୯୦ ବର୍ଷରେ ଚଳଚଞ୍ଚଳ, ସାଇକଲରେ ବାଣ୍ଟୁଛନ୍ତି ଖବରକାଗଜ

୯୦ ବର୍ଷରେ ଚଳଚଞ୍ଚଳ, ସାଇକଲରେ ବାଣ୍ଟୁଛନ୍ତି ଖବରକାଗଜ

ଚଣ୍ଡିଖୋଲ: ବୟସ ୯୦ ବର୍ଷ ଛୁଇଁଲାଣି। ଏ ବୟସରେ ବି ସେ ଫିଟ୍‌ ଆଉ କର୍ମଚଞ୍ଚଳ। ସକାଳ ହେଲେ ସାଇକଲ ଧରି ସେ ବାହାରି ଯାଆନ୍ତି। ଘରେଘରେ ଖବରକାଗଜ ପହଞ୍ଚାନ୍ତି। ଫିଟ୍‌ ରହିବାକୁ ସେ ନିଜକୁ ସର୍ବଦା କର୍ମତତ୍ପର ରଖିଛନ୍ତି ବୋଲି କହନ୍ତି ବଡ଼ଚଣା ବ୍ଲକ ବଡ଼ଚଣା ଗ୍ରାମର ବାର୍ଷୀୟାନ କବି ଭୋଳାନାଥ ରାଉତ। ପ୍ରତିଦିନ ସକାଳୁ ଉଠି ବଡ଼ଚଣା ପଞ୍ଚାୟତର କେତେକ ଗାଁକୁ ଯାଇ ଘରଘର ବୁଲି ଖବରକାଗଜ ବିତରଣ କରିଥାନ୍ତି। ସାଇକେଲ ହ୍ୟାଣ୍ଡଲରେ ଏକ ବ୍ୟାଗ ଝୁଲାଇ ଖବରକାଗଜ ଧରି ସେ ବାହରିଯାନ୍ତି।

ଏହି ଡହଡହ ଖରାରେ ଖାଲି ପାଦରେ ବି ଖବରକାଗଜ ବାଣ୍ଟିବାରେ ବେଶ୍‌ ଆନନ୍ଦ ମିଳିଥାଏ ବୋଲି ସେ କହନ୍ତି। ଦୀର୍ଘ ୩୦ ବର୍ଷ ଧରି ଶ୍ରୀ ରାଉତ ଏହି ଖବରକାଗଜ ବିତରଣ କରି ଆସୁଛନ୍ତି। ବର୍ତ୍ତମାନ ସମୟରେ ପ୍ରବଳ ଖରା ଓ ଗରମ ସତ୍ତ୍ୱେ ସେ ନିଜ କାମରୁ ବିରତ ହୋଇନାହାନ୍ତି। ଖବରକାଜ ବାଣ୍ଟି ଦିନ ୧୨ ଟାରେ ସେ ଘରକୁ ଫେରିଥାନ୍ତି। ଜଣେ କବି ଭାବେ ମଧ୍ୟ ତାଙ୍କର ସ୍ୱତନ୍ତ୍ର ପରିଚୟ ରହିଛି। ଦୁଇଶହରୁ ଅଧିକ କବିତା ଲେଖିଛନ୍ତି। ବଡ଼ଚଣା ମହିଳା ମହାବିଦ୍ୟାଳୟ ପ୍ରତିଷ୍ଠାରେ ତାଙ୍କର ସହଯୋଗ ରହିଛି। ବଡ଼ଚଣା ପ୍ରାଥମିକ କୃଷି ସମବାୟ ସମିତି ଗଠନରେ ମଧ୍ୟ ତାଙ୍କର ଭୂମିକା ରହିଥିବା ସେ କୁହନ୍ତି। ପରିଣତ ବୟସରେ ପହଞ୍ଚିଥିଲେ ମଧ୍ୟ ଖରାବର୍ଷା, ଶୀତକାକରରେ କେମିତି ସକାଳୁ ଦିନ ୧୨ଟା ପର୍ଯ୍ୟନ୍ତ ଖବରକାଗଜ ବିତରଣ କରୁଛନ୍ତି ବୋଲି ପ୍ରଶ୍ନର ଉତ୍ତରରେ ସେ କୁହନ୍ତି ଯେ ମୁଁ ଏହାଦ୍ୱାରା ସୁସ୍ଥ ଆଉ ଚଳଚଞ୍ଚଳ ରହୁଛି। ନିଜର ହାତଖର୍ଚ୍ଚ ମଧ୍ୟ ଏଥିରୁ ଉଠାଇପାରୁଛି। ଦୀର୍ଘ ୩୦ ବର୍ଷ ଧରି ଏହି କାର୍ଯ୍ୟ କରି ଆସୁଥିବାରୁ ଏହା ମୋର ଅଭ୍ୟାସରେ ପରିଣତ ହୋଇଯାଇଛି। ଖରା, ବର୍ଷା, ଶୀତ ଋତୁର କୌଣସି ପ୍ରଭାବ ମୋ’ ଉପରେ ପଡୁ ନାହିଁ ବୋଲି ସେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe