ରାଜନଗରରେ କଂଗ୍ରେସ-ବିଜେପି ଏକାଠି ଲଢ଼ିବା ପ୍ରଶ୍ନ ଉଠୁନାହିଁ: ଅଂଶୁମାନ

ରାଜନଗର: କେନ୍ଦ୍ରାପଡା ଜିଲ୍ଲା ରାଜନଗର ଅଞ୍ଚଳରେ ପଞ୍ଚାୟତ ସମିତି ସଭ୍ୟ ଓ ସରପଞ୍ଚ ପଦ ପାଇଁ ନିର୍ବାଚନରେ କଂଗ୍ରେସ-ବିଜେପି ଏକାଠି ଲଢିବା ଖବରକୁ ସଂପୂର୍ଣ୍ଣ ଅମୂଳକ, ଭୁଲ୍ ତଥା ବିଭ୍ରାନ୍ତିକର ବୋଲି କହିଛନ୍ତି ଅଞ୍ଚଳର କଂଗ୍ରେସ ନେତୃବୃନ୍ଦ। ପୂର୍ବତନ ବିଧାୟକ ତଥା କେନ୍ଦ୍ରାପଡା ଜିଲ୍ଲା କଂଗ୍ରେସ ସଭାପତି ଅଂଶୁମାନ ମହାନ୍ତି କହିଛନ୍ତି ଯେ ରାଜନଗର ଅଞ୍ଚଳରେ କଂଗ୍ରେସର ସ୍ଥିତି ବେଶ୍ ସୁଦୃଢ ଅଛି। କଂଗ୍ରେସ ଦଳ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଦୁର୍ନୀତି, ଭ୍ରଷ୍ଟାଚାର ଓ ବ୍ୟଭିଚାରକୁ ପ୍ରସଙ୍ଗ କରି ଲୋକଙ୍କ ନିକଟରେ ପହଞ୍ଚୁଛି। ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଫଳତାକୁ ପ୍ରସଙ୍ଗ କରି କଂଗ୍ରେସ ଲୋକଙ୍କ ପାଖକୁ ଭୋଟ ବେଳେ ଯିବ। ତେଣୁ ତଥ୍ୟ ନଥାଇ ବିଜେପି ଓ କଂଗ୍ରେସ ଏକାଠି ଲଢିବା ଖବର ମିଛ ତଥା ବିଭ୍ରାନ୍ତିକର ବୋଲି ଶ୍ରୀ ମହାନ୍ତି କହିଛନ୍ତି। ଅଞ୍ଚଳର କଂଗ୍ରେସ ନେତା ମାଧବଚନ୍ଦ୍ର ମାନ୍ନା ଏଭଳି କହିଛନ୍ତି ବୋଲି ଯେଉଁ ଖବର ପ୍ରକାଶ ପାଇଛି, ତାହାକୁ ଶ୍ରୀ ମାନ୍ନା ମଧ୍ୟ ଖଣ୍ଡନ କରିଛନ୍ତି ବୋଲି ଶ୍ରୀ ମହାନ୍ତି ତାଙ୍କର ଲିଖିତ ସ୍ପଷ୍ଟୀକରଣରେ ଉଲ୍ଲେଖ କରିଛନ୍ତି।

ଅନ୍ୟପଟେ ପୂର୍ବତନ ସରପଂଚ ତଥା କଂଗ୍ରେସର ଅଞ୍ଚଳର ବରିଷ୍ଠ ନେତା ମାଧବଚନ୍ଦ୍ର ମାନ୍ନା ମଧ୍ୟ ସେ ଏଭଳି କୌଣସି ମନ୍ତବ୍ୟ ଦେଇ ନାହାନ୍ତି ବୋଲି ପ୍ରତିବାଦପତ୍ରରେ ଉଲ୍ଲେଖ କରିଛନ୍ତି। ତାଙ୍କ ନାମରେ ଏଭଳି ଖବର ପ୍ରକାଶ ସଂପୂର୍ଣ୍ଣ ଭୁଲ, ବିଭ୍ରାନ୍ତିକର ତଥା ଉଦ୍ଦେଶ୍ୟମୂଳକ ବୋଲି ଶ୍ରୀ ମାନ୍ନା ନିଜର ପ୍ରତିବାଦପତ୍ରରେ ଉଲ୍ଲେଖ କରିଛନ୍ତି।
ସୂଚନାଯୋଗ୍ୟ ଯେ ଗଲା ୩ ତାରିଖରେ ରାଜନଗରରେ ପଂଚାୟତ ନିର୍ବାଚନ ବିଜେପି-କଂଗ୍ରେସ ଏକାଠି ଲଢିବା ସମ୍ଭାବନାକୁ ନେଇ ପୂର୍ବତନ ବିଧାୟକ ତଥା ବିଜେପି ନେତା ଅଲେଖ ଚନ୍ଦ୍ର ଜେନା ଓ କଂଗ୍ରେସ ନେତା ମାଧବଚନ୍ଦ୍ର ମାନ୍ନାଙ୍କ ମତ ଆଧାରରେ ‘ସମ୍ବାଦ’ରେ ଏକ ଖବର ପ୍ରକାଶ ପାଇଥିଲା। ଶ୍ରୀ ମାନ୍ନା ଏଭଳି ପ୍ରସ୍ତାବ ଦେଉଛନ୍ତି ବୋଲି ଅଲେଖ ଜେନା କହିଥିବା ବେଳେ ୯ଟି ପଂଚାୟତରେ ଏଭଳି ନିଷ୍ପତ୍ତି ଗ୍ରହଣ କରାଯାଇଥିବା ଶ୍ରୀ ମାନ୍ନା କହିଛନ୍ତି ବୋଲି ଖବରରେ ଉଲ୍ଲେଖ ଥିଲା। କିନ୍ତୁ ସେହି ଖବରକୁ କଂଗ୍ରେସ ପକ୍ଷରୁ ଶ୍ରୀ ମାନ୍ନା ଓ ଶ୍ରୀ ମହାନ୍ତି ଆଜି ଖଣ୍ଡନ କରିଛନ୍ତି।

ସମ୍ବନ୍ଧିତ ଖବର