ଚତୁର୍ଥ ପର୍ଯ୍ୟାୟରେ ୭୩% ଭୋଟ୍‌: ଅପେକ୍ଷାକୃତ ଶାନ୍ତିପୂର୍ଣ୍ଣ ମତଦାନ, ବିଭିନ୍ନ ସ୍ଥାନରେ ଭୋଟ୍‌ ବର୍ଜନ

କେନ୍ଦ୍ରାପଡ଼ା,ଯାଜପୁରରେ ବାଲଟ୍ ପେପରରେ ତ୍ରୁଟି ପାଇଁ ନିର୍ବାଚନ ସ୍ଥଗିତ

ଭୁବନେଶ୍ବର: ପଞ୍ଚାୟତ ନିର୍ବାଚନର ତିନିଟି ପର୍ଯ୍ୟାୟରେ ବ୍ୟାପକ ନିର୍ବାଚନୀ ହିଂସା ହେବାରୁ ଚତୁର୍ଥ ପର୍ଯ୍ୟାୟ ପାଇଁ ସବୁ ସମ୍ବେଦନଶୀଳ ଓ ଅଧିକ ଉତ୍ତେଜନା ପ୍ରବଣ ବୁଥ୍‌ରେ ସୁରକ୍ଷା ବ୍ୟବସ୍ଥା ବଢ଼ାଇ ଦିଆଯାଇଥିଲା। ଫଳରେ ବହୁ ସ୍ଥାନରେ ନିଶ୍ଚିତ ଗଣ୍ଡଗୋଳ ପରିସ୍ଥିତି ଏଡ଼ାଇ ଦିଆଯାଇପାରିଛି। ଏହି ପର୍ଯ୍ୟାୟ ନିର୍ବାଚନ ପାଖାପାଖି ଶାନ୍ତିପୂର୍ଣ୍ଣ ଭାବେ ଶେଷ ହୋଇଛି। ହେଲେ, ଏଥର ଅନେକ ସ୍ଥାନରେ ଲୋକମାନେ ସେମାନଙ୍କର ବିଭିନ୍ନ ଦାବି ନେଇ ଭୋଟ୍ ବର୍ଜନ କରିଥିବା ଜଣାପଡ଼ିଛି।
ରାଜ୍ୟର ୨୭ଟି ଜିଲ୍ଲାର ୬୪ଟି ବ୍ଲକରେ ୧୬୩ଟି ଜିଲ୍ଲା ପରିଷଦ ଜୋନ୍‌ରେ ୧୨୫୪ଟି ଗ୍ରାମପଞ୍ଚାୟତରେ ଆଜି ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ଶେଷ ହୋଇଛି। ପ୍ରାରମ୍ଭିକ ସୂଚନା ଅନୁଯାୟୀ ଆଜି ପ୍ରାୟ ୭୩% ମତଦାନ ହୋଇଥିବା ରାଜ୍ୟ ନିର୍ବାଚନ କମିସନ କହିଛନ୍ତି।

ନିର୍ବାଚନୀ ହିଂସା ଓ ବୁଥ୍‌ ରିଗିଂକୁ ନଜରରେ ରଖି ପୁଲିସ ବିଭାଗ ପକ୍ଷରୁ ଅଧିକ ୧୭ପ୍ଲାଟୁନ୍ ଫୋର୍ସ ମୁତୟନ ହୋଇଥିବାରୁ ବହୁ ସ୍ଥାନରେ ସମ୍ଭାବ୍ୟ ଉତ୍ତେଜନାକୁ ଏଡ଼ାଇ ଦିଆଯାଇଛି। କେବଳ କେନ୍ଦୁଝରର ଯୋଡ଼ା, ଚମ୍ପୁଆ, ଭଦ୍ରକର ଧାମନଗର ସମେତ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଭୋଟ୍ ବେଳେ ଉତ୍ତେଜନା ଦେଖାଦେଇଥିଲା। ତେବେ ନିର୍ବାଚନୀ ହିଂସା ନେଇ ରାଜ୍ୟ ନିର୍ବାଚନ କମିସନଙ୍କ ପକ୍ଷରୁ କିଛି ବିଧିବଦ୍ଧ ସୂଚନା ଦିଆଯାଇନି। ନିର୍ବାଚନ କମିସନ କହିଛନ୍ତି ଯେ ଯାଜପୁର ଓ କେନ୍ଦ୍ରାପଡ଼ାରେ ଦୁଇଟି ସ୍ଥାନରେ ବାଲଟ୍ ପେପର‌ ଫୋଲଡିଂ‌େର ତ୍ରୁଟି ଥିବାରୁ ନିର୍ବାଚନ ବାତିଲ୍ କରାଯାଇଛି। କେନ୍ଦ୍ରାପଡ଼ା ଜିଲ୍ଲା ଗରଦପୁର ବ୍ଲକର ବଙ୍ଗଳାପୁର ନୂଆଶାସନରେ ସରପଞ୍ଚ ପଦବି ପାଇଁ ପ୍ରସ୍ତୁତ ହୋଇଥିବା ବାଲଟ୍ ପେପର ଫୋଲଡିଂରେ ତ୍ରୁଟି ଥିବାରୁ ଏଠାରେ ସରପଞ୍ଚ ପଦବି ପାଇଁ ଭୋଟ୍ ହୋଇନଥିଲା। ବାକି ପଦବି ପାଇଁ ମତଦାନ ହୋଇଥିଲା। ସେହିପରି ଯାଜପୁର ଜିଲ୍ଲାର ଗୋଟିଏ ବୁଥ୍‌ରେ ୱାର୍ଡମେମ୍ବର ପଦବି ପାଇଁ ଥିବା ବାଲଟ୍ ପେପର ଫୋଲଡିଂରେ ତ୍ରୁଟି ଯୋଗୁଁ ଏଠାରେ ଏହି ପଦବି ପାଇଁ ନିର୍ବାଚନ ହୋଇନି। କିନ୍ତୁ ବାକି ପଦବି ପାଇଁ ନିର୍ବାଚନ ହୋଇଛି। ପରେ ଏଠାରେ ନିର୍ବାଚନ ହେବ।

ଅନ୍ୟପକ୍ଷରେ ଆଜି ବିଭିନ୍ନ ସ୍ଥାନରେ ଭୋଟ ବର୍ଜନ ଖବର ମିଳିଛି। ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ବ୍ଲକର ବାମ୍‌ ପଞ୍ଚାୟତ ଅନ୍ତର୍ଗତ ପାକଟମୁଣ୍ଡା ଗ୍ରାମବାସୀ ‘ରାସ୍ତା ନାହିଁ ତ ଭୋଟ୍ ନାହିଁ’ ନାରା ଦେଇ ଭୋଟ୍ ବର୍ଜନ କରିଛନ୍ତି। ଗାଁରେ ମୋଟ୍ ୩୩୬ ଜଣ‌ ଭୋଟର ଥିବାବେଳେ ଜଣେ ବି ଭୋଟ୍ ଦେଇନାହାନ୍ତି। ସେହିପରି କୋରାପୁଟ ଜିଲ୍ଲା ଦଶମନ୍ତପୁର ବ୍ଲକ ଅନ୍ତର୍ଗତ ପାଇକ ଫୁଲବେଡ଼ା ପଞ୍ଚାୟତର ୩ଟି ଗାଁର ଲୋକ ରାସ୍ତା, ପାଣି ସମସ୍ୟା ପାଇଁ ଭୋଟ୍‌ ବର୍ଜନ କରିଥିଲେ ଝାପ୍ରାପଦର, ତେନ୍ତୁଳିଗୁଡ଼ା, ସଲପଗୁଡ଼ା‌ ଅଞ୍ଚଳବାସୀ ‘ରାସ୍ତା ନାହିଁ ତ ଭୋଟ୍‌ ନାହିଁ, ପାଣି ଦିଅ ଭୋଟ୍‌ ନିଅ’ ନାରା ଦେଇ ଭୋଟ୍ ବର୍ଜନ କରିଥିଲେ। କିନ୍ତୁ ପ୍ରଶାସନ ପ୍ରତିଶ୍ରୁତି ଦେବା ପରେ ୪ଘଣ୍ଟା ବିଳମ୍ବରେ ପୁଣି ମତଦାନ ହୋଇଥିଲା। ନବରଙ୍ଗପୁର ପାପଡ଼ାହାଣ୍ଡି ବ୍ଲକ ଘାଟଗୁଡା ପଞ୍ଚାୟତ କାଙ୍ଗୁମାଝିଗୁଡା ଗାଁରେ ବି ସମାନ ଦୃଶ୍ୟ ଦେଖିବାକୁ ମିଳିଛି। ଏଠାରେ ୨୦୨ ଜଣ ଭୋଟର ଭୋଟ୍‌ ବର୍ଜନ କରିଛନ୍ତି। ୱାର୍ଡମେମ୍ବର ପଦବି ଅନୁସୂଚିତ ଜନଜାତି ପାଇଁ ସଂରକ୍ଷିତ କରାଯାଇଥିବାରୁ ଏହାକୁ ବିରୋଧ କରି ଗ୍ରାମବାସୀ ଭୋଟ୍‌ ବର୍ଜନ କରିଛନ୍ତି। ଏହି ଜିଲ୍ଲାର ମଇଦଲପୁର ପଞ୍ଚାୟତର ବରିପଦର ଗ୍ରାମର ୩ନଂ ୱାର୍ଡରେ ଲୋକମାନେ ଭୋଟ୍‌ ବର୍ଜନ କରିଥିବା ବେଳେ ପ୍ରଶାସନ ଲିଖିତ ପ୍ରତିଶ୍ରୁତି ଦେବା ପରେ ମତଦାନ ହୋଇଛି। ଗାଁକୁ ରାସ୍ତା ଦିଅ ଭୋଟ ନିଅ, ପିଇବା ପାଣି ଦିଅ ଭୋଟ ନିଅ, ଆବାସ ଓ ଭତ୍ତା ଦିଅ ଭୋଟ ନିଅ। ଏହି ନାରା ଦେଇ ଗ୍ରାମବାସୀ ଭୋଟ୍‌ ବର୍ଜନ କରିଥିଲେ। ବାରମ୍ବାର ବୁଝାଇବା ପରେ ବି ଗ୍ରାମବାସୀ ନମାନିବାରୁ ସ୍ଥାନୀୟ ପ୍ରଶାସନ ସାଢ଼େ ୫ଘଣ୍ଟା ପରେ ଅର୍ଥାତ୍ ମଧ୍ୟାହ୍ନ ୧୨ଟା ୩୦ରେ ଲିଖିତ ପ୍ରତିଶ୍ରୁତି ଦେବାରୁ ପୁଣି ଲୋକମାନେ ଭୋଟ୍‌ ଦେଇଥିଲେ। ରାୟଗଡା ଜିଲ୍ଲାର କୋଲନରା ବ୍ଲକର ସୁରୀ ପଞ୍ଚାୟତର କମ୍ବୁଗୁଡ଼ା ଗ୍ରାମବାସୀ ବୁଥ ସ୍ଥାନାନ୍ତରକୁ ବିରୋଧ କରି ଭୋଟ୍‌ ବର୍ଜନ କରିଛନ୍ତି। ପୂର୍ବରୁ ଏଠାରେ ଅସ୍ଥାୟୀ ବୁଥ୍‌ କରି ଭୋଟ୍‌ ଗ୍ରହଣ କରାଯାଉଥିଲା, କିନ୍ତୁ ଏଥର ବୁଥ୍‌କୁ ମୋଉଡ଼ିଗୁଡ଼ା ପ୍ରାଥମିକ ବିଦ୍ୟାଳୟକୁ ସ୍ଥାନାନ୍ତର କରାଯାଇଥିବାରୁ ଏହାକୁ ଗ୍ରାମବାସୀ ବିରୋଧ କରିଛନ୍ତି। ଏହିପରି ରାଜ୍ୟର ଆଉ କିଛି ଅଞ୍ଚଳରେ ଲୋକମାନେ ଭୋଟ୍‌ ବର୍ଜନ କରିଛନ୍ତି। ଗୁରୁବାର ଦିନ ରାଜ୍ୟର ୨୫ଟି ଜିଲ୍ଲାର ୪୮ଟି ବ୍ଲକର ୧୩୧ଟି ଜିଲ୍ଲା ପରିଷଦ ଜୋନ୍‌ର ୯୭୫ଟି ଗ୍ରାମପଞ୍ଚାୟତ ପାଇଁ ୧୩୫୧୪ଟି ବୁଥ୍‌ରେ ମତଦାନ ହେବାକୁ ଥିବାବେଳେ ଏଠାରେ ୪୧ଲକ୍ଷ ୮୮ହଜାର ୩୮୨ଜଣ ମତଦାତା ଭୋଟ୍‌ ଦେବେ। ଆଜି ସଂଧ୍ୟା ୭ଟାରୁ ଏଠାରେ ପ୍ରଚାର ଶେଷ ହୋଇଛି। ହେଲେ ନିର୍ବାଚନୀ ହିଂସା ବଢ଼ୁଥିବାରୁ ଏହି ନିର୍ବାଚନମଣ୍ଡଳୀ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି।

ଜାଲିଆତି: ୨୦୦ ଭୋଟରଙ୍କ ନାଁ ଦୁଇଟି ଜାଗାରେ

ଯାଜପୁରସଦର: ଚଳିତ ପଞ୍ଚାୟତ ନିର୍ବାଚନର ପ୍ରଥମ ତିନିଟି ପର୍ଯ୍ୟାୟରେ ହିଂସାକାଣ୍ଡ ଯୋଗୁ ଚର୍ଚ୍ଚାକୁ ଆସିଥିବା ଯାଜପୁର ଜିଲ୍ଲାରେ ଆଉ ଏକ ସାଂଘାତିକ ତ୍ରୁଟି ସାମ୍‌ନାକୁ ଆସିଛି। ପାଖାପାଖି ୨୦୦ ଜଣ ଭୋଟର୍‌ଙ୍କ ନଁା ଦୁଇଟି ଜାଗାରେ ରହିଛି। ଏତେ ସଂଖ୍ୟକ ଭୋଟର୍‌ଙ୍କ ନଁା ଦୁଇଟି ଜାଗାରେ ରହିବା ସ୍ବଚ୍ଛ ଓ ଅବାଧ ନିର୍ବାଚନ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ବ୍ୟାପକ ଜାଲିଆତି ଉଦ୍ଦେଶ୍ୟରେ ଏପରି କରାଯାଇଥିବା ସାଧାରଣରେ ଅଭିଯୋଗ ‌ହୋଇଛି। ଗୁରୁତ୍ବପୂର୍ଣ୍ଣ ବିଷୟ ହେଉଛି, ଯେଉଁ ପଞ୍ଚାୟତରେ ୩ଜଣ ସାମ୍ବାଦିକ ଆକ୍ରମଣର ଶିକାର ହୋଇଥିଲେ ସେହି ପଞ୍ଚାୟତରେ ହିଁ ଏହି ଏହିଭଳି ତ୍ରୁଟି ଦେଖିବାକୁ ମିଳିଛି। ଏହି ପଞ୍ଚାୟତ ହେଉଛି, ବିଂଝାରପୁର ବ୍ଲକ ବାଛୋଳ। ଏହି ପଞ୍ଚାୟତରେ ୧୧ଟି ୱାର୍ଡ ରହିଥିବାବେଳେ ପାଖାପାଖି ୩୮୦୦ ଭୋଟର ରହିଛନ୍ତି। ଅନେକ ୱାର୍ଡରେ ଜଣେଜଣେ ଭୋଟରଙ୍କ ନାମ ଏକାଧିକ ଥର ଉକ୍ତ ତାଲିକାରେ ରହିଛି। ସୂଚନା ଅନୁସାରେ, ୯ ନମ୍ବର ବୁଥର ଶହେ ଭୋଟରଙ୍କ ନାମ ୧୧ ନମ୍ବର ବୁଥ୍‌ର ଭୋଟର ତାଲିକାରେ ରହିଛି। ୯ ନମ୍ବର ୱାର୍ଡରେ କ୍ରମିକ ସଂଖ୍ୟା ୨୫୫ରୁ ୩୫୪ ପର୍ଯ୍ୟନ୍ତ ‌‌ଯେଉଁ ଭୋଟରଙ୍କ ନାମ ରହିଛି, ସେହି ପଞ୍ଚାୟତ ୧୧ ନମ୍ବର ୱାର୍ଡର କ୍ରମିକ ସଂଖ୍ୟା ୯୧ରୁ ୧୯୧ ପର୍ଯ୍ୟନ୍ତ ସମାନ ଭୋଟରଙ୍କ ନାମ ରହିଛି। ଅନେକ ଭୋଟର ଦୁଇଟି ସ୍ଥାନରେ ଆଇନଗତ ଭାବେ ଭୋଟ ଦେବାକୁ ସକ୍ଷମ ହୋଇପାରିଛନ୍ତି। ଏପରିକି ସେହି କ୍ରମିକ ସଂଖ୍ୟାକୁ ବ୍ୟବହାର କରି ଜାଲ୍‌ ଭୋଟ ଦେବାରେ ମଧ୍ୟ କୌଣସି ଅସୁବିଧା ନାହିଁ ବୋଲି ଅଭିଯୋଗ ହେଉଛି। ଏହି ସଂଖ୍ୟା ପାଖାପାଖି ୨୦୦ ବୋଲି ଜଣାପଡ଼ିଛି।

ହସ୍ତଗତ ତଥ୍ୟ ଅନୁଯାୟୀ, ଏହି ପଞ୍ଚାୟତର ୯ ନମ୍ବର ବୁଥରେ ଲକ୍ଷ୍ମୀପ୍ରିୟା ଜେନାଙ୍କ ନାମ ୩ ଥର, ଲକ୍ଷ୍ମୀପ୍ରିୟା ସାହୁ୍ଙ୍କ ନାମ ୩ ଥର, ପୁନର୍ବାର ୧୧ ନମ୍ବର ବୁଥରେ ଲକ୍ଷ୍ମୀପ୍ରିୟା ସାହୁ ୩ ଥର ଓ ଲକ୍ଷ୍ମୀପ୍ରିୟା ଜେନାଙ୍କ ନାମ ୩ ଥର ରହିଛି। ୧ ନମ୍ବର ବୁଥରେ ଇତିଶ୍ରୀ ନାୟକ ୪ଥର, ଦେବବ୍ରତ ବେହେରା ୩ଥର, ପୂର୍ଣ୍ଣଲତା ବାରିକ ୪ଥର, ସଂଜୀବ କୁମାର ଦାସ ୩ ଥର, ଅମିୟ କୁମାର ଧଳ ୪ଥର, ରାଧାରାଣୀ ଧଳ ୩ ଥର, ଶ୍ରୀନାଥ ଧଳଙ୍କ ନାମ ୩ ଥର ରହିଛି। କ୍ରମିକ ସଂଖ୍ୟା ଭିନ୍ନ ରହିଥିବାବେଳେ ଭୋଟରଙ୍କ ନାମ, ବୟସ ଓ ପିତାଙ୍କ ନାମ ସମାନ ରହିଛି। ଖାଲି ଏତିକି ନୁହେଁ, ଅନ୍ୟ ପଞ୍ଚାୟତ ଲୋକଙ୍କ ନାମ ବି ବାଛୋଳ ପଞ୍ଚାୟତର ଭୋଟର ତାଲିକାରେ ରହିଥିବା କୁହାଯାଉଛି। ଜଣେ ଭୋଟର ଏକାଧିକଥର ଭୋଟ ଦେବାର ସୁଯୋଗ ସୃଷ୍ଟି କରାଯାଇଥିବାରୁ ଏହି ସ୍ଥାନରେ ଭୋଟ ଟାମ୍ପରିଂର ରାସ୍ତା ଫିଟିଥିବା କୁହାଯାଉଛି। ଏନେଇ ବିଭାଗୀୟ ଅଧିକାରୀଙ୍କ ପ୍ରତିକ୍ରିୟା ମିଳିନଥିବା ବେଳେ ଜିଲ୍ଲା ପ୍ରଶାସନ ଅଭିଯୋଗର ତଦନ୍ତ କରିବାକୁ ଦାବି ହୋଇଛି। ସରକାରୀ ଅଧିକାରୀଙ୍କ ସଲାସୁତୁରାରେ ଏପରି ତ୍ରୁଟିପୂର୍ଣ୍ଣ ତାଲିକା ପ୍ରସ୍ତୁତ କରାଯାଇଥିବା ସାଧାରଣରେ ଅଭିଯୋଗ ହୋଇଛି।

ସମ୍ବନ୍ଧିତ ଖବର