ଭୁବନେଶ୍ବର: ପାଇକ ବିଦ୍ରୋହକୁ ଦେଶର ପ୍ରଥମ ସ୍ବାଧୀନତା ସଂଗ୍ରାମ ମାନ୍ୟତା ଦେବାକୁ କେନ୍ଦ୍ର ସରକାର ମନା କରିବା ପରେ ରାଜ୍ୟର ବିଭିନ୍ନ ମହଲରେ ପ୍ରତିକ୍ରିୟା ପ୍ରକାଶ ପାଇଛି। ଆବଶ୍ୟକ ହେଲେ ଓଡ଼ିଶାର ବହୁ ସଂଖ୍ୟକ ପାଇକ ଦିଲ୍ଲୀ ଯାଇ ଧାରଣା ଦେବେ ବୋଲି ଓଡ଼ିଶା ନାଗରିକ ସମାଜ ପକ୍ଷରୁ ଏକ ପ୍ରେସ ବିବୃତିରେ କୁହାଯାଇଛି। ଓଡ଼ିଶା ନାଗରିକ ସମାଜର ପ୍ରତିଷ୍ଠା ଦିବସରେ ଏଭଳି ଏକ ସମ୍ବେଦନଶୀଳ ପ୍ରସଙ୍ଗ ଉପରେ ଆଲୋଚନାଚକ୍ର ଆୟୋଜନ କରାଯାଇଛି। ଆସନ୍ତା ୧୮ ତାରିଖ ପୂର୍ବାହ୍ନ ସାଢ଼େ ୧୦ଟାରେ ଗୀତଗୋବିନ୍ଦ ସଦନରେ ଏହା ଅନୁଷ୍ଠିତ ହେବ। ଏହି କାର୍ଯ୍ୟକ୍ରମରେ ବିଧାୟକ ସୌମ୍ୟରଂଜନ ପଟ୍ଟନାୟକ, ପୂର୍ବତନ କେନ୍ଦ୍ରମନ୍ତ୍ରୀ ବ୍ରଜକିଶୋର ତ୍ରିପାଠୀ, ବରିଷ୍ଠ କଂଗ୍ରେସ ନେତା ପ୍ରସାଦ ହରିଚନ୍ଦନ, ବିଜେପି ନେତା ପୃଥ୍ବୀରାଜ ହରିଚନ୍ଦନ ଓ ପ୍ରଫେସର ନାରାୟଣ ରାଓ ଅତିଥି ଭାବେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଉତ୍ସବରେ ମିନତି ପଟ୍ଟନାୟକ, ଇଂ ଶଶିଭୂଷଣ ନାଏକ ଓ ନାରାୟଣ ରାଓଙ୍କୁ ସମ୍ମାନିତ କରାଯିବ ବୋଲି ଓଡ଼ିଶା ନାଗରିକ ସମାଜର ସଭାପତି ଲଳିତ ମୋହନ ପଟ୍ଟନାୟକ, ଉପସଭାପତି ରମେଶ ଚନ୍ଦ୍ର ମହାନ୍ତି ଓ ପ୍ରତିଷ୍ଠାତା ସମ୍ପାଦକ ମନୋଜ ଜେନା ଜଣାଇଛନ୍ତି।