ଗୋଟିଏ ଦିନରେ ପୁରୀରେ ୨୧ କରୋନା ଆକ୍ରାନ୍ତ ଚିହ୍ନଟ

ପୁରୀ: ପୁରୀରେ ଆଜି ସକାଳ ସୁଦ୍ଧା କରୋନା ଆକ୍ରାନ୍ତ ସଂଖ୍ୟା ଶୂନ୍ୟ ରହିଥିବାରୁ ଟିକିଏ ଆଶ୍ବସ୍ତି ମିଳିଥିଲା। ମାତ୍ର ପୁଣି ଥରେ ଆଜି ସନ୍ଧ୍ୟାରେ ୨୧ କରୋନା ଆକ୍ରାନ୍ତ ହୋଇଥିବା ଜଣାପଡ଼ିବା ପରେ ବୁଦ୍ଧି ହଜିଯାଇଛି। ପୁରୀର ସବୁଠାରୁ ଜନବହୁଳ ଏବଂ ବଡ଼ ବସ୍ତି ପେଣ୍ଠକଟାରେ ଗୋଟିଏ ଦିନରେ ୧୧ ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜଣାପଡ଼ିଛି। ତେବେ ଏନେଇ ସରକାରୀ ଘୋଷଣା ହୋଇନଥିବା ବେଳେ ଏକ ନିର୍ଭରଯୋଗ୍ୟ ସୂତ୍ରରୁ ଏହା ଜଣାପଡ଼ିଛି।

ପେଣ୍ଠକଟା ବସ୍ତିରେ ଏତେ ସଂଖ୍ୟକ ଆକ୍ରାନ୍ତ ବଢ଼ିବା ପୁରୀ ପାଇଁ ବିସ୍ଫୋରକ ପରିସ୍ଥିତି ସୃଷ୍ଟି କରିବ ବୋଲି ଆଶଙ୍କା କରାଯାଉଛି। ଏହି ସୂଚନା ପରେ ଜିଲ୍ଲା ପ୍ରଶାସନର ଆଜି ନିଦ ହଜି ଯାଇଛି। ଆସନ୍ତାକାଲି ପୁରୀ ସହର ପାଇଁ ଜିଲ୍ଲା ପ୍ରଶାସନ ଏକ ବଡ଼ ନିଷ୍ପତ୍ତି ନେବେ ବୋଲି ଜଣାପଡ଼ିଛି। ଦରକାର ପଡ଼ିଲେ ପୁରୀକୁ ଲକ୍‌ଡାଉନ କରିଦିଆଯାଇପାରେ ବୋଲି ଚର୍ଚ୍ଚା ହେଉଛି। ପେଣ୍ଠକଟା ବସ୍ତିରେ ରହୁଥିବା ମତ୍ସ୍ୟଜୀବୀମାନେ ତେଲେଙ୍ଗାନା ଓ ଆନ୍ଧ୍ରକୁ ଡଙ୍ଗା ଯୋଗେ ଯାତାୟତ କରୁଥିବାରୁ ଏଭଳି ପରିସ୍ଥିତି ସୃଷ୍ଟି ହେଇଛି। ଗତ ଦିନରେ ଏକ ଗାଡ଼ିରେ ମଧ୍ୟ ମତ୍ସ୍ୟଜୀବୀମାନେ ଏଠାକୁ ଆସୁଥିବାର ଜଣାପଡ଼ିବା ପରେ ଏହି ବସ୍‌ଟିକୁ ସମୁଦ୍ରକୂଳ ଥାନା ପୁଲିସ ଜବତ କରିଥିଲା। ମାତ୍ର ସେଥିରେ ଥିବା ଯାତ୍ରୀମାନଙ୍କୁ ପୁଲିସ ଏ ପର୍ଯ୍ୟନ୍ତ ଠାବ କରିପାରି ନାହିଁ। ଆସନ୍ତାକାଲିଠାରୁ ପେଣ୍ଠକଟା ବସ୍ତିକୁ ଅବରୋଧ କ୍ଷେତ୍ର କରିବା ପାଇଁ ପ୍ରଶାସନ ଯୋଜନା କରୁଛି।

ସେହିପରି ପୁରୀ ବାସେଳି ସାହି ଥାନା ପୁଲିସ ଗିରଫ କରିଥିବା ଜଣେ ଅଭିଯୁକ୍ତ କରୋନା ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି। ଏହି ଅଭିଯୁକ୍ତ ଜଣକ ମଶାଣିଚଣ୍ଡୀ ମନ୍ଦିର ପଛପଟେ ଦେଶୀ ମଦ ବିକ୍ରି କରୁଥିବା ବେଳେ ବାସେଳି ସାହି ଥାନା ପୁଲିସ ସେଠାରେ ଚଢ଼ଉ କରି ଗିରଫ କରିଥିଲା। ଅଭିଯୁକ୍ତ ଜଣକ କରୋନା ଆକ୍ରାନ୍ତ ହୋଇଥିବା ଜଣାପଡ଼ିବା ପରେ ବାସେଳି ସାହି ଥାନା କର୍ମଚାରୀମାନଙ୍କୁ ଏବେ ସଙ୍ଗରୋଧରେ ଯିବାକୁ ହେବ ବୋଲି ଚର୍ଚ୍ଚା ହେଉଛି। ପୁରୀ ପୌରସଂସ୍ଥାର ଡାକ୍ତରଖାନାର ଜଣେ ଡାକ୍ତରଙ୍କୁ କରୋନା ଆକ୍ରାନ୍ତ ହୋଇଥିବା ନେଇ ଆଜି ଖବର ମିଳିଛି। ଏହା ବ୍ୟତୀତ ୨୬ ନମ୍ବର ୱାର୍ଡ ସମେତ ୨୮, ୨୯, ୧୮ ନମ୍ବର ୱାର୍ଡରେ ଜଣେ ଲେଖାଏଁ କରୋନା ଆକ୍ରାନ୍ତ ହୋଇଥିବା ବେଳେ ୩୨ ନମ୍ବର ୱାର୍ଡର ଦୁଇ ଜଣ କରୋନା ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି। ସେହିପରି ବାଲିସାହିର ଜଣେ, ଲବଣୀଖିଆ ଛକର ଜଣେ, କୁଣ୍ଢେଇବେଣ୍ଟ ସାହିର ଜଣେ ଏବଂ ଗୁଣ୍ଡିଚା ବିହାରର ଜଣେ କରୋନା ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର