ରାଜଧାନୀରେ କେନ୍ଦ୍ରୀୟ ଅନୁଷ୍ଠାନ ମାଡ଼ି ବସିଛନ୍ତି ୭୬ଏକର ଜମି, ତିନି ସଂସ୍ଥାଙ୍କ ଦଖଲରେ ୭୯୦କୋଟି ମୂଲ୍ୟର ଜମି

ଜିଏ ବିଭାଗ ଚିଠି ଲେଖିଲେ ବି ଫେରସ୍ତ ମିଳୁନି, ବିଡିଏର ଡିଜିପିଏସ୍‌ ସର୍ଭେରୁ ଜବରଦଖଲ ‌ତଥ୍ୟ ମିଳିଛି

ବିଶ୍ବଜିତ ଦାଶ
ଭୁବନେଶ୍ବର: ରାଜଧାନୀରେ ଯଦି କେହି ସରକାରୀ ଜାଗା ମାଡ଼ି ବସୁଛି ତେବେ ସାଧାରଣ ପ୍ରଶାସନ ବିଭାଗ, ବିଡିଏ, ବିଏମ୍‌ସି ସ୍କ୍ବାଡ୍ ବୁଲଡୋଜର୍ ଲଗାଇ ତାକୁ ଭାଙ୍ଗି ଦେଉଛନ୍ତି। ସାଧାରଣ ଲୋକଙ୍କ ଉପରେ ନିଜର ପ୍ରଭାବ ଦେଖାଇ ପାରୁଥିବା ଏହି ସଂସ୍ଥାଗୁଡ଼ିକ କିନ୍ତୁ ରାଜଧାନୀର ପ୍ରମୁଖ ଅଞ୍ଚଳରେ ତିନିଟି କେନ୍ଦ୍ରୀୟ ଅନୁଷ୍ଠାନ ମାଡ଼ି ବସିଥିବା ୭୬ଏକର ଜମିକୁ ମୁକୁଳାଇ ପାରୁନାହାନ୍ତି। ସରକାରଙ୍କ ଧାର୍ଯ୍ୟ ବେଞ୍ଚମାର୍କ ଭାଲ୍ୟୁ ଅନୁସାରେ ପ୍ରାୟ ୭୯୦କୋଟି ଟଙ୍କା ମୂଲ୍ୟର ଏହି ଜମି ଏବେ ତିନି କେନ୍ଦ୍ରୀୟ ସଂସ୍ଥାଙ୍କ କବ୍‌ଜାରେ। ଏହି ତିନିଟି କେନ୍ଦ୍ରୀୟ ଅନୁଷ୍ଠାନ ହେଲା ସିଏସ୍‌ଆଇଆର୍-ଆଇଏମ୍ଏମ୍‌ଟି (ଖଣିଜ ଏବଂ ପଦାର୍ଥ ପ୍ରୌଦ୍ୟୋଗିକୀ ସଂସ୍ଥା), ସୈନିକ ସ୍କୁଲ ଏବଂ ୧୨୦ ଇନଫାଣ୍ଟ୍ରି ବାଟାଲିୟନ। ଏହି ତିନିଟି ସଂସ୍ଥାକୁ ଯେତିକି ଜମି ଦିଆଯାଇଥିଲା ସେମାନେ ତାହାଠାରୁ ଅଧିକ ଜମି ମାଡ଼ି ବସିଛନ୍ତି। ତିନିଟି ଅନୁଷ୍ଠାନ କବ୍‌ଜାରେ ପ୍ରାୟ ୭୬ଏକର ଜମି ଥି‌ଲେ ହେଁ କେହି ଫେରାଇବାକୁ ରାଜି ହେଉନାହାନ୍ତି। ରାଜଧାନୀର କେନ୍ଦ୍ରସ୍ଥଳରେ କେନ୍ଦ୍ରୀୟ ସଂସ୍ଥା ଜମି ମାଡ଼ି ବସିଥିବାବେଳେ ରାଜ୍ୟ ସରକାର କେବଳ ଚିଠି ଲେଖାରେ ସୀମିତ ଅଛନ୍ତି। ‌

ସାଧାରଣ ପ୍ରଶାସନ ବିଭାଗ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, କିଛି ମାସ ତଳେ ବସିଥିବା କ୍ୟାପିଟାଲ ରିଜିଅନ୍ ପ୍ଲାନିଂ ଏବଂ ଜମି ବ୍ୟବହାର କମିଟିର ବୈଠକରୁ ଜଣାପଡ଼ିଛି ଯେ ଆଇଏମ୍‌ଏମ୍‌ଟି ୩୪ଏକର, ସୈନିକ ସ୍କୁଲ ୩୫ଏକର ଏବଂ ୧୨୦ ଇନଫାଣ୍ଟ୍ରି ବାଟାଲିୟନ ୭ଏକର ଜମି ମାଡ଼ି ବସିଛନ୍ତି। ବିଡିଏ ତରଫରୁ କରାଯାଇଥିବା ଡିଫେରେନସିଆଲ୍‌ ଗ୍ଲୋବାଲ ପୋଜିସନିଂ ସିଷ୍ଟମ (ଡିଜିପିଏସ୍‌) ସର୍ଭେରୁ ଏହି ଜବରଦଖଲ ନେଇ ଜଣାପଡ଼ିଥିଲା।

ସୈନିକ ସ୍କୁଲ ପାଇଁ ସାଧାରଣ ପ୍ରଶାସନ ବିଭାଗ ୧୯୬୨ ମସିହାରେ ୧୭୭ଏକର ଜମି ଆବଣ୍ଟନ କରିଥିବାବେଳେ ସ୍କୁଲ କର୍ତ୍ତୃପକ୍ଷ ୨୧୨ଏକର ଜମି ଦଖଲ ରଖିଛନ୍ତି। ଆବଣ୍ଟନ ଜମିରୁ ଅଧିକ ଦଖଲରେ ଥିବା ୩୫ଏକର ଜମିକୁ ଫେରାଇବାକୁ ସୈନିକ ସ୍କୁଲ କର୍ତ୍ତୃପକ୍ଷଙ୍କୁ କୁହାଯାଇଥିଲେ ହେଁ ସେମାନେ ଦେଇପାରିବେନି ବୋଲି କହିଛନ୍ତି। ଏପରିକି ପ୍ରତିରକ୍ଷା ମନ୍ତ୍ରଣାଳୟକୁ ଜମି ହସ୍ତାନ୍ତର ପାଇଁ ଚିଠି ଲେଖାଯାଇଛି, ହେଲେ କିଛି ଉତ୍ତର ମିଳିନି। ଏହି ୩୫ଏକର ଜମି ମିଳିଲେ ସେଠାରେ ବିଡିଏ ପକ୍ଷରୁ ଲୋକଙ୍କ ଆମୋଦ ପ୍ରମୋଦ ପାଇଁ ବ୍ୟବସ୍ଥା କରାଯିବାକୁ ଯୋଜନା ହୋଇଛି। ସାଧାରଣ ପ୍ରଶାସନ ବିଭାଗ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଗାଡ଼କଣ ମୌଜାରେ ଏକର ପିଛା ବେଞ୍ଚମାର୍କ ଭାଲ୍ୟୁ ୭କୋଟି ଟଙ୍କା ଥିବାବେଳେ ଏହି ୩୫ଏକର ଜମିର ମୂଲ୍ୟ ୨୪୫କୋଟି ଟଙ୍କା ହେବ।

ସେହିପରି ପାୱାର ହାଉସ୍‌ ଛକରେ ୧୨୦ ଇନଫାଣ୍ଟ୍ରି ବାଟାଲିୟନକୁ ଯେତିକି ଜମି ଆବଣ୍ଟନ ହୋଇଥିଲା ତାହାଠାରୁ ଅଧିକ ୭ଏକର ଜମି ବାଟାଲିୟନ କବ୍‌ଜାରେ ଅଛି। ଏନେଇ ବିଡିଏ ଡିଜିପିଏସ୍‌ ସର୍ଭେରେ ଜଣାପଡ଼ିବା ପରେ ବାଟାଲିୟନ କର୍ତ୍ତୃପକ୍ଷଙ୍କୁ ଜମି ଫେରସ୍ତ କରିବାକୁ କୁହାଯାଇଥିଲା। ସାଧାରଣ ପ୍ରଶାସନ ବିଭାଗ ୭ଏକର ଜମି ଫେରସ୍ତ କରିବା ଲାଗି ପ୍ରତିରକ୍ଷା ମନ୍ତ୍ରଣାଳୟକୁ ଚିଠି ଲେଖିଥିଲେ। ଏହି ୭ଏକର ଜମି ମିଳିଥିଲେ ଏଥିରେ ପାୱାର ହାଉସ୍‌ ଛକରୁ ୟୁନିଟ-୮ ଡିଏଭି ସ୍କୁଲ ପର୍ଯ୍ୟନ୍ତ ରାସ୍ତା ସମ୍ପ୍ରସାରଣ ଏବଂ ଡ୍ରେନ୍ ହେବ ବୋଲି ନିଷ୍ପତ୍ତି ହୋଇଥିଲା। କିନ୍ତୁ ଡ୍ରେନ୍ ନିର୍ମାଣ ପାଇଁ ପ୍ରତିରକ୍ଷା ମନ୍ତ୍ରଣାଳୟ ଏପ୍ରିଲରେ କେବଳ ୦.୪୪ ଏକର ଜମି ଦେଇଛି। ବାକି ଜମି ଫେରସ୍ତ ପାଇଁ ପୁଣି ଚିଠି ଲେଖିବୁ ବୋଲି ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ କୁହାଯାଇଛି। ୧୨୦ ଇନଫାଣ୍ଟ୍ରି ବାଟାଲିୟନ ନୂଆପଲ୍ଲୀ ମୌଜାରେ ଥିବାବେଳେ ଏଠାରେ ଏକର ପିଛା ବେଞ୍ଚମାର୍କ ଭାଲ୍ୟୁ ୧୫କୋଟି ଟଙ୍କା। ତେଣୁ ବାଟାଲିୟନ କବ୍‌ଜାରେ ଥିବା ୭ଏକର ଜମିର ମୂଲ୍ୟ ୧୦୫କୋଟି ଟଙ୍କା ହେବ।

ଅପରପକ୍ଷେ ଆଚାର୍ଯ୍ୟବିହାର ଛକ ନିକଟରେ ଥିବା ଆଇଏମ୍‌ଏମ୍‌ଟି (ପୂର୍ବରୁ ଆର୍‌ଆର୍‌ଏଲ୍‌)କୁ ୧୯୬୪ ମସିହାରେ ୧୪୪ଏକର ଜମି ଆବଣ୍ଟନ ହୋଇଥିବା ବେଳେ ଏବେ ପ୍ରତିଷ୍ଠାନ କବ୍‌ଜାରେ ୧୭୮ଏକର ଜମି ଅଛି। ବାକି ୩୪ଏକର ଜମି ଫେରାଇ ଆଣିବାକୁ ସାଧାରଣ ପ୍ରଶାସନ ବିଭାଗ ଓ ବିଡିଏ ୨୦୧୮ ମସିହାରୁ ଉଦ୍ୟମ କରୁଥି‌ଲେ ହେଁ ଏ ପର୍ଯ୍ୟନ୍ତ ଜମି ମିଳୁନି। ଏନେଇ ହାଇକୋର୍ଟରେ ମାମଲା ବିଚାରାଧୀନ ଥିବାରୁ ଆଇଏମ୍‌ଏମ୍‌ଟି କର୍ତ୍ତୃପକ୍ଷ ଏହା ଉପରେ ଅଧିକ କିଛି କହିବାକୁ ମନା କରିଦେଇଛନ୍ତି। ବିଡିଏର ଜଣେ ଅଧିକାରୀଙ୍କ କହିବାନୁଯାୟୀ, ଆଇଏମ୍‌ଏମ୍‌ଟିକୁ ୧୪୪ ଏକର ଜମି ଦିଆଯାଇଥିବା ବେଳେ ସେମାନେ ୧୭୮ଏକର ଜମିକୁ ପାଚେରି ବୁଲାଇ କବ୍‌ଜା କରିଛନ୍ତି। ତେଣୁ ଅଧିକ ଥିବା ୩୪ଏକର ଜମି ଫେରାଇ ଆଣିବାକୁ ସେମାନଙ୍କୁ ଚିଠି କରିଥିଲୁ। ସେମାନଙ୍କ ପରାମର୍ଶ କ୍ରମେ ପୁଣି କାଉନସିଲ୍‌ ଅଫ୍ ସାଇଣ୍ଟିଫିକ୍ ଆଣ୍ଡ ଇଣ୍ଡଷ୍ଟ୍ରିଆଲ୍ ରିସର୍ଚ୍ଚ (ସିଏସ୍‌ଆଇଆର୍‌)କୁ ମଧ୍ୟ ଚିଠି ଲେଖିଥିଲୁ। କିନ୍ତୁ ଏଯାଏ ଜମି ଫେରାଇ ନାହାନ୍ତି।

ଉକ୍ତ ଅଧିକାରୀଙ୍କ କହିବାନୁଯାୟୀ, ଏଠାରେ କନ୍‌ଭେନ୍‌ସନ୍ ସେଣ୍ଟର ନିର୍ମାଣ ପାଇଁ ପ୍ରଥମେ ୩୪ଏକର ଜମିକୁ ମାଗିଥିଲୁ। ସେମାନେ ରାଜି ନହେବାରୁ ମାତ୍ର ୧୪ଏକର ଜମି ଦେଲେ ବାକି ୨୦ଏକର ଛାଡ଼ିଦେବୁ ବୋଲି ମଧ୍ୟ କୁହାଯାଇଥିଲା। କିନ୍ତୁ ଆମେ ଯେଉଁ ଅଞ୍ଚଳରେ ୧୪ଏକର ଜମି ମାଗିଥିଲୁ ସେମାନେ ଦେଇନଥିଲେ। ତେଣୁ ଆମେ ସେମାନଙ୍କୁ ଆବଣ୍ଟନ ହୋଇନଥିବା ସମସ୍ତ ଜମି ଫେରାଇବାକୁ ଚିଠି କରିଛୁ। ଆଇଏମ୍‌ଏମ୍‌ଟି ସାମନ୍ତପୁରୀ ମୌଜାରେ ଯାଉଥିବାବେଳେ ଏଠାକର ବେଞ୍ଚମାର୍କ ଭାଲ୍ୟୁ ୧୦କୋଟି ରହିଛି। ତେଣୁ ଏହି ୩୪ଏକର ଜମିର ମୂଲ୍ୟ ୩୪୦କୋଟି ହେବ।

ଏହି ପ୍ରସଙ୍ଗରେ ଆଇଏମ୍‌ଏମ୍‌ଟିର ଜଣେ ଅଧିକାରୀ ନାମ ଗୋପନ ରଖି କହିଛନ୍ତି ଯେ ୧୯୬୪ରେ ରିଜିଓନାଲ୍ ରିସର୍ଚ୍ଚ ଲାବୋରେଟୋରି (ଆର୍‌ଆର୍‌ଏଲ୍‌) ପ୍ରତିଷ୍ଠା ହେବେ ବେଳେ ଆମକୁ ୨୦୦ଏକର ଜମି ଦିଆଯିବ ବୋଲି କୁହାଯାଇଥିଲା। କିନ୍ତୁ ୧୭୮ଏକର ଜମି ମିଳିଥିଲା। ଆମକୁ ଯେଉଁ ଅଞ୍ଚଳରେ ପାଚେରି ବୁଲାଇବାକୁ କହିଥିଲେ ଆମେ ସେହି ଅଞ୍ଚଳରେ ପାଚେରି ବୁଲାଇଥିଲୁ। ରେକର୍ଡରେ ଆମକୁ ଯେତିକି ଜମି ଦେଲେ ତା’ର ନକ୍ସା ବି ଦେଇଥିଲେ। ପରେ କହୁଛନ୍ତି ଜମି ଅଧିକ ଦିଆଯାଇଛି। ତିନି ବର୍ଷ ତଳେ ଆମକୁ ସାଧାରଣ ପ୍ରଶାସନ ଓ ବିଡିଏ କର୍ତ୍ତୃପକ୍ଷ ଯେଉଁଠି ଜମି ମାଗିଥିଲେ ବା ଯାହା ଆମ ରେକର୍ଡରେ ନାହିଁ ବୋଲି କହିଥିଲେ ସେଠାରେ ଆମର କ୍ବାର୍ଟର୍ସ ଓ କାର୍ଯ୍ୟାଳୟ ନିର୍ମାଣ ହୋଇଥିଲା। ଆମେ ସେମାନଙ୍କୁ ପଛ ପାର୍ଶ୍ବରୁ ବ୍ୟବହାର ହୋଇନଥିବା ଜମି ନେବାକୁ କହିଥିଲୁ। କିନ୍ତୁ ସେମାନେ ଆମର ନିର୍ମାଣ ହୋଇଥିବା କୋଠା ସହ ଜମି ନେବାକୁ କହିଥିଲେ।

ଏଥିରେ ଆମେ ରାଜି ନହେବାରୁ ବିଡିଏ ଆମକୁ ବେଆଇନ ନିର୍ମାଣ ନେଇ ନୋଟିସ୍‌ କରିଥିଲା। ଜମି ସିଏସ୍‌ଆଇଆର୍‌ ନାମରେ ଥିବାରୁ ଆମ ମୁଖ୍ୟାଳୟ ହିଁ ଏଥିରେ ଚୂଡ଼ାନ୍ତ ନିଷ୍ପତ୍ତି ନେଇପାରିବ। ବିଡିଏ କର୍ତ୍ତୃପକ୍ଷ ଆମକୁ ନୋଟିସ୍ କରି କେସ୍‌ କରିବାରୁ ଆମେ ହାଇକୋର୍ଟରେ କେସ୍ କରିଛୁ। ମାମଲା ବିଚାରାଧୀନ ଥିବାରୁ ଅଧିକ କିଛି କହିହେବନି। ଏହାଛଡ଼ା ସାଧାରଣ ପ୍ରଶାସନ ବିଭାଗ ଆମକୁ ପ୍ରଥମେ ଯେଉଁ ଜମି ଦେଇଥିଲା ବା ଯେତିକି ଅଞ୍ଚଳ ଆମର ବୋଲି କହିଥିଲା ସେଥିରୁ ୧୭ଏକର ଜମି ପ୍ଲାନେଟୋରିୟମ, ଓକାକ୍ ପ୍ରତିଷ୍ଠା ପାଇଁ ବହୁ ବର୍ଷ ପୂର୍ବରୁ ନେଇଯାଇଛନ୍ତି। ଏବେ ଆମର ୩୦ଏକର ଜମି ନେବାକୁ ଯୋଜନା କରିଛନ୍ତି। ଅପରପକ୍ଷେ ସୈନିକ ସ୍କୁଲ କର୍ତ୍ତୃପକ୍ଷ ଏନେଇ କିଛି କହିପାରିବେନି ବୋଲି କହିଥିବା ବେଳେ ୧୨୦ ଇନଫାଣ୍ଟ୍ରି ବାଟାଲିୟନ୍ କର୍ତ୍ତୃପକ୍ଷଙ୍କୁ ଯୋଗାଯୋଗ କରାଯାଇଥିଲେ ହେଁ ଉତ୍ତର ମିଳି ନଥିଲା।

ସମ୍ବନ୍ଧିତ ଖବର