ଗୋ-ସୁରକ୍ଷା‌ ନେଇ ସରକାରଙ୍କ ସତ୍ୟପାଠ, ପ୍ରତିବର୍ଷ ବଢ଼ି ଚାଲିଛି ମାମଲା ସଂଖ୍ୟା

କଟକ: ପ୍ରତିବର୍ଷ ରାଜ୍ୟରେ ବେଆଇନ ଗୋ-ଚାଲାଣ ଓ ପଶୁଙ୍କ ପ୍ରତି ନିଷ୍ଠୁରତା ଭଳି ମାମଲା ବଢୁଛି। ଗୋ-ହତ୍ୟା ଓ ବେଆଇନ ଗୋ ଚାଲାଣ ରୋକିବା ପ୍ରସଂଗକୁ ନେଇ ବିଚାରାଧୀନ ଜନସ୍ବାର୍ଥ ମାମଲାରେ ହାଇକୋର୍ଟରେ ରାଜ୍ୟ ସରକାରଙ୍କ ତରଫରୁ ଦାଖଲ ସତ୍ୟପାଠରୁ ଏଭଳି ଘଟଣା ସ୍ପଷ୍ଟ ହୋଇଛି।

କ୍ରାଇମବ୍ରାଞ୍ଚ ଡିଏସପି ସରୋଜକାନ୍ତ ମହାନ୍ତଙ୍କ ସତ୍ୟପାଠରେ ବିଗତ ୫ ବର୍ଷରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଗୋ-ଚାଲାଣ ଓ ପଶୁଙ୍କ ପ୍ରତି ନିଷ୍ଠୁରତା ମାମଲାର ତଥ୍ୟ ଦିଆଯାଇଛି। ୨୦୧୭ରେ ରାଜ୍ୟରେ ମୋଟ ୧୧୭ଟି ଏପରି ମାମଲା ରୁଜୁ ହୋଇଥିବା ବେଳେ ୨୦୧୮ରେ ୧୩୯, ୨୦୧୯ରେ ୧୩୯, ୨୦୨୦ରେ ୨୬୭ ଓ ୨୦୨୧ରେ ୩୭୧ ଏଭଳି ମାମଲା ପଞ୍ଜୀକୃତ ହୋଇଥିଲା। ୨୦୨୧ରେ ଭଦ୍ରକରେ ସର୍ବାଧିକ ୬୨ଟି ମାମଲା ରୁଜୁ ହୋଇଥିବାବେଳେ ଦ୍ବିତୀୟ ସ୍ଥାନରେ ଥିବା ବାଲେଶ୍ବରରେ ୫୭ ଓ ତୃତୀୟ ସ୍ଥାନରେ ଥିବା ସମ୍ବଲପୁରରେ ୨୭ଟି ଘଟଣାକୁ ନେଇ ଏତଲା ଦାୟର ହୋଇଥିଲା। ୨୦୨୧ରେ ସୋନପୁର, ଗଞ୍ଜାମ, ବୌଦ୍ଧ, କୋରାପୁଟ, କଳାହାଣ୍ଡି, ନୂଆପଡ଼ା, ରାଉରକେଲା ଜିଆରପି ଓ କଟକ ଜିଆରପିରେ ଏଭଳି କୌଣସି ମାମଲା ରୁଜୁ ହୋଇନାହିଁ। ଅନ୍ୟପକ୍ଷରେ, ୨୦୨୧ରେ ବେଆଇନ ଗୋ-ଚାଲାଣ ନେଇ କମିସନରେଟ ପୁଲିସର ଭୁବନେଶ୍ବରରେ ୯ଟି ଓ କଟକରେ ୧୩‌ଟି ମାମଲା ରୁଜୁ ହୋଇଥିଲା ବୋଲି ଦାଖଲ ସତ୍ୟପାଠରୁ ସ୍ପଷ୍ଟ ହୋଇଛି।

ପ୍ରିଭେନସନ୍ ଅଫ କ୍ରୁଏଲିଟି ଟୁ ଆନିମଲ ଆଇନ, ୧୯୬୭ ଓ ପ୍ରିଭେନସନ୍ ଅଫ୍ କାଓ ସ୍ଲଟର ଆଇନ, ୧୯୬୦, ଓଡ଼ିଶା ପ୍ରିଭେନସନ୍ ଅଫ୍ କାଓ ସ୍ଲଟର ନିୟମାବଳୀ, ୧୯୬୬ ଓ ଆଇପିସରରେ ରହିଥିବା ବ୍ୟବସ୍ଥା ରାଜ୍ୟରେ ବେଆଇନ ଗୋ ଚାଲାଣ ଓ ପଶୁଙ୍କ ପ୍ରତି ନିଷ୍ଠୁରତା ରୋକିବା ପାଇଁ କଡାକଡ଼ି କାର୍ଯ୍ୟକାରୀ କରାଯାଉଛି। ଏହିସବୁ ଆଇନ ଏଭଳି ଘଟଣା ରୋକିବାକୁ ଯଥେଷ୍ଟ ବୋଲି ସତ୍ୟପାଠରେ ଉଲ୍ଲେଖ କରାଯାଇଛି। ମୁଖ୍ୟ ବିଚରପତି ଡକ୍ଟର ଜଷ୍ଟିସ ଏସ.ମୁରଲୀଧର ଓ ଜଷ୍ଟିସ ଆର.କେ.ପଟ୍ଟନାୟକଙ୍କୁ ନେଇ ଗଠିତ ଖଣ୍ଡପୀଠ ସରକାରଙ୍କ ଜବାବ ଉପରେ ପ୍ରତିଜବାବ ଦାଖଲ ପାଇଁ ଆବେଦନକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ସେପ୍ଟେମ୍ବର ୧୩କୁ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଧାର୍ଯ୍ୟ କରାଯାଇଛି।

ଉଲ୍ଲେଖଯୋଗ୍ୟ ଯେ ଗୋ ସୁରକ୍ଷା ପାଇଁ ଓଡ଼ିଶା ପ୍ରି‌ଭେନସନ୍ ଅଫ୍ କାଓ ସ୍ଲଟର ଆକ୍ଟ ଓ ଏ ସଂପର୍କିତ ନିୟମାବଳୀ ରହିଛି। କିନ୍ତୁ ଆଇନ ଓ ନିୟମାବଳୀ କଡ଼ା କଡ଼ି ପାଳନ କରାଯାଉ ନାହିଁ ବୋଲି ଅଭିଯୋଗ କରି ହାଇକୋର୍ଟରେ ଜୟନ୍ତୀ ଦାସ ଏହି ମାମଲା ଦାୟର କରିଥିଲେ। ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ବିଜୟ କୁମାର ରଗଡ଼ ମାମଲା ପରିଚାଳନା କରୁଛନ୍ତି।

ସମ୍ବନ୍ଧିତ ଖବର