ଅନୁଗୁଳ: ସାତକୋଶିଆ ଗଣ୍ଡ ଅସୁରକ୍ଷିତ। ବିଲୁପ୍ତପ୍ରାୟ ଘଡ଼ିଆଳ କୁମ୍ଭୀରକୁ ହତ୍ୟା‌ କରାଯାଇଥିବା ଶବ ବ୍ୟବଚ୍ଛେଦ ରିପୋର୍ଟରୁ ସ୍ପଷ୍ଟ ହେବା ପରେ ତନାଘନା ଆରମ୍ଭ ହୋଇଛି। ଗଣମାଧ୍ୟମରେ ଏ ଖବର ପ୍ରକାଶ ପାଇବା ପରେ ବିଭାଗ ଉପରେ ଚାପ ପଡ଼ିଛି। ଘଟଣାର ତଦନ୍ତ କରିବା ପାଇଁ ଟିକରପଡ଼ା ରେଞ୍ଜର୍‌ଙ୍କୁ ଚିଠି କରାଯାଇଥିବା ବେଳେ ଏ ଘଟଣାରେ ମଝିପଡ଼ା ଫରେଷ୍ଟର୍‌ ଏବଂ ନଳେଶ୍ବର ଫରେଷ୍ଟ ଗାର୍ଡଙ୍କଠାରୁ ଜବାବ୍‌ ତଲବ କରାଯାଇଛି। ଅତୀତରେ ଏମିତି ବହୁ ବନ୍ୟପ୍ରାଣୀ ଅପରାଧର ଖୋଳତାଡ଼କୁ ଅଧା ଅଧୁରା ଛାଡ଼ି ଦେଇଥିବା ବିଭାଗ ଘଡ଼ିଆଳ ହତ୍ୟା ଘଟଣାରେ କେତେ ଦୂର ସଫଳ ହେବ, ତାହାକୁ ନେଇ ସନ୍ଦେହ ପ୍ରକାଶ ପାଇଛି।

Advertisment

ସୂଚନା ମୁତାବକ, ଘଡ଼ିଆଳ ହେଉଛି ଏକ ବିଲୁପ୍ତପ୍ରାୟ ଜୀବ। ଓଡ଼ିଶାରେ ଏକମାତ୍ର ଜାଗା ସାତକୋଶିଆ ଗଣ୍ଡ ହିଁ ଏ ପ୍ରଜାତିର କୁମ୍ଭୀରଙ୍କୁ ପ୍ରକୃତି କୋଳରେ ବଞ୍ଚାଇ ରଖିଛି। ଏଥିପାଇଁ ଲମ୍ବା ଚଉଡ଼ା ଯୋଜନା ବି ଚାଲିଛି। ସବୁ ପ୍ରକାର ଯୋଜନା ଭିତରେ ଗତ ମାସ ୨୯ତାରିଖରେ ଏକ ଘଡ଼ିଆଳ କୁମ୍ଭୀରକୁ ହତ୍ୟା କରାଯାଇଥିବା ଜଣାପଡ଼ିଥିଲା। ଯଦିଓ ବିଭାଗ ଘଡ଼ିଆଳ ମୃତ୍ୟୁର କାରଣ ଜାଲରେ ପଡ଼ି ହୋଇଛି ବୋଲି ଦର୍ଶାଇବାକୁ ଚେଷ୍ଟା କରୁଥିଲା, କିନ୍ତୁ ତାର ଲାଞ୍ଜରେ ଥିବା ଗଭୀର କ୍ଷତ ବାବଦ ବ୍ୟବଚ୍ଛେଦ ରିପୋର୍ଟ ଅସଲ କଥା ପଦାରେ ପକାଇ ଦେଇଥିଲା। ଖାଲି ସେତିକି ନୁହେଁ, ସାତକୋଶିଆ କର୍ତ୍ତୃପକ୍ଷଙ୍କ ୨୪ ଘଣ୍ଟିଆ ସୁରକ୍ଷା ନଜରରେ ଥିବା ମହାନଦୀ ଗଣ୍ଡରେ କେମିତି ଅପରାଧ ଚାଲିଛି, ତାହା ବି ଲୋକଲୋଚନକୁ ଆସିଥିଲା।

ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଲା, ଗଣ୍ଡକୁ ସୁରକ୍ଷା ଦେବାରେ ସାତକୋଶିଆ କର୍ତୃପକ୍ଷ ଦୈନିକ ପାଟ୍ରୋଲିଂ କରୁଥିବା ବେଳେ ଏଥିପାଇଁ ତେଲଠୁ ଆରମ୍ଭ କରି ଦରମା ଯାଏ, ମାସିକ ଲକ୍ଷାଧିକ ଟଙ୍କା ଖର୍ଚ୍ଚ ହେଉଛି। ଏହା ସତ୍ତ୍ବେ ଘଡ଼ିଆଳ କେମିତି ଅପରାଧର ଶିକାର ହେଲା? ତାହାକୁ ନେଇ ପ୍ରଶ୍ନ ଉଠିଥିଲା। ଗଣମାଧ୍ୟମରେ ଏ ଘଟଣା ପ୍ରକାଶ ପାଇବା ପରେ ସାତକୋଶିଆ କର୍ତୃପକ୍ଷଙ୍କ ପକ୍ଷରୁ ମଝିପଡ଼ା ଫରେଷ୍ଟର୍‌ ଏବଂ ନଳେଶ୍ବର ଫରେଷ୍ଟ ଗାର୍ଡଙ୍କୁ ଚିଠି ଜାରି କରାଯାଇଛି। କେଉଁ ପରିସ୍ଥିତିରେ ଘଡ଼ିଆଳ ମଲା? ତାର ଉତ୍ତର ଦେବାକୁ କୁହାଯାଇଛି। ସେହିପରି ଏ ଘଟଣାର ତଦନ୍ତ କରିବାକୁ ବି ଟିକରପଡ଼ା ରେଞ୍ଜର୍‌ ମାଗୁଣି ବେହେରାଙ୍କୁ ବି ଚିଠି ହୋଇଥିବା ବିଶ୍ବସ୍ତ ସୂତ୍ରରୁ ଜଣାପଡ଼ିଛି।