ବାରିପଦା: ମୟୂରଭଞ୍ଜ ଜିଲ୍ଲାର ୫୬ଟି ଜିଲ୍ଲା ପରିଷଦ ଆସନ ମଧ୍ୟରୁ ଏଥର ଅନେକ ସ୍ଥାନରେ ବଡ଼ ବଡ଼ ନେତାଙ୍କ ପରିବାର ସଦସ୍ୟ ନିର୍ବାଚନ ରଣାଙ୍ଗନକୁ ଓହ୍ଲାଇଛନ୍ତି। କେଉଁଠି ପୂର୍ବତନ ମନ୍ତ୍ରୀ, କେଉଁଠି ସାଂସଦ ଆଉ କେଉଁଠି ବିଧାୟକଙ୍କ ନିକଟତମ ଆତ୍ମୀୟ ଦଳୀୟ ଟିକେଟ୍ରେ ନିର୍ବାଚନ ଲଢ଼ୁଛନ୍ତି। ରାଜନୀତିରେ ପରିବାରବାଦ ଏକ ଖରାପ ପରମ୍ପରା ବୋଲି କୁହାଯାଏ। ତେବେ ମୟୂରଭଞ୍ଜ ପରି ଆଦିବାସୀ ଅଧ୍ୟୁଷିତ ଜିଲ୍ଲା ମଧ୍ୟ ଏଥିରୁ ବାଦ୍ ପଡ଼ିନାହିଁ।
ବର୍ତ୍ତମାନ ସାରସକଣା ନିର୍ବାଚନ ମଣ୍ଡଳୀରୁ ବିଜେପି ବିଧାୟକ ଅଛନ୍ତି ଡାକ୍ତର ବୁଢ଼ାନ୍ ମୁର୍ମୁ। ସକ୍ରିୟ ରାଜନୀତିକୁ ଆସିବା ପାଇଁ ଡାକ୍ତର ଚାକିରି ଛାଡ଼ି ଦେଇଥିଲେ ଶ୍ରୀ ମୁର୍ମୁ। ଏବେ ତାଙ୍କ ପତ୍ନୀ ଚମ୍ପା ମୁର୍ମୁ ନିର୍ବାଚନୀ ମଇଦାନରେ। ସେ କୁଳିଅଣା ବ୍ଲକ୍ର ୯ ନମ୍ବର ଜୋନ୍ରୁ ଜିଲ୍ଲା ପରିଷଦ ପ୍ରାର୍ଥୀ ଭାବେ ନାମାଙ୍କନପତ୍ର ଦାଖଲ କରିଛନ୍ତି। ରାଜନୈତିକ ପରିବାରରୁ ଆସିଥିବା ଆଉ ଜଣେ ପ୍ରାର୍ଥୀ ହେଲେ ସୁବାସିନୀ ନାୟକ। ସେ ହେଉଛନ୍ତି ପୂର୍ବତନ ମନ୍ତ୍ରୀ ଗୋଲକ ବିହାରୀ ନାୟକଙ୍କ ପତ୍ନୀ। ଗୋଲକ ୨୦୦୪ ନିର୍ବାଚନରେ ବିଜେପି-ବିଜେଡି ମେଣ୍ଟ ସରକାରରେ ମନ୍ତ୍ରୀ ଥିଲେ। ପରବର୍ତ୍ତୀ ସମୟରେ ବିଜେଡି ଟିକେଟ୍ରୁ ଉଦଳାରୁ ବିଧାୟକ ମଧ୍ୟ ହୋଇଥିଲେ। ତେବେ ଶାରୀରିକ ଅସୁସ୍ଥତା ପାଇଁ ସେ ଏବେ ସକ୍ରିୟ ରାଜନୀତିରୁ ଦୂରେଇ ଯାଇଛନ୍ତି। ତାଙ୍କ ଶିକ୍ଷୟିତ୍ରୀ ପତ୍ନୀ ସୁବାସିନୀ ଚାକିରିରୁ ସ୍ବେଚ୍ଛାକୃତ ଅବସର ନେଇ ବର୍ତ୍ତମାନ ବଡ଼ସାହି ବ୍ଲକ୍ ୨୩ ନମ୍ବର ଜୋନ୍ରୁ ଜିଲ୍ଲା ପରିଷଦ ପ୍ରାର୍ଥୀ ହୋଇଛନ୍ତି।
ବହଳଦା ବ୍ଲକ୍ ୨୬ ନମ୍ବର ଜୋନ୍ର ଜିଲ୍ଲା ପରିଷଦ ପ୍ରାର୍ଥୀ ସୂର୍ଯ୍ୟମଣି ହାଁସଦା ହେଉଛନ୍ତି ରାଇରଙ୍ଗପୁରର ପୂର୍ବତନ ବିଜେଡି ବିଧାୟକ ସାଇବା ସୁଶିଲ ହାଁସଦାଙ୍କ ଝିଆରୀ। ସାଇବା ଏବେ ଝିଆରୀ ସପକ୍ଷରେ ଭୋଟରଙ୍କ ସମର୍ଥନ ଜୁଟାଇବାରେ ବ୍ୟସ୍ତ। ସେମିତି ରାଜସ୍ବମନ୍ତ୍ରୀ ସୁଦାମ ମାରାଣ୍ଡି। ସୁଦାମଙ୍କ ଭାଇ ସୁବୋଧ ମାରାଣ୍ଡି ବାଙ୍ଗରିପୋଷି ବ୍ଲକ୍ର ପୂର୍ବତନ ଅଧ୍ୟକ୍ଷ ଥିଲେ। ବର୍ତ୍ତମାନ ତାଙ୍କ ପତ୍ନୀ ଗୀତାଞ୍ଜଳି ହେମ୍ବ୍ରମ୍ ନିଜ ପଞ୍ଚାୟତ ଭୁଆଁଶୁଣିରୁ ସମିତି ସଭ୍ୟା ଆସନ ପାଇଁ ଲଢ଼ୁଛନ୍ତି। କେବଳ ସେତିକି ନୁହେଁ, ମନ୍ତ୍ରୀ ଶ୍ରୀ ମାରାଣ୍ଡିଙ୍କ ସଡ଼ୁ ବିଶ୍ୱନାଥ ହେମ୍ବ୍ରମ୍ ମଧ୍ୟ ୩୫ ନମ୍ବର ଜୋନ୍ ଜିଲ୍ଲା ପରିଷଦ ଆସନରୁ ପ୍ରାର୍ଥୀ। ବିଶ୍ୱନାଥ ରେଭେନ୍ସା ବିଶ୍ୱବିଦ୍ୟାଳୟରୁ ସ୍ନାତକୋତ୍ତର କରିଛନ୍ତି। ଛାତ୍ର ଜୀବନରୁ ରାଜନୀତି ଆରମ୍ଭ କରିଥିବା ବିଶ୍ଵନାଥ ପୂର୍ବରୁ ମଧ୍ୟ ଜିଲ୍ଲା ପରିଷଦ ସଦସ୍ୟ ରହିଥିଲେ। ଏମାନଙ୍କ ବ୍ୟତୀତ ଅନେକ ପ୍ରତିଷ୍ଠିତ ରାଜନେତା ନିଜ ସମ୍ପର୍କୀୟମାନଙ୍କୁ ନିର୍ବାଚନୀ ମଇଦାନକୁ ଆଣି ପରୋକ୍ଷରେ ଗୋଟି ଚଳାଇବାକୁ ଉଦ୍ୟମ କରୁଛନ୍ତି।