କେସିଙ୍ଗା: କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ଶାନ୍ତପୁର ପଞ୍ଚାୟତ ଧ୍ରୁକୁଟି ଗାଁର ଫକିର ନିଆଲ ନାମକ ଜଣେ ବିବାହିତ ଯୁବକ ଗତ ଶନିବାର ଜଣେ କିନ୍ନରଙ୍କୁ ବିବାହ କରିଥିଲେ। ଫକିରଙ୍କ ପତ୍ନୀ କୁନି ସାମାଜିକ ବାଧା ସତ୍ୱେ ନିଜେ ସ୍ବାମୀଙ୍କୁ ଜଣେ କିନ୍ନରଙ୍କ ସହ ବିବାହ କରାଇବା ଘଟଣା ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଛି। ତେବେ ନିଜ କୋମଳମତି ଶିଶୁର ଭବିଷ୍ୟତ, ପରିବାର ସହ ନିଜର ଭବିଷ୍ୟତକୁ ସୁରକ୍ଷିତ ରଖିବା ଏବଂ ନିଜ ସ୍ୱାମୀଙ୍କ ଭଲ ପାଇବାକୁ ସମ୍ମାନ ଜଣାଇ କୁନି ସହମତି ପ୍ରକାଶ କରିଥିବା ଆଜି ଏକ ସାକ୍ଷାତକାରରେ ପ୍ରକାଶ କରିଛନ୍ତି। ତାଙ୍କ କହିବା ହେଲା, ସ୍ବାମୀଙ୍କୁ ଜଣେ କିନ୍ନରଙ୍କ ସହ ବିବାହ କରିବା ନିଷ୍ପତ୍ତି ବଡ଼ କଷ୍ଟଦାୟକ ଓ କଠୋର ଥିଲା। ହେଲେ ସ୍ବାମୀଙ୍କ ପ୍ରେମକୁ ବିରୋଧ କରି ଠିଆହେଲେ ସେ ସବୁଦିନ ପାଇଁ ବେସାହାରା ହୋଇଯିବେ।
ଏଣୁ ସ୍ତ୍ରୀ ନୁହେଁ ବରଂ ଗୋଟିଏ ଛୁଆର ଭବିଷ୍ୟତ ପାଇଁ ମା’ ହିସାବରେ ସେ ଏହି ନିଷ୍ପତ୍ତି ନେଇଥିବା କହିଛନ୍ତି। ଏଥିପାଇଁ ତାଙ୍କୁ ସମାଜ ଏବଂ ଗାଁରେ ବିରୋଧ ସହିବାକୁ ପଡ଼ିଛି। ଅନ୍ୟପକ୍ଷରେ ସ୍ବାମୀ ଓ କିନ୍ନର ସଂଗୀତା ଉଭୟେ ବାହା ନହେଲେ ଆତ୍ମହତ୍ୟା କରିବାକୁ ଜିଦ୍ ଧରିଥିଲେ। ଫଳରେ ସେ ନିଜ ସ୍ୱାର୍ଥକୁ ଜଳାଞ୍ଜଳି ଦେଇ ଏହି ନିଷ୍ପତ୍ତି ନେବାକୁ ବାଧ୍ୟ ହୋଇଛନ୍ତି। ସବୁଠୁ ଆଶ୍ଚର୍ଯ୍ୟ କଥା ଏହି ପ୍ରେମ ସମ୍ପର୍କ ଜାଣିବା ପରେ ସଙ୍ଗୀତା କିନ୍ନର, ସ୍ୱାମୀ ଫକିର ଓ ଛୁଆ ୧ ବର୍ଷ ଏକା ସାଙ୍ଗରେ ରହି ମନ ମିଶିବା ପରେ ଏହି ନିଷ୍ପତ୍ତି ନେଇଥିବା କୁନି କହିଛନ୍ତି। ବାପା-ମା’ ଛେଉଣ୍ଡ କୁନି ଗତ ୫ ବର୍ଷ ତଳେ ଫକିରଙ୍କୁ ବିବାହ କରିଥିଲେ। ଦେଢ଼ ବର୍ଷ ତଳେ ତାଙ୍କର ଏକ ପୁଅ ଜନ୍ମ ହୋଇଥିଲା। ଏହି ସମୟ ଭିତରେ ଗତ ୧ ବର୍ଷ ତଳେ ଫକିର ଓ ସଂଗୀତାଙ୍କ ପ୍ରେମ ଆରମ୍ଭ ହୋଇଥିଲା।
ଯାହାକୁ ସ୍ୱାମୀ ଲୁଚାଇଥିଲେ। ଫୋନ ଆସିଲେ ଅନ୍ୟପଟକୁ ତାଙ୍କ ସ୍ବାମୀ ଯାଇ କଥା ହେବାରୁ ସେ ସନ୍ଦେହ କରିଥିଲେ। ସେହି ନମ୍ବରକୁ ଫୋନ କଲେ ଉତ୍ତର କିଛି ଆସୁନଥିଲା। ପରେ ସବୁକଥା ଜାଣିବା ପରେ କୁନି ସଂଗୀତାଙ୍କୁ ଫୋନ କରି ବୁଝାଇ ସବୁ କଥା ଅସୁଲି କରିଥିଲେ। ଏହା ଜାଣିବା ପରେ କୁନି ଭାଙ୍ଗି ପଡ଼ିଥିଲେ। ତଥାପି ଧୈର୍ଯ୍ୟ ନହରାଇ ସ୍ୱାମୀଙ୍କୁ ସବୁ ସତ କହିବାକୁ ବାଧ୍ୟ କରାଇଥିଲେ। ପ୍ରଥମେ ସେ ଏଭଳି ସମ୍ପର୍କରୁ ନିବୃତ୍ତ ପାଇଁ ବୁଝାଇ ଥିଲେ। ପରେ କୁନି ସବୁ ବୁଝିବା ପରେ ସ୍ୱାମୀଙ୍କ ପ୍ରେମକୁ ସ୍ୱୀକୃତି ଦେଇ କିନ୍ନରଙ୍କୁ ନିଜ ଘରକୁ ଆଣିବାକୁ ରାଜି ହୋଇଥିଲେ। ବର୍ତ୍ତମାନ ତିନିଜଣ ଯାକ ଖୁସିରେ ରହୁଥିବା କହିଛନ୍ତି। ଅନ୍ୟପକ୍ଷରେ କୁନିଙ୍କ ବିଶାଳ ହୃଦୟ ଦେଖି କିନ୍ନର ଲିଡର କାମିନୀ କୁନିଙ୍କୁ ସବୁ ଦିନ ପାଇଁ ତାଙ୍କ ଝିଅ କରି ନେଇଛନ୍ତି। କୁନିର ସବୁ ଦୁଃଖସୁଖରେ ସେ ସର୍ବଦା ସାମିଲ ହେବେ ବୋଲି କହିଛନ୍ତି। ସେହିଭଳି କୁନି ମଧ୍ୟ ଜଣେ କିନ୍ନର ଲିଡରଙ୍କୁ ନିଜ ମା’ ହିସାବରେ ପାଇଥିବାରୁ ନିଜକୁ ସୁରକ୍ଷିତ ମଣିଛନ୍ତି। ଏହି ଘଟଣା ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଛି।