ଦେବଗଡ଼: ଯୌତୁକ ଲାଗି ଜଣେ ମହିଳାଙ୍କୁ ହତ୍ୟା କରାଯାଇଥିବା ବାରକୋଟ ଥାନାରେ ଅଭିଯୋଗ ହୋଇଛି। ଏହି ଘଟଣାରେ ପୁଲିସ ସଇଡା ଗ୍ରାମର ୩ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି। ପୁଲିସ ସୂଚନା ଅନୁଯାୟୀ, ୨୦୨୦ ମେ ମାସ ୧୨ ତାରିଖ ଦିନ ବାରକୋଟ ଥାନା ଅନ୍ତର୍ଗତ ସଇଡା ଗ୍ରାମର କୈବଲ୍ୟ ଗଡ଼ନାୟକଙ୍କ ସହିତ ବ୍ରହ୍ମସାଧୁବାହାଳ ଗ୍ରାମର ସୁନିତା ଦେହୁରୀଙ୍କ ବୈଦିକ ରୀତିରେ ବିବାହ ହୋଇଥିଲା। ବର୍ତ୍ତମାନ ସେମାନଙ୍କର ୭ ମାସର ପୁତ୍ର ରହିଛି। ବାହାଘର ସମୟରେ ସୁନିତାଙ୍କ ବାପଘର ଲୋକ ବିଭିନ୍ନ ଜିନିଷ ମଧ୍ୟ ପ୍ରଦାନ କରିଥିଲେ।
କୈବଲ୍ୟ ଓ ତାଙ୍କ ପରିବାର ଲୋକ ଏହାକୁ ନେଇ ସନ୍ତୁଷ୍ଟ ନଥିଲେ। ସୁନିତାଙ୍କୁ ବିଭିନ୍ନ ସମୟରେ ଶାରୀରିକ ଓ ମାନସିକ ନିର୍ଯାତନା ଦେଉଥିଲେ। ବୁଧବାର ବିଳମ୍ବିତ ରାତିରେ ସୁନିତା ଶୋଇବା ଘର ଫ୍ୟାନ୍ରେ ରଶି ଲଗାଇ ଆତ୍ମହତ୍ୟା କରିଥିବା କୈବଲ୍ୟ ତାଙ୍କ ଶ୍ବଶୁର ଘର ଲୋକଙ୍କୁ ସୂଚନା ଦେଇଥିଲେ। ଖବରପାଇ ସୁନିତାଙ୍କ ବାପଘର ଲୋକ ସଇଡାରେ ପହଞ୍ଚି ଝିଅର ମୃତଦେହ ପଡ଼ିଥିବା ଦେଖିବାକୁ ପାଇଥିଲେ। ଏ ନେଇ ସୁନିତାଙ୍କ ପରିବାର ଲୋକ ବାରକୋଟ ଥାନାରେ ଲିଖିତ ଅଭିଯୋଗ କରିଥିଲେ।
ପୁଲିସ ଓ ସାଇଣ୍ଟିଫିକ ଟିମ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରିବା ସହିତ ଘଟଣାର ତଦନ୍ତ ଆରମ୍ଭ କରିଥିଲେ। ଦେବଗଡ ଏସଡିପିଓ ପ୍ରତ୍ୟୁଷ ମହାପାତ୍ର ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଥିଲେ। ସୁନିତାଙ୍କ ସ୍ବାମୀ କୈବଲ୍ୟ, ତାଙ୍କ ଭାଇ କସ୍ତୁ ଓ ତାଙ୍କର ସ୍ତ୍ରୀ ଗଜିତା ଗଡନାୟକ ମିଶି ସୁନିତାକୁ ମାରିଦେଇଥିବା ତାଙ୍କର ପରିବାର ଲୋକ ଅଭିଯୋଗ କରିଛନ୍ତି। ବ୍ୟବଚ୍ଛେଦ ପରେ ପୁଲିସ ମୃତଦେହକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି। ବାରକୋଟ ଥାନା ପୁଲିସ ସ୍ବାମୀ କୈବଲ୍ୟ, ଭାଇ କସ୍ତୁ ଓ ତାଙ୍କ ସ୍ତ୍ରୀ ଗଜିତାଙ୍କୁ ଅଟକ ରଖି ଅଧିକ ପଚାରାଉଚରା ଜାରି ରଖିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/03/arrest-2.jpg)