍ୟାବଧି ଗୋପ ବ୍ଲକ୍୍ରେ ଜମି ସମସ୍ୟା ଯୋଗୁଁ ଏହା ବିଳମ୍ବ ହେଉଥିଲା। ଚଳିତ ବର୍ଷ ସିବିଏସଇ ଫଳାଫଳରେ ମଧ୍ୟ ଆଦର୍ଶ ବିଦ୍ୟାଳୟ ଅନେକ ସଫଳତା ପାଇଛି ବୋଲି ମନ୍ତ୍ରୀ ଶ୍ରୀଯୁକ୍ତ ଦାଶ ନିଜ ପ୍ରତିକ୍ରିୟାରେ କହିଥିବା ବେଳେ ଏହାର ସଫଳତାକୁ ନେଇ ରାଜ୍ୟରେ ପଢୁଥିବା ଓଡ଼ିଆ ମାଧ୍ୟମ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଏହି ବିଦ୍ୟାଳୟରେ ପଢିବାକୁ ଉତ୍ସୁକତାର ସହିତ ଚାହିଁ ବସି ରହିଛନ୍ତି। ଗୋପ ବ୍ଲକ୍ରେ ଆଦର୍ଶ ବିଦ୍ୟାଳୟ ତୁରନ୍ତ ପ୍ରତିଷ୍ଠା ଏବଂ କାର୍ଯ୍ୟକାରୀ ହେବାକୁ ନେଇ ଅନେକ ବାର ବୁଦ୍ଧିଜୀବୀମାନେ ଦାବି କରିଥିବାବେଳେ ଏହା ଏବେ ସାକାର ହେବାକୁ ଯାଉଛି ବୋଲି ପୟରା ପଂଚାୟତର ସରପଞ୍ଚ ନିରୂପମା ନାୟକ କହିଛନ୍ତି। ମନ୍ତ୍ରୀ ଶ୍ରୀ ଦାଶ ଚିହ୍ନିତ ସ୍ଥାନ ପରିଦର୍ଶନ କରିବା ସହିତ ଗ୍ରାମ୍ୟ ଉନ୍ନୟନ ବିଭାଗର ବରିଷ୍ଠ ଯନ୍ତ୍ରୀମାନେ ଉପସ୍ଥିତ ରହି ମନ୍ତ୍ରୀଙ୍କୁ ଉକ୍ତ ସ୍ଥାନ ବିଷୟରେ ଅବଗତ କରି ବହୁତ ଶୀଘ୍ର ଭିତ୍ତିପ୍ରସ୍ତର ସ୍ଥାପନ ସହିତ ଉକ୍ତ କାର୍ଯ୍ୟ ଆରମ୍ଭ କରିବାକୁ ମଧ୍ୟ ସୂଚନା ଦେଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/08/sfhsffhsfhs4fhsf4h65sf4h65sshfsfhsfh.jpg)