ନୂଆପଡ଼ା: ନୂଆପଡ଼ା ଜିଲ୍ଲାରେ ପୁଣି କଲରାପତରିଆ, ଭାଲୁ ଆକ୍ରମଣ ଘଟଣା ସାମ୍ନାକୁ ଆସିଲାଣି। ନୂଆପଡ଼ା ରେଞ୍ଜ ଧରମବନ୍ଧା ସେକ୍ସନ ଅଧୀନ ମୋଟା ନୂଆପଡ଼ା ପଞ୍ଚାୟତ ତୋର୍ରରା ଗାଁରେ ଏକ ବାଛୁରିକୁ କଲରାପତରିଆ ବାଘ ଶିକାର କରିଛି। ତୋର୍ରରା ଗାଁର ଇଦୁ ଉଜିରଙ୍କ ବାଛୁରି ସୋମବାର ନିକଟ ଜଙ୍ଗଲକୁ ଚରିବାକୁ ଯାଇଥିଲା। ରାତିରେ ବାଛୁରିଟି ଘରକୁ ଫେରି ନଥିଲା। ମଙ୍ଗଳବାର ପୂର୍ବାହ୍ନରେ ଗାଁ ନିକଟ ଚାଷଜମିରେ ବାଛୁରିର ମୃତଦେହ ପଡ଼ିଥିଲା। ଘଟଣାସ୍ଥଳରେ ବାଘର ପାଦଚିହ୍ନ ରହିଥିବା ବେଳେ ପାରିପାର୍ଶ୍ବିକ ସ୍ଥିତିରୁ ବାଛୁରିକୁ କଲରାପତରିଆ ବାଘ ମାରି ଖାଇଥିବା ଲୋକେ ଅନୁମାନ କରିଥିଲେ। ମଧ୍ୟାହ୍ନରେ ଆମାନେରା ପ୍ରାଣୀ ଚିକିତ୍ସା ବିଭାଗର ଭିଟି ସୁରେଶ ପ୍ରଧାନ, ଫରେଷ୍ଟ ଗାର୍ଡ ଦୀପା ସାହୁ ଘଟଣାସ୍ଥଳରେ ପହଞ୍ଚିଥିଲେ। ମୃତ ବାଛୁରିର ବ୍ୟବଚ୍ଛେଦ ପରେ ପୋତି ଦିଆଯାଇଥିଲା। ଗତ ଏକ ବର୍ଷ ଭିତରେ କଲରାପତରିଆ ୩ ମଣିଷ ଓ ୩୦ରୁ ଅଧିକ ଗାଈ ଓ ବାଛୁରିକୁ ମାରି ଖାଇଲାଣି।

Advertisment

ଅନ୍ୟ ଏକ ଘଟଣାରେ ନୂଆପଡ଼ା ସହରରେ ମଙ୍ଗଳବାର ଭୋର୍‌ରେ ଭାଲୁ ଆକ୍ରମଣରେ ଦୁଇ ଜଣ ସଫେଇ କର୍ମଚାରୀଙ୍କ ସହ ୩ ଜଣ ମହିଳାଙ୍କ ଅବସ୍ଥା ଗୁରୁତର ରହିଛି। ସେମାନେ ହେଲେ, ଗୀତ ନେତାମ(୪୦), ହୀନା ସୁନାନୀ (୩୦) ଓ ମୁଖୀ ମହାରଣା (୫୬)। ଗତ ଚାରି ଦିନ ହେଲା ନୂଆପଡ଼ା ସହରରେ ଏକ ଭାଲୁ ଘୂରି ବୁଲୁଛି। ମଙ୍ଗଳବାର ସକାଳେ ସ୍ଥାନୀୟ ଏସ୍‌ପି ଅଫିସ୍‌ ସମ୍ମୁଖ ସିଂକଲୋନିର ମୁଖୀ ମହାରଣା ଫୁଲ ତୋଳିବାକୁ ଯାଇଥିବା ସମୟ​ରେ ଭାଲୁ ତାଙ୍କୁ ଆକ୍ରମଣ କରିଥିଲା। ପରିବାର ଲୋକେ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ମହିଳାଙ୍କ କାନ ଓ ପେଟରେ ଗଭୀର କ୍ଷତ ​ହୋଇଛି। ମହିଳାଙ୍କ ପରିବାର ଲୋକେ ଭାଲୁକୁ ଘଉଡ଼ାଇବାରୁ ଜାତୀୟ ରାଜପଥ ୩୫୩ ଉପରକୁ ଚାଲି ଆସିଥିଲା। ସେଠାରେ ଏନ୍‌ଏସିର ସଫେଇ କର୍ମଚାରୀ ସଫେଇ କାମ କରୁଥିଲେ। ସଫେଇ କର୍ମଚାରୀ ଗୀତ ନେତାମ(୪୦) ଓ ହୀନା ସୁନାନୀ(୩୦)ଙ୍କୁ ଭାଲୁ ଆକ୍ରମଣ କରି ଲହୁଲୁହାଣ କରିଥିଲା। ଉଭୟଙ୍କୁ ଡାକ୍ତରଖାନାରେ ଚିକିତ୍ସା କରାଯାଇଛି। ୪ ଦିନ ହେଲା ଭାଲୁ ଏହି ଅଞ୍ଚଳରେ ଘୂରି ବୁଲୁଥିବାରୁ ଲୋକେ ଘରୁ ବାହାରିବାକୁ ବିଶେଶ କରି ପ୍ରାତଃଭ୍ରମଣ ଓ ସାନ୍ଧ୍ୟଭ୍ରମଣରେ ଯିବାକୁ ଭୟ କରୁଛନ୍ତି।