ସମ୍ବଲପୁର: ଏଣିକି ସମ୍ବଲପୁରରେ ମିଳିବ ଇଲେକ୍ଟ୍ରିକ୍ ଚାରିଚକିଆ ଯାନ(ଇଭି) ପାଇଁ ଫାଷ୍ଟ ଚାର୍ଜିଂ ସୁବିଧା। ରବିବାର ହୋଟେଲ ଗ୍ରାଣ୍ଡ ଶିବାରେ ଆୟୋଜିତ କାର୍ଯ୍ୟକ୍ରମରେ ଭାରତ ପେଟ୍ରୋଲୟିମ୍‌ ପକ୍ଷରୁ ସମ୍ବଲପୁର-ରାୟପୁର-ନାଗପୁର ରାଜପଥରେ ଇଭି ଫାଷ୍ଟ ଚାର୍ଜିଂ କରିଡରର ଉଦ୍‌ଘାଟନ କରାଯାଇଛି। ଏହି ଅବସରରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଭାରତ ପେଟ୍ରୋଲିୟମ୍‌ର ଭାରପ୍ରାପ୍ତ ନିର୍ବାହୀ ନିର୍ଦ୍ଦେଶକ(ରିଟେଲ) ପି.ଏସ୍‌.ରବି କହିଲେ, ସମ୍ବଲପୁର-ରାୟପୁର-ନାଗପୁର (ଉଭୟ ପାର୍ଶ୍ବ୧୧୦୮ କିଲୋମିଟର) ମଧ୍ୟରେ ୧୫ଟି ଇଭି ଫାଷ୍ଟ ଚାର୍ଜିଂ କରିଡ଼ର ସ୍ଥାପନ କରାଯାଇଛି। ଭାରତ ପେଟ୍ରୋଲୟିମ୍‌ର ପେଟ୍ରୋଲ ପମ୍ପଗୁଡ଼ିକରେ ଏହି ବ୍ୟବସ୍ଥା କରାଯାଇଛି।

Advertisment

ଶହେରୁ ୧୨୦ କିଲୋମିଟର ବ୍ୟବଧାନ ମଧ୍ୟରେ ଚାର୍ଜିଂ କରିଡର ସ୍ଥାପିତ ହୋଇଛି। ୩୦ ମିନିଟ୍ ଚାର୍ଜିଂ କଲେ ୧୨୫ କିଲୋମିଟର ଦୂରତା ଅତିକ୍ରମ କରିହେବ। ଏଥିରେ କିଲୋମିଟର ପ୍ରତି ଖର୍ଚ୍ଚ ମାତ୍ର ୩ ଟଙ୍କା ହେବ। ପେଟ୍ରୋଲ ଗାଡ଼ିଗୁଡ଼ିକରେ ହେଉଥିବା ଖର୍ଚ୍ଚର ମାତ୍ର ୩୦ ପ୍ରତିଶତ ଇଲେକ୍ଟ୍ରିକ୍‌ କାର୍‌ଗୁଡ଼ିକରେ ଚାର୍ଜିଂ ବାବଦକୁ ଖର୍ଚ୍ଚ ହେବ ବୋଲି ସେ ସୂଚନା ଦେଇଥିଲେ। ସେ ଆହୁରି କହିଥିଲେ ଯେ ପ୍ରଥମ ପର୍ଯ୍ୟାୟରେ ଚେନ୍ନାଇ-ତ୍ରିଚି ମଦୁରାଇ ରାସ୍ତାରେ ଚାର୍ଜିଂ କରିଡ଼ର ପ୍ରୟୋଗାତ୍ମକ ଭାବେ ସ୍ଥାପନ କରାଯାଇଥିଲା। ଏଥିରେ ସଫଳତା ମିଳିବା ପରେ ଚେନ୍ନାଇ-ବାଙ୍ଗାଲୋର, ବାଙ୍ଗାଲୋର-କୁର୍ଗ, ଦିଲ୍ଲୀ-ଜଳନ୍ଦର ଏବଂ ଶ୍ରୀନଗର ପରେ ଷଷ୍ଠ ପର୍ଯ୍ୟାୟରେ ସମ୍ବଲପୁର-ରାୟପୁର-ନାଗପୁର ରାଜପଥରେ ଏହି ବ୍ୟବସ୍ଥା କରାଯାଇଛି।

ଆଗାମୀ ୬ ମାସ ମଧ୍ୟରେ ଆହୁରି ୨୦୦ରୁ ୨୫୦ ଏଭଳି ଚାର୍ଜିଂ କରିଡ଼ର ସ୍ଥାପନ ଯୋଜନା ରହିଛି। ‘ହେଲୋ ବିପିସିଏଲ୍’ ଆପ୍‌ ଜରିଆରେ ଜଣେ ଦେଶରେ କେଉଁ କେଉଁ ଜାଗାରେ ଏହି ଚାର୍ଜିଂ କରିଡ଼ର ରହିଛି, ତାହା ଜାଣିପାରିବ। ଏହି କରିଡ଼ରରେ ଜଣେ ବିନା କୌଣସି ବ୍ୟକ୍ତିର ସହାୟତାରେ ନିଜ ଚାରିଚକିଆ ଯାନରେ ଚାର୍ଜିଂ କରିପାରିବ। ପେଟ୍ରୋଲ ପମ୍ପଗୁଡ଼ିକରେ ଆଗାମୀ ଦିନରେ ଇଲେକ୍ଟ୍ରିକ୍ ଚାର୍ଜିଂ ସହିତ ଗ୍ୟାସ୍ ସୁବିଧା ବି ଉପଲବ୍‌ଧ କରାଯିବ। ଏଥି ସହିତ ଭାରତ ପେଟ୍ରୋଲୟିମ୍‌ ନିଜ ପେଟ୍ରୋଲ ପମ୍ପଗୁଡ଼ିକ ନାମ ବଦଳାଇ ‘ଏନାର୍ଜି ଷ୍ଟେସନ’ ରଖିବାକୁ ସ୍ଥିର କରିଥିବା ସେ କହିଥିଲେ। ବର୍ତ୍ତମାନ ମାସିକ ଦେଶରେ ୫ରୁ ୬ ହଜାର ଇଲେକ୍ଟ୍ରିକ୍‌ ଚାରିଚକିଆ ଯାନ ବିକ୍ରି ହେଉଛି।

ଆଗାମୀ ଦିନରେ ଗାଡ଼ି ବିକ୍ରି ବୃଦ୍ଧି ହେବା ପରେ ଚାର୍ଜିଂ କରିଡ଼ର ବ୍ୟବସ୍ଥା କରାଯିବ। ଚାର୍ଜିଂ ପାଇଁ ସମୟ ଲାଗୁଥିବାରୁ ଚାର୍ଜିଂ କରିଡ଼ରଗୁଡ଼ିକରେ କାଫେ ସହିତ ଅନ୍ୟାନ୍ୟ ବ୍ୟବସ୍ଥା କରାଯିବ ବୋଲି ସେ କହିଥିଲେ। ଭାରତ ପେଟ୍ରୋଲୟିମ୍‌ର ପୂର୍ବାଂଚଳ ମୁଖ୍ୟ(ରିଟେଲ) ଦେବାଶିଷ ନାୟକ କହିଲେ, ଖୁବ୍‌ ଶୀଘ୍ର ଦେଶର ୧୭ଟି ରାଜ୍ୟରେ ଚାର୍ଜିଂ କରିଡ଼ର ସ୍ଥାପନ ଯୋଜନା ରହିଛି। ଓଡ଼ିଶାରେ ସମ୍ବଲପୁରରୁ ଭୁବନେଶ୍ବର, ଭୁବନେଶ୍ବରରୁ ବାଲେଶ୍ବର, ଭୁବନେଶ୍ବରର କୋଲକାତା, ପୁରୀରୁ କୋଲ୍‌କାତା ଭଳି ବିଭିନ୍ନ ରାଜପଥରେ ଏହି ସୁବିଧା ଉପଲବ୍‌ଧ କରାଯିବ। ସାମ୍ବାଦିକ ସମ୍ମିଳନୀରେ ଭାରତ ପେଟ୍ରୋଲିୟମ୍‌ର ଓଡ଼ିଶା ମୁଖ୍ୟ(ରିଟେଲ) ପ୍ରିୟଦର୍ଶୀ ପଣ୍ଡା ଓ ମହାପ୍ରବନ୍ଧକ ଦୀପକ ଜୈନ ଉପସ୍ଥିତ ଥିଲେ।