ଭୁବନେଶ୍ବର: ଆସନ୍ତା ବର୍ଷ ସାଧାରଣ ନିର୍ବାଚନ। ଏହା ପୂର୍ବରୁ ସବୁ ବର୍ଗକୁ ଖୁସି କରିବା ଲାଗି ରାଜ୍ୟ ସରକାର କସରତ ଆରମ୍ଭ କରିଦେଇଛନ୍ତି। ଏହି କ୍ରମରେ ଆଜି କ୍ୟାବିନେଟ୍ରେ ଚାଷୀକୁ ଖୁସି କରିବା ଲାଗି ସରକାର ଏକାଧିକ ନିଷ୍ପତ୍ତି ନେଇଛନ୍ତି। ବିଶେଷକରି ଜଳସେଚନ, ସାର ସଘନ କୃଷି ଉପରେ ଫୋକସ୍ କରାଯାଇଛି ଓ ଏ ବାବଦରେ ଏକ ବଡ଼ ବଜେଟ୍ ଖର୍ଚ୍ଚ କରିବା ଲାଗି ସରକାର ରାସ୍ତା କାଢ଼ିଛନ୍ତି। ଏହି କ୍ରମରେ ରାଜ୍ୟର ୫ଟି ଜିଲ୍ଲା ନବରଙ୍ଗପୁର, ମୟୂରଭଞ୍ଜ, କେନ୍ଦୁଝର, ଅନୁଗୁଳ, ଢେଙ୍କାନାଳ ଜିଲ୍ଲାରେ ୩୩ଟି ଉଠା ଜଳସେଚନ ପ୍ରକଳ୍ପ ପାଇଁ ୧୮୬୬କୋଟି ୯୯ଲକ୍ଷ ୫୩ ହଜାର ୩୦୯ଟଙ୍କା ଖର୍ଚ୍ଚ ହେବ। ଏଥିରୁ ଜମିକୁ ଜଳ ଯୋଗାଣ ପାଇଁ ପ୍ରକଳ୍ପର ନିର୍ମାଣ ବାବଦକୁ ୧୭୨୮ େକାଟି ୬ଲକ୍ଷ ୫୦ହଜାର ଟଙ୍କା ଖର୍ଚ୍ଚ ହେବାକୁ ଥିବାବେଳେ ଏହି ପ୍ରକଳ୍ପଗୁଡ଼ିକର ୧୫ବର୍ଷ ପର୍ଯ୍ୟନ୍ତ ରକ୍ଷଣାବେକ୍ଷଣ ପାଇଁ ୧୩୮କୋଟି ୯୩ଲକ୍ଷ ୨ହଜାର ୫୪୦ଟଙ୍କା ଖର୍ଚ୍ଚ ହେବ। ଏହି ସଂକ୍ରାନ୍ତୀୟ ୪ଟି ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟ୍ ଅନୁମୋଦନ କରିଛି। ଆସନ୍ତା ୩ବର୍ଷରେ ଏହି ପ୍ରକଳ୍ପ ଶେଷ ହେବ ବୋଲି ସ୍ଥିର ହୋଇଛି।
୫ ଜିଲ୍ଲାରେ ଉଠା ଜଳସେଚନ ପ୍ରକଳ୍ପ ପାଇଁ ୧୮୬୭କୋଟି
ସଘନ କୃଷି କାର୍ଯ୍ୟକ୍ରମ ପାଇଁ ୪୮୧କୋଟି ୯୪ଲକ୍ଷ
ସାର କର୍ପସ୍ ପାଣ୍ଠି ୧୫୦ କୋଟିକୁ ବଢ଼ିଲା
ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟ୍ ବୈଠକରେ ମୋଟ୍ ୧୬ଟି ପ୍ରସ୍ତାବ ପାରିତ ହୋଇଛି। ଉଠା ଜଳସେଚନ ପ୍ରକଳ୍ପ ସମ୍ପର୍କରେ କୁହାଯାଇଛି, ୩୩ଟି ଉଠା ଜଳସେଚନ ପ୍ରକଳ୍ପ ଦ୍ବାରା ୪ଟି ଜିଲ୍ଲାର କୃଷକ ଉପକୃତ ହେବେ ଏବଂ ଏହାର ଅଣୁ ଜଳସେଚନ ସୁସଙ୍ଗତା ହେତୁ ପାରମ୍ପରିକ ଧାନ ଫସଲରୁ ଅର୍ଥକାରୀ ଫସଲ କରିବାକୁ ଉତ୍ସାହିତ ହେବେ। ରାଜ୍ୟର ବିଭିନ୍ନ ଜିଲ୍ଲାରେ ଥିବା ଚାଷ ଉପଯୋଗୀ ଢିପ ଜମିଗୁଡ଼ିକର ଭୌଗଳିକ ସ୍ଥିତି ପାଇଁ ପାରମ୍ପରିକ ପ୍ରବାହମାନ ଜଳସେଚନ ପଦ୍ଧତି ଦ୍ବାରା ଜଳସେଚିତ କରିବା ସମ୍ଭବ ହେଉନି। ତେଣୁ ଏହି ଜମିଗୁଡ଼ିକୁ ଜଳସେଚନ ସୁବିଧା ଯୋଗାଇ ଦେବା ନିମନ୍ତେ ରାଜ୍ୟ ସରକାର ‘ବୃହତ ଉଠା ଜଳସେଚନ ଯୋଜନା’ କାର୍ଯ୍ୟକାରୀ କରିଥିଲେ। ଏହାର ଉପଯୋଗିତାକୁ ଲକ୍ଷ୍ୟ ରଖି ଦ୍ବିତୀୟ ପର୍ଯ୍ୟାୟରେ ପାର୍ବତୀ ଗିରି ବୃହତ ଉଠା ଜଳସେଚନ ଯୋଜନାକୁ ଅନୁମୋଦନ ପ୍ରଦାନ କରିଛନ୍ତି। ଏହି ଯୋଜନାରେ ୧୦୭୫୯କୋଟି ୨୦ଲକ୍ଷ ଟଙ୍କା ବ୍ୟୟରେ ନଦୀ, ଜଳଭଣ୍ଡାର, କେନାଲରୁ ଜଳ ଉତ୍ତୋଳନ କରି ୨,୬୩,୮୦୧ ହେକ୍ଟର ଜମିକୁ ଜଳସେଚନର ସୁବିଧା ଯୋଗାଇ ଦିଆଯିବ ବୋଲି ପୂର୍ବରୁ ନିଷ୍ପତ୍ତି ହୋଇଛି।
ଏହି ଯୋଜନା ଅନ୍ତର୍ଗତ ଉପରୋକ୍ତ ପ୍ରକଳ୍ପ ମାଧ୍ୟମରେ ମୟୂରଭଞ୍ଜ ଓ କେନ୍ଦୁଝର ଜିଲ୍ଲାର ଖଡ଼ଖାଇ ଜଳଭଣ୍ଡାର, ଖଇରା ନଦୀ, ଖଇରା-ବନ୍ଧନ, ବୁଢ଼ାବଳଙ୍ଗ, କଣ୍ଟାଖଇରୀ ଓ ସମାକୋଈ ନଦୀରୁ ୯ଟି ପ୍ରକଳ୍ପ ମାଧ୍ୟମରେ ଜଳ ଉତ୍ତୋଳନ କରି ଚାପ ନିୟନ୍ତ୍ରିତ ଜଳଯୋଗାଣ ବ୍ୟବସ୍ଥା ମାଧ୍ୟମରେ ଦୁଇଟି ଜିଲ୍ଲାର ୧୫,୦୯୦ ହେକ୍ଟର ଜମିକୁ ଜଳସେଚନ ଯୋଗାଇଦିଆଯିବ। ଏହା ସହ ପ୍ରକଳ୍ପଗୁଡ଼ିକର ବିଦ୍ୟୁତ ସଂଯୋଗୀକରଣ ଓ ୧୫ବର୍ଷ ପର୍ଯ୍ୟନ୍ତ ରକ୍ଷଣାବେକ୍ଷଣ କରାଯିବ। ଏହି ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ପାଇଁ ୪୨୩କୋଟି ୭୯ଲକ୍ଷ ୭ହଜାର ୩୦୯ଟଙ୍କା ଖର୍ଚ୍ଚ ହେବାକୁ ଥିବାବେଳେ ଏହାର ୧୫ବର୍ଷିଆ ରକ୍ଷଣାବେକ୍ଷଣ ପାଇଁ ୩୩କୋଟି ୯୮ଲକ୍ଷ ୮୦ହଜାର ୧୯୫ଟଙ୍କା ଖର୍ଚ୍ଚ ହେବ। ଏହି ଟେଣ୍ଡରକୁ ଆଜି ଅନୁମୋଦନ କରାଯାଇଛି।
ସେହିପରି ନବରଙ୍ଗପୁର ଜିଲ୍ଲାର ଇନ୍ଦ୍ରାବତୀ ଜଳଭଣ୍ଡାରରୁ ଜଳ ଉତ୍ତୋଳନ କରି ଜଳସେଚନ କରିବାକୁ ଦୁଇଟି ପ୍ୟାକେଜ୍ରେ ୧୧ଟି ଉଠାଜଳସେଚନ ପ୍ରକଳ୍ପ ହେବ। ଏଥିରେ ଗୋଟିଏ ପ୍ୟାକେଜ୍ରେ ୫ଟି ପ୍ରକଳ୍ପ ମାଧ୍ୟମରେ ୯୯୦୦ ହେକ୍ଟର ଜମିକୁ ଜଳସେଚନ କରିବା, ବିଦ୍ୟୁତ ସଂଯୋଗୀକରଣ କରିବା ପାଇଁ ୩୯୧କୋଟି ୪୨ଲକ୍ଷ ୪୩ହଜାର ୪୬୦ଟଙ୍କା ଏବଂ ୧୫ବର୍ଷ ରକ୍ଷଣାବେକ୍ଷଣ ପାଇଁ ୩୧କୋଟି ୩୯ଲକ୍ଷ ୨୨ହଜାର ୩୪୫କୋଟି ଟଙ୍କାର ଟେଣ୍ଡରକୁ ଅନୁମୋଦନ କରାଯାଇଛି। ଦ୍ବିତୀୟ ପ୍ୟାକେଜରେ ୯୭୦୨ ହେକ୍ଟର ଜମିକୁ ଜଳସେଚନ କରିବାକୁ ୬ଟି ପ୍ରକଳ୍ପ ବାବଦକୁ ୩୬୯କୋଟି ୬୫ଲକ୍ଷ ଟଙ୍କା ଖର୍ଚ୍ଚ ହେବାକୁ ଥିବାବେଳେ ଏହାର ରକ୍ଷଣାବେକ୍ଷଣ ବାବଦକୁ ୨୯କୋଟି ୯୫ଲକ୍ଷ ଟଙ୍କା ଖର୍ଚ୍ଚ ହେବ। ଅନୁଗୁଳ, ଢେଙ୍କାନାଳ ଜିଲ୍ଲାର ମଞ୍ଜୋର ଜଳଭଣ୍ଡାର, ବ୍ରାହ୍ମଣୀ ନଦୀ, ରେଙ୍ଗାଲି ବାମପାର୍ଶ୍ବ ମୁଖ୍ୟ କେନାଲ ଏବଂ ରେଙ୍ଗାଲି ଦକ୍ଷିଣ ପାର୍ଶ୍ବ ମୁଖ୍ୟ କେନାଲରୁ ଜଳ ଉତ୍ତୋଳନ କରି ୧୩ଟି ପ୍ରକଳ୍ପ ମାଧ୍ୟମରେ ଦୁଇ ଜିଲ୍ଲାର ୧୯,୨୪୨ ହେକ୍ଟର ଜମିକୁ ଜଳସେଚନ କରିବାକୁ ୫୪୩କୋଟି ୨୦ଲକ୍ଷ ଟଙ୍କା ଖର୍ଚ୍ଚ ହେବ। ଏହାର ରକ୍ଷଣାବେକ୍ଷଣ ବାବଦକୁ ୪୩କୋଟି ୬୦ଲକ୍ଷ ଟଙ୍କା ଖର୍ଚ୍ଚ ହେବ। ଏସମ୍ପର୍କିତ ଟେଣ୍ଡରକୁ କ୍ୟାବିନେଟ ଅନୁମୋଦନ କରିଛି।
ସେହିପରି ଆଜି ରାଜ୍ୟ କ୍ୟାବିନେଟ୍ ସଘନ କୃଷି କାର୍ଯ୍ୟକ୍ରମ ସହ ବିଲୁପ୍ତ ପ୍ରାୟ ଫସଲର ପୁନରୁଦ୍ଧାର କାର୍ଯ୍ୟକ୍ରମକୁ ତ୍ବରାନ୍ବିତ କରିବାକୁ ଆଗାମୀ ୫ବର୍ଷ ପାଇଁ ୪୮୧କୋଟି ୯୪ଲକ୍ଷ ୮ହଜାର ଟଙ୍କା ଅନୁମୋଦନ କରିଛି। ଏହି ଯୋଜନାକୁ ବୈଜ୍ଞାନିକ ଓ ପ୍ରଗତିଶୀଳ ଉପାୟରେ କାର୍ଯ୍ୟକାରୀ କରାଯିବ। ଏହାଦ୍ବାରା ଡାଲି, ତୈଳବୀଜ, କପା, ଝୋଟ ଓ ମକା ଫସଲର ଆୟତନ, ଉତ୍ପାଦନ ଏବଂ ଉତ୍ପାଦକତା ବୃଦ୍ଧିରେ ସହାୟକ ହେବ। ରାଜ୍ୟରେ ମକା ଉତ୍ପାଦନକୁ ବୃଦ୍ଧି କରିବାକୁ ନୂତନ ଭାବେ ଆରମ୍ଭ ହୋଇଥିବା ‘ମୁଖ୍ୟମନ୍ତ୍ରୀ ମକା ମିସନ’କୁ ମଧ୍ୟ ଏହି ଯୋଜନାରେ ଅନ୍ତର୍ଭୁକ୍ତ କରାଯାଇଛି। ରାଜ୍ୟରେ ସାର ସଂଗ୍ରହ ଓ ଆଗୁଆ ମହଜୁଦ ରଖିବା ପାଇଁ ରାଜ୍ୟ ସରକାର ବାର୍ଷିକ କର୍ପସ ପାଣ୍ଠିକୁ ୧୦୦କୋଟିରୁ ୧୫୦କୋଟିକୁ ବୃଦ୍ଧି କରିଛନ୍ତି। ଏହାସହ ୨୦୨୩-୨୪ରୁ ୨୦୨୭-୨୮ ପର୍ଯ୍ୟନ୍ତ ଏହାର ଆନୁମାନିକ ବ୍ୟୟ ଅଟକଳ ୭୦୦କୋଟି ଟଙ୍କା କରାଯାଇଛି। ଏବେ ଓଡ଼ିଶା ରାଜ୍ୟ ସମବାୟ ବିପଣନ ମହାସଂଘ ଓ ଓଡ଼ିଶା କୃଷି ଶିଳ୍ପ ନିଗମ ଜରିଆରେ ରାଜ୍ୟର ମୋଟ ଆବଶ୍ୟକତାର ପ୍ରାୟ ୨୦ରୁ ୨୫% ସାର ମହଜୁଦ ରଖାଯାଉଛି। ଏଥିପାଇଁ ଦୁଇ ସଂସ୍ଥାକୁ ଯଥାକ୍ରମେ ୯୦କୋଟି ଓ ୧୦କୋଟି ଟଙ୍କାର କର୍ପସ ପାଣ୍ଠି, ସୁଧ ବିହୀନ ଋଣ ଆକାରରେ ଦିଆଯାଉଛି। ହେଲେ ଓଡ଼ିଶା କୃଷି ଶିଳ୍ପ ନିଗମ ପାଇଁ ଥିବା କର୍ପସ ପାଣ୍ଠି ବ୍ୟବସ୍ଥାକୁ ବନ୍ଦ କରାଯାଇଛି। ଏଥିପାଇଁ ବାର୍ଷିକ କର୍ପସ ପାଣ୍ଠି ୧୫୦କୋଟି ଟଙ୍କାକୁ ବୃଦ୍ଧି କରାଯାଇଛି। କର୍ପସ ପାଣ୍ଠି ବୃଦ୍ଧି ଦ୍ବାରା ରାଜ୍ୟର ସମୁଦାୟ ଆବଶ୍ୟକତାର ୫୦% ସାର ଓଡ଼ିଶା ରାଜ୍ୟ ସମବାୟ ବିପଣନ ମହାସଂଘ ଜରିଆରେ ପ୍ରତିବର୍ଷ ଆଗୁଆ ମହଜୁଦ ରଖିବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି।