ଜୟପାଟଣା: ସମସ୍ତ ପ୍ରକାର ଭୌଗୋଳିକ ପ୍ରତିବନ୍ଧକ ମଧ୍ୟରେ ପାହାଡ଼ ଉପରେ ବସବାସ କରୁଥିବା ପଟାକୁସୁମୀ ଗାଁରେ ଶୁକ୍ରବାର ଜନପ୍ରତିନିଧି ଓ ପ୍ରଶାସନ ପହଞ୍ଚିଛନ୍ତି। ଗାଁର ୪୦ ଜଣ ଆଧାରଣ କାର୍ଡ କରାଯିବା ପରେ ଗାଁର ପାହଡ଼ି ମଣିଷଙ୍କ ପାଇଁ ଆଶାର ସଞ୍ଚାର ହୋଇଛି।
ଜୟପାଟଣା ବ୍ଲକ୍ର ଦୁର୍ଭେଦ୍ୟ ପାହାଡ଼ର ପାଦ ଦେଶରେ ନବରଙ୍ଗପୁର ଜିଲ୍ଲା ସୀମାନ୍ତ ଅଁଳାଭଟା ପଞ୍ଚାୟତ ଅଧୀନରେ ରହିଛି ୭ଟି ରାଜସ୍ୱ ଗ୍ରାମ। ମୋଟ୍ ଜନସଂଖ୍ୟା ୫୭୨୧। ପାହାଡ ଉପରେ ରହିଥିବା ପଟା କୁସୁମୀ, ତେଣ୍ଡକା ଚୁଆଁ, କର୍ଲାକୋଟ, କରାଘାଟି, ଦାବ୍ରୀଘାଟି, ଆଦି ଗାଁମାନଙ୍କରେ ୬ ଶହରୁ ଅଧିକ ଲୋକ ଅବସ୍ଥାନ କରୁଥିବା ବେଳେ ସମୁଦ୍ର ପତ୍ତନରୁ ସେମାନଙ୍କ ଅବସ୍ଥିତି ଦୁଇ ହଜାର ଫୁଟ ଉଚ୍ଚରେ ରହିଛି। ସେମାନଙ୍କୁ ୧୦ରୁ ୧୫ କିମି ପାହାଡ଼ ଓହ୍ଲାଇ ପଞ୍ଚାୟତ ମହକୁମାକୁ ଆସିବାକୁ ହୁଏ। ବର୍ଷ ବର୍ଷ ଧରି ସମସ୍ତ ପ୍ରତିକୂଳ ଅବସ୍ଥାରେ ଜୀବନ ବିତାଉଥିବା ଏହି ଗାଁ ଲୋକେ ଅଳି କିମ୍ବା ସରକାର କି ନେତାଙ୍କ ପାଖରେ ଅଭିଯୋଗ କରି ଜାଣିନାହାନ୍ତି। ଗତ ୨୦୧୯ ମସିହାରେ କରାଘାଟି ଉପରେ ଖବର ପ୍ରକାଶିତ ହେବା ପରେ ତାହା ଜାତୀୟ ମାନବିକ ଅଧିକାର କମିସନଙ୍କ ଦୃଷ୍ଟି ଆକର୍ଷିତ ହୋଇ ପ୍ରଶାସନକୁ ସେଠାରେ ବାରମ୍ବାର ପହଞ୍ଚିବା ପାଇଁ ବାଧ୍ୟ କରିଥିଲା।
ଶୁକ୍ରବାର ଯୋଗାଣ ଅଧିକାରୀ ମିଥୁନ ବେହେରା, ସିଦ୍ଧାନ୍ତ ମୁଣ୍ଡ, ସରପଞ୍ଚ ଭଗବତୀ ନାଏକ, ସମିତି ସଭ୍ୟ ଯୁଧିଷ୍ଠିର ପୂଝାରୀ, ଜିଲ୍ଲା ପରିଷଦ ସଦସ୍ୟ ଦେବ ପୂଝାରୀ, ସମାଜସେବୀ ଚୂଡ଼ାମଣି ନାଏକ, କୁନାଲ ନାଏକ ପ୍ରମୁଖ ନବରଙ୍ଗପୁର ଜିଲ୍ଲା ବାଟ ଦେଇ ପଟାକୁସୁମୀ ଗ୍ରାମରେ ପହଞ୍ଚି ୪୦ ଜଣଙ୍କ ଆଧାର କାର୍ଡ ତିଆରି କରି ପାହାଡି ମଣିଷଙ୍କ ପାଇଁ ଏକ ଆଶା ସଂଚାର କରିଛନ୍ତି। ଏ ସଂକ୍ରାନ୍ତରେ ଯୋଗାଣ ଅଧିକାରୀ ଶ୍ରୀ ବେହେରାଙ୍କୁ ପଚାରିବାରୁ ଆମେ ପର୍ଯ୍ୟାୟ କ୍ରମେ ଦୁର୍ଗମ ଅଞ୍ଚଳ ମାନଙ୍କରେ ପହଞ୍ଚି ଲୋକଙ୍କ ଆଧାର କାର୍ଡ ତିଆରି କରିବା ପାଇଁ ସୁଯୋଗ ସୃଷ୍ଟି କରିବୁ ବୋଲି ପ୍ରକାଶ କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/06/21-7.jpg)