ବାଲେଶ୍ବର: ଗତ ସପ୍ତାହେ ଧରି ସହରରେ ସିରିଜ୍ ଲୁଟ୍ ଚଳାଇଥିବା ଲୁଟେରା ଗ୍ୟାଙ୍ଗ୍କୁ ଧରିବା ଲାଗି ପୁଲିସ ଛାନ୍ଭିନ୍ ଚଳାଇଛି ବୋଲି ବାହାସ୍ଫୋଟ ମାରୁଥିବା ବେଳେ ଲୁଟେରାଗ୍ୟାଙ୍ଗ୍ କିନ୍ତୁ ଲୁଚିଛପି ନୁହେଁ ବରଂ ବିଚ୍ ରାସ୍ତା ଉପରକୁ ଆସି ପୁଲିସର ପାରିବାପଣିଆକୁ ଚ୍ୟାଲେଞ୍ଜ୍ କରୁଛନ୍ତି। ଚୋର-ପୁଲିସର ଏହି ଛକାପଞ୍ଝା ଭିତରେ ଶନିବାର ଭୋର୍ ସମୟରେ ପୁଣି ଜଣେ ମହିଳା ଲୁଟ୍ର ଶିକାର ହୋଇଛନ୍ତି। ସବୁଠୁ ଆଶ୍ଚର୍ଯ୍ୟ କଥା ହେଉଛି ଲୁଟ୍ର ଶିକାର ହୋଇଥିବା ମହିଳା ଜଣକ ଜଣେ ପୁଲିସବାବୁଙ୍କ ପତ୍ନୀ ବୋଲି ଜଣାପଡ଼ିଛି। ତେବେ ବଢ଼ିଚାଲିଥିବା ଅପରାଧର ମୁକାବିଲା କରିବାରେ ପୁଲିସ କେତେ ତତ୍ପରତା ଦେଖାଉଛି, ସେ ବିଷୟରେ ପୁଲିସବାବୁ ଜଣକ ଭଲଭାବେ ଜାଣିଥିବାରୁ ଏନେଇ ସେ ଥାନାରେ ଅଭିଯୋଗ କରିବେ ନା ନାହିଁ ଚିନ୍ତା କରିବାକୁ ତାଙ୍କୁ ଗୋଟିଏ ଦିନ ସମୟ ଲାଗିଯାଇଛି। ଶେଷରେ ବାଧ୍ୟ ହୋଇ ଥାନାକୁ ଆସି ସେ ଲିଖିତ ଅଭିଯୋଗ କରିଥିବା କହିଛନ୍ତି।
ସୂଚନା ଥାଉକି, ଏ ଘଟଣା ହେଉଛି ଶନିବାର ଦିନ ଭୋର୍ ସମୟର। ସହଦେବଖୁଣ୍ଟା ମଡେଲ ଥାନା ଅଧୀନରେ ଆସୁଥିବା ଭୀମପୁରାରେ ରହନ୍ତି ଜିଲ୍ଲା ପୁଲିସ ଅଧୀନରେ କାର୍ଯ୍ୟରତ ହାବିଲାଦାର ଅଞ୍ଜନ କୁମାର ମିଶ୍ର। ଏବେ ଶ୍ରୀ ମିଶ୍ର ନୀଳଗିରି ଉପଖଣ୍ଡ ରାଜବରହମ୍ପୁର ଥାନାରେ ସିଆଇ ହାବିଲଦାର ରହିଥିବା ବେଳେ ବାଲେଶ୍ବର ସହଦେବଖୁଣ୍ଟା ମଡେଲ ଥାନା ଅଧୀନ ଭୀମପୁରା ଅଞ୍ଚଳର କଳିଙ୍ଗ ନର୍ସିଂହୋମ୍ ନିକଟରେ ତାଙ୍କ ପରିବାର ରହୁଛନ୍ତି। ଗତ ଶନିବାର ଭୋର୍ ସାଢ଼େ ୫ଟା ସମୟରେ ଶ୍ରୀ ମିଶ୍ରଙ୍କ ପତ୍ନୀ କୁଞ୍ଜଲତା ଘର ପାଖରେ ଫୁଲ ତୋଳୁଥିବା ବେଳେ ଏକ କଳାରଂଗର ପଲସର ବାଇକ୍ରେ ୨ ଜଣ ଦୁର୍ବୃତ୍ତ ସେଠାରେ ପହଞ୍ଚିଥିଲେ। ସେଠାରେ କୁଞ୍ଜଲତା ଏକୁଟିଆ ଥିବା ଦେଖି ଦୁହିଁଙ୍କ ମଧ୍ୟରୁ ଜଣେ ବାଇକରୁ ଓହ୍ଲାଇ ତାଙ୍କ ବେକକୁ ଧରି ଏକ କଟର(କଟା ଯନ୍ତ୍ର) ଦ୍ବାରା ସୁନାଚେନ୍ କାଟି ନେଇ ଆଖି ପିଛୁଳାକେ ଫେରାର ହୋଇଯାଇଥିଲେ।
ଏନେଇ ପତ୍ନୀଙ୍କଠାରୁ ଖବର ପାଇବା ପରେ ହାବିଲଦାର ଶ୍ରୀ ମିଶ୍ର ଡ୍ୟୁଟି ସାରି ଘରେ ପହଞ୍ଚିଥିଲେ। ଘଟଣା ସମ୍ପର୍କରେ ଆଉଥରେ ପତ୍ନୀଙ୍କୁ ପଚାରିବା ପରେ ଥାନାରେ ଅଭିଯୋଗ କରିବେ କି ନାହିଁ ସେ ବିଷୟରେ ଭାବି ଭାବି ଦିନ ବିତିଯାଇଥିଲା ହେଲେ ସେ ନିଷ୍ପତ୍ତି ନେଇ ପାରିନଥିଲେ। କାରଣ ବାଲେଶ୍ବର ସହରରେ ଲଗାତାର ବଢ଼ି ଚାଲିଥିବା ଅପରାଧ ଓ ତାର ମୁକାବିଲା ନେଇ ପୁଲିସ କେତେ ତତ୍ପର ସେ ବୋଧେ ନିଜେ ଜାଣିପାରିଥିଲେ। ଅନିଚ୍ଛା ସତ୍ତ୍ବେ ପରଦିନ ପୂର୍ବାହ୍ନରେ ଶ୍ରୀ ମିଶ୍ର ଓ ତାଙ୍କ ପତ୍ନୀ ସହଦେବଖୁଣ୍ଟା ଥାନାକୁ ଆସି ତାଙ୍କ ସୁନାହାର ଲୁଟ୍ ସମ୍ପର୍କରେ ଅଭିଯୋଗ କରିଛନ୍ତି। ହେଲେ ଉକ୍ତ ଅଭିଯୋଗ ମୂଳେ ପୁଲିସ କିଛି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି କି ନାହିଁ ସେ ସମ୍ପର୍କରେ ଥାନା ତରଫରୁ କୌଣସି ସୂଚନା ମିଳିପାରିନାହିଁ।