ଗୁରୁତର ଅବସ୍ଥାରେ ୭% କରୋନା ରୋଗୀ

ଭୁବନେଶ୍ବର: ରାଜ୍ୟରେ ଦୈନିକ ସଂକ୍ରମଣ ହଜାରକୁ ଖସି ଆସିଛି। ଉପକୂଳ ଓଡ଼ିଶାର କିଛି ଜିଲ୍ଲାକୁ ବାଦ୍ ଦେଲେ ଅନ୍ୟ ଜିଲ୍ଲାରେ ହାତ ଗଣତି ସଂକ୍ରମିତ ଚିହ୍ନଟ ହେଉଛନ୍ତି। ଯାହାଫଳରେ ରାଜ୍ୟରେ ଚିକିତ୍ସାଧୀନ ରୋଗୀଙ୍କ ସଂଖ୍ୟା ଧୀରେ ଧୀରେ କମିବାରେ ଲାଗିଛି। ହେଲେ ଏବେ ୭ ପ୍ରତିଶତ ରୋଗୀ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ଏହି ରୋଗୀମାନେ ଏବେ ଆଇସିୟୁ/ଏଚ୍‌ଡିୟୁରେ ଅଛନ୍ତି। ମାତ୍ର ୨୦ଦିନ ତଳେ ୩୩ ପ୍ରତିଶତ ରୋଗୀ ଆଇସିୟୁରେ ଥିବା ବେଳେ ଏବେ ଏଥିରେ ଉଲ୍ଲେଖନୀୟ ହ୍ରାସ ଦେଖିବାକୁ ମିଳିଛି।

ସ୍ବାସ୍ଥ୍ୟ ବିଭାଗରୁ ମିଳିଥିବା ସୂଚନା ଅନୁସାରେ, ୯ତାରିଖ ସୁଦ୍ଧା ରାଜ୍ୟରେ ୧୧,୪୮୬ ଚିକିତ୍ସାଧୀନ କୋଭିଡ୍ ରୋଗୀ ରହିଛନ୍ତି। ତହିଁରୁ ସମୁଦାୟ ୧୮୫୩ଜଣ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ଏହାସହ ୯୬୩୩ଜଣ ଗୃହ ପୃଥକବାସରେ ଅଛନ୍ତି। ହସ୍ପିଟାଲରେ ଚିକିତ୍ସିତ ହେଉଥିବା ୧୮୫୩ ରୋଗୀଙ୍କ ମଧ୍ୟରେ ୪୧୯ ସାଧାରଣ ଶଯ୍ୟା, ଆଇସିୟୁ/ଏଚ୍‌ଡିୟୁରେ ୭୬୧, ଭେଣ୍ଟିଲେଟରରେ ୧୭୮, କୋଭିଡ କେୟାର ସେଣ୍ଟରରେ ୬୭୩, ଅସ୍ଥାୟୀ ସ୍ବାସ୍ଥ୍ୟ କେନ୍ଦ୍ରରେ ୬୭ ଓ ଘରୋଇ ପୃଥକବାସରେ ୨୭ଜଣ ରହିଥିବା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଜଣାପଡ଼ିଛି। ରାଜ୍ୟରେ ସମୁଦାୟ ୯୧୯ଟି ଆଇସିୟୁ ଭେଣ୍ଟିଲେଟର ଥିବା ବେଳେ ଏଥିରେ ୧୯% ଅର୍ଥାତ୍ ୧୭୮ଜଣ ରୋଗୀ ଚିକିତ୍ସିତ ହେଉଛନ୍ତି। ତେବେ ନିର୍ଦ୍ଦିଷ୍ଟ ଭାବେ କେଉଁ ହସ୍ପିଟାଲରେ କେତେ ସଂଖ୍ୟକ ରୋଗୀ ଚିକିତ୍ସିତ ହେଉଛନ୍ତି ତାହା ସ୍ପଷ୍ଟ ହୋଇପାରି ନାହିଁ। ହେଲେ ପୂର୍ବରୁ ଭୁବନେଶ୍ବର ଓ କଟକରେ ଥିବା କୋଭିଡ ହସ୍ପିଟାଲ ଗୁଡ଼ିକରେ ଅଧିକ ସଂଖ୍ୟାରେ ଆଇସିୟୁ ବ୍ୟବହାର ହୋଇଥିବା ନଜରକୁ ଆସିଥିଲା। ରାଜ୍ୟରେ ବଳକା କୋଭିଡ ମୃତ୍ୟୁ ଘୋଷଣା ଶେଷ ହୋଇ ନ ଥିବା ବେଳେ ଆଇସିୟୁରେ ୭ଶହରୁ ଅଧିକ ରୋଗୀ ଚିକିତ୍ସିତ ହେବା ରାଜ୍ୟରେ କୋଭିଡ ମୃତ୍ୟୁ ସଂଖ୍ୟାକୁ ପ୍ରଭାବିତ କରିପାରେ ବୋଲି ଆଶଙ୍କା ପ୍ରକାଶ ପାଇଛି।

ସମ୍ବନ୍ଧିତ ଖବର