ବେଲଗୁଣ୍ଠା : 'ଫେସ୍ବୁକ' ଓ 'ମେସେଞ୍ଜର'ରେ ଅଜଣା ଯୁବତୀଙ୍କ ସହ ବନ୍ଧୁତା ପରେ କଥାବାର୍ତ୍ତା ଓ ଶେଷରେ ମିଛ ପ୍ରେମ ଜାଲରେ ଫସି ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ଓ ଭଞ୍ଜନଗର ଅଞ୍ଚଳର ଶତାଧିକ ଯୁବକ ଲୁଟ୍ର ଶିକାର ହୋଇଥିବା ଘଟଣା ସାମ୍ନାକୁ ଆସିଛି। ତଥ୍ୟାନୁସାରେ ବେଲଗୁଣ୍ଠା ଅଞ୍ଚଳରୁ ୬ ଓ ଭଞ୍ଜନଗର ଅଞ୍ଜଳରୁ ୪ ଜଣ ମୋଟ ୯ ଜଣ ଏହି ଲୁଟର ଶିକାର ହୋଇଛନ୍ତି। କିନ୍ତୁ ଲୋକଲଜ୍ଜାରେ ସେମାନେ ମୁହଁ ଖୋଲୁନାହାନ୍ତି କି ପୁଲିସର ଦ୍ବାରସ୍ଥ ହେଉନାହାନ୍ତି।
ଏହି ଅଜଣା ଯୁବତୀଜଣକ ପ୍ରଥମେ ଫେସ୍ବୁକ୍ ମାଧ୍ୟମରେ ବନ୍ଧୁତା ସ୍ଥାପନ କରି ଅନ୍ତରଙ୍ଗ ହେଉଛନ୍ତି। ପରେ ନ୍ୟୁଡ୍ ଭିଡିଓ କଲ୍ କରୁଛନ୍ତି। ଆଉ ଉକ୍ତ ଭିଡିଓ କଲର୍ ସ୍କ୍ରିନ୍ ରେକର୍ଡ଼ିଂକୁ ଭାଇରାଲ୍ କରିବା ଧମକ ଦେଇ ବ୍ଲାକମେଲିଂ କରିବା ସହ ଲକ୍ଷାଧିକ ଟଙ୍କା ଦାବି କରୁଛନ୍ତି। ଲୋକଲଜ୍ଜାକୁ ଡରି ଅନେକ ଦାବି ମୁତାବକ ଟଙ୍କା ଦେଉଛନ୍ତି। ଯେଉଁମାନେ ଦେଉନାହାନ୍ତି ଏହାର ପରିଣାମ ଭୋଗୁଛନ୍ତି। କେବଳ ଯୁବକ ନୁହଁନ୍ତି ଅନେକ ବୟସ୍କ ମଧ୍ୟ ଏହି ଜାଲରେ ପଡ଼ିଥିବା ଜଣାପଡ଼ିଛି।
ନିକଟରେ ଜଣେ ବ୍ୟବସାୟୀ ଏଭଳି ଅଭାବନୀୟ ସ୍ଥିତିର ସମ୍ମୁଖୀନ ହୋଇଥିଲେ। ତାଙ୍କର ଏକ ଭିଡିଓ ଏବେ ମୋବାଇଲରୁ ମୋବାଇଲ୍କୁ ଘୂରି ବୁଲୁଛି। ଏହି ଘଟଣାରେ ଆଉ କିଛି ବ୍ୟକ୍ତି ଫସିଥିବା ଜଣାପଡ଼ିଛି। ଏହା ପଛରେ ଏକ ବଡ଼ ରାକେଟ୍ କାମ କରୁଥିବା ଚର୍ଚ୍ଚା ହେଉଛି। ଯାହାକୁ ରାଜ୍ୟ ବାହାରୁ ଅପରେଟ୍ କରାଯାଉଛି। ପୂର୍ବରୁ ବ୍ୟାଙ୍କ୍ ଜାଲିଆତିରେ ଧରାପଡ଼ିଥିବା ଏକ ଗ୍ୟାଙ୍ଗ୍ ଏହି ରାକେଟ ନିୟନ୍ତ୍ରଣ କରୁଥିବା ସୂତ୍ରରୁ ଜଣାପଡ଼ିଛି। ଉକ୍ତ ଗ୍ୟାଙ୍ଗ୍ ସହିତ କେତେକ ପେସାଦାର ଦେହ ବ୍ୟବସାୟୀ ମଧ୍ୟ ସାମିଲ ହୋଇ ଲୋକଙ୍କୁ ସେମାନଙ୍କ ଜାଲରେ ଫସାଉଛନ୍ତି।
ଅନ୍ୟପକ୍ଷରେ ଫେସବୁକରେ ଏକାଧିକ ଫେକ୍ ଆକାଉଣ୍ଟ୍ ଖୋଲି ଏହି କାରବାର ଚାଲୁଥିବାରୁ ଏହାର ଟେର୍ ପାଇବା ପୁଲିସ ତଥା ସାଇବର ପାଇଁ କଷ୍ଟକର ହୋଇପଡ଼ିଛି। ତେଣୁ କେବଳ ସଚେତନ ଓ ସତର୍କ ରହିଲେ ହିଁ, ଏଥିରୁ ବର୍ତ୍ତି ପାରିବା ବୋଲି ସାଇବର୍ ବିଶେଷଜ୍ଞ ମାନେ କହିଛନ୍ତି।
ସାଇବର ବିଶେଷଜ୍ଞ ପ୍ରଶାନ୍ତ ସାହୁ କହିଥିଲେ, ଗତ ୨ବର୍ଷ ଧରି ସାଇବର ଅପରାଧୀ ବେଧଡ଼କ ଭାବେ ଏହି କାରବାର ଚଳାଇ ଆସୁଛନ୍ତି। କିଛି ସୁନ୍ଦରୀଙ୍କ ଫଟୋକୁ ଢାଲ କରି ପ୍ରଥମେ ଫେସ୍ବୁକରେ ବନ୍ଧୁ ନିବେଦନ ପଠାଉଛନ୍ତି। ଏହାକୁ ସ୍ବୀକାର କଲେ ମେସେଞ୍ଜରରେ କଥାବାର୍ତ୍ତା ଆରମ୍ଭ ହେବା ସହ ନ୍ୟୁଡ୍ ଭିଡିଓ କଲ୍ ପର୍ଯ୍ୟନ୍ତ କଥା ପହଞ୍ଚୁଛି। ଅପରାଧୀ ମାନେ ଏକ ପ୍ରି-ଏଡିଟେଡ୍ ଭିଡିଓ ବ୍ୟବହାର କରୁଛନ୍ତି। ଅର୍ଥାତ ଉକ୍ତ ଭିଡିଓଟିର ସେମାନେ ପୂର୍ବରୁ ସୁଟିଂ କରିବା ସହ ବାରମ୍ବାର ଅନ୍ୟ ଲୋକଙ୍କ କ୍ଷେତ୍ରରେ ବ୍ୟବହାର କରୁଛନ୍ତି। ପରେ ଉକ୍ତ ସ୍କ୍ରିନ୍ ରେକର୍ଡିଂ ଭିଡିଓକୁ ଦେଖାଇ ବ୍ଲାକମେଲିଂ କରାଯାଉଛି। ଭିଡିଓ ଡିଲିଟ୍ ବଦଳରେ ମୋଟା ଅଙ୍କର ଅର୍ଥ ମଗାଯାଉଛି। ଆଉ ଏଥିରେ ଖିଲାପ କଲେ ଭିଡ଼ିଓଟିକୁ ସଂପୃକ୍ତ ଲୋକର ଫେସବୁକ୍ ବନ୍ଧୁମାନଙ୍କ ନିକଟକୁ ପଠାଇ ଦିଆଯାଉଛି। ତେବେ ଅନେକ ଯୁବଗୋଷ୍ଠୀ ଏଦିଗରେ କିଛି ମାତ୍ରାରେ ସଚେତନ ହେଲେଣି। ତେଣୁ ସାଇବର ଅପରାଧୀ ମାନେ ଏବେ ବୟସ୍କ ଲୋକଙ୍କୁ ଟାର୍ଗେଟ୍ କରିଛନ୍ତି। ତେଣୁ ସେମାନେ ମଧ୍ୟ ସଚେତନ ହେବା ଆବଶ୍ୟକ ହୋଇପଡ଼ିଛି ବୋଲି ପୁଲିସ ଓ ସାଇବର୍ ପକ୍ଷରୁ ନିବେଦନ କରାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/05/WhatsApp-Image-2022-05-28-at-10.42.54-PM.jpeg)