ନୀଳଗିରି: ନୀଳଗିରି ବ୍ଲକ୍‌ ଅଧୀନ ଅଯୋଧ୍ୟା ଗ୍ରାମର କାର୍ତ୍ତିକ ସିଂ ଗତ ୨ ତାରିଖ ଦିନ ମୟୂରଭଞ୍ଜ ଜିଲ୍ଲା ଦାସୀପୁର ଗ୍ରାମର ଜଗା ସିଂ ନାମକ ଜଣେ ଠିକାଦାରଙ୍କ ସହ ଗୁଜୁରାଟର ରାଜକୋଟସ୍ଥିତ ଏକ ଘରୋଇ କମ୍ପାନିରେ କାମ କରିବା ପାଇଁ ଯାଇଥିଲେ। ଘରେ ଥିଲେ ପତ୍ନୀ ଓ ୩ ପିଲା। ସେମାନଙ୍କ ମୁହଁକୁ ଦାନା ଦେବାକୁ ଯାଇ ରାଜକୋଟରେ ଆଖି ବୁଜିଛନ୍ତି କ‌ାର୍ତ୍ତିକ। ସେଠାରୁ ଏକ ଘରୋଇ ଆମ୍ବୁଲାନ୍ସ ଯୋଗେ ଠିକାଦାର ଜଗା ଓ ଦୁଇଜଣ ସାଥୀ ଆଜି ଅପରାହ୍ନରେ ଜଗାଙ୍କ ମରଶରୀର ଧରି ଗାଁ’ରେ ପହଞ୍ଚିଥିଲେ। ପରିବାର ଲୋକ କ‌ାର୍ତ୍ତିକଙ୍କ ମୃତ୍ୟୁ ସଂପର୍କରେ କିଛି ଜାଣି ନଥିଲେ। ହଠାତ୍‌ କାର୍ତ୍ତିକଙ୍କ ମରଶରୀର ଦେଖି ପରିବାର ଲୋକ ଓ ଗ୍ରାମବାସୀ ଅବାକ୍‌ ହୋଇ ଯାଇଥିଲେ। କେମିତି ସ୍ବାମୀଙ୍କ ଦେହାନ୍ତ ହେଲା ବୋଲି ସ୍ତ୍ରୀ ସୁଭଦ୍ରା ପଚାରିବାରୁ ଜଗା କୌଣସି ସନ୍ତୋଷଜନକ ଉତ୍ତର ଦେଇ ପାରି ନଥିଲେ। ଏନେଇ ନୀଳଗିରି ଥାନାରେ ଜଗାଙ୍କ ନାମରେ ହତ୍ୟା ଅଭିଯୋଗ କରିଥିଲେ ସୁଭଦ୍ରା। ନୀଳଗିରି ପୁଲିସ ପହଞ୍ଚି ଠିକାଦାରଙ୍କ ସମେତ ଦୁଇ ସାଥୀଙ୍କୁ ଅଟକ ରଖି ପଚରାଉଚୁରା ଜାରି ରଖିଛି।

Advertisment

ତେବେ ଆମ୍ବୁଲାନ୍ସ ଡ୍ରାଇଭରଙ୍କ କହିବା ଅନୁଯାୟୀ; ଦୁଇଦିନ ତଳେ କାର୍ତ୍ତିକ କମ୍ପାନିକୁ ଯିବା ସମୟରେ କିଛି ଦୁର୍ବୃତ୍ତ ତାଙ୍କୁ ଆକ୍ରମଣ କରି ପିଟି ପିଟି ହତ୍ୟା କରିଥିଲେ। ଏହି ମାମଲାରେ ରାଜକୋଟ ପୁଲିସ ୪ ଜଣ ଅଭିଯୁକ୍ତଙ୍କ ମଧ୍ୟରୁ ୩ ଜଣଙ୍କୁ ଗିରଫ କରିଛି। ରାଜକୋଟର ଏକ ଘରୋଇ ଡାକ୍ତରଖାନାରେ କାର୍ତ୍ତିକଙ୍କ ଶବ ବ୍ୟବଚ୍ଛେଦ ହୋଇ ଓଡ଼ିଶା ଅଣାଯାଇଛି। ତେବେ ଉକ୍ତ କଥାରେ କେତେ ସତ୍ୟତା ରହିଛି, ତାହା ଜାଣିବା ପାଇଁ ନୀଳଗିରି ପୁଲିସ ଖୋଳତାଡ଼ ଆରମ୍ଭ କରିଛି।