ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ଶାସନ କାଳରେ ଓଡ଼ିଶାର ବିକାଶକୁ ଅଗ୍ରାଧିକାର ଦେଇଥିବା ନେଇ ଆଜି କହିଥିଲେ। ଏହାକୁ ଖଣ୍ଡନ କରିଛି ବିଜେଡି। ଦଳର ବରିଷ୍ଠ ନେତା ସଞ୍ଜୟ ଦାସବର୍ମା ଏକ ସାମ୍ବାଦିକ ସମ୍ମିଳନୀରେ କହିଥିଲେ, ଦୀର୍ଘ ଦୁଇ ଦଶନ୍ଧିରୁ ଊର୍ଦ୍ଧ୍ୱ ସମୟ ଧରି ଆମ ଦଳ ଓଡ଼ିଶାକୁ ସ୍ୱତନ୍ତ୍ର ରାଜ୍ୟର ମାନ୍ୟତା ଦାବି କରି ଆସୁଛି। ଏଥି ପାଇଁ ପଲ୍ଲୀଠାରୁ ଦିଲ୍ଲୀ ପର୍ଯ୍ୟନ୍ତ ଆମେ ଆମ ସ୍ୱର ଉତ୍ତୋଳନ କରିଆସୁଛୁ। ରାଷ୍ଟ୍ରପତିଙ୍କ ଠାରୁ ଆରମ୍ଭ କରି ନିତି ଆୟୋଗ ପର୍ଯ୍ୟନ୍ତ ଆମ ଦାବିକୁ କେବଳ ଉପସ୍ଥାପନା କରାଯାଇନି, ଓଡ଼ିଶା ବିଧାନସଭାରେ ଓଡ଼ିଶାକୁ ସ୍ୱତନ୍ତ୍ର ରାଜ୍ୟ ମାନ୍ୟତା ପାଇଁ ସର୍ବଦଳୀୟ ପ୍ରସ୍ତାବ ମଧ୍ୟ ପାରିତ ହୋଇଛି। କିନ୍ତୁ ଦୁର୍ଭାଗ୍ୟର କଥା ଓଡ଼ିଶାରୁ ବିଜେପି ୨୧ରୁ ୨୦ ସାଂସଦ ହାସଲ କରିଥିବା ବେଳେ ଚଳିତ ବଜେଟ୍‌ରେ କେନ୍ଦ୍ର ସରକାରଙ୍କ ଓଡ଼ିଶା ପ୍ରତି ଦେଖାଇଥିବା ଆଭିମୁଖ୍ୟ ନୈରାଶ୍ୟଜନକ। ବିହାରକୁ ୨୬ ହଜାର କୋଟି ଓ ଆନ୍ଧ୍ରପ୍ରଦେଶକୁ ୧୬ ହଜାର କୋଟି ଟଙ୍କାର ସ୍ୱତନ୍ତ୍ର ଅନୁଦାନ ଦେଇଥିବା ବେଳେ କେନ୍ଦ୍ର ସରକାରଙ୍କ ଓଡ଼ିଶା ପ୍ରତି ଅବହେଳା ଜଳଜଳ ହୋଇ ଦେଖାଯାଉଛି। ଗତ ୧୨ ବର୍ଷ ଧରି କୋଇଲାର ଦର ସଂଶୋଧନ ନ ହେବା ଫଳରେ ଓଡ଼ିଶା ସରକାର ବାର୍ଷିକ ୧୦ ହଜାର କୋଟି ଟଙ୍କାର ରାଜସ୍ୱ ହରାଉଛନ୍ତି। 

Advertisment

ଶ୍ରୀ ଦାସବର୍ମା ଆହୁରି କହିଲେ, ରାଜ୍ୟ ସରକାର ରାଜ୍ୟର ଖଣିଜ ଅଞ୍ଚଳ ଓ ଖଣିଜ ସମ୍ପଦ ଉପରେ ସେସ୍ ଓ ଟିକସ ଲଗାଇ ପାରିବେ ବୋଲି ସୁପ୍ରିମକୋର୍ଟ ରାୟ ଦେଇଥିଲେ। ୨୦୦୫ ମସିହାଠାରୁ ଆଜି ପର୍ଯ୍ୟନ୍ତ ବକେୟା ରାଜସ୍ୱ ଖଣି ମାଲିକଙ୍କ ଠାରୁ ବିନା ସୁଧରେ ଆଦାୟ କରାଯାଇପାରିବ। ଓଡ଼ିଶାରେ ଦେଶର ସମୁଦାୟ ଖଣିଜ ଉତ୍ପାଦନର ୫୦ ଭାଗରୁ ଊର୍ଦ୍ଧ୍ୱ ରହିଛି। ସୁପ୍ରିମକୋର୍ଟଙ୍କ ଏହି ନିର୍ଦ୍ଦେଶ କାର୍ଯ୍ୟକାରୀ ହେଲେ ଓଡ଼ିଶା ସରକାର ବକେୟା ଦେୟ ବାବଦରେ ପ୍ରାୟ ୨ ଲକ୍ଷ କୋଟି ଟଙ୍କା ପାଇବା ସଙ୍ଗେ ସଙ୍ଗେ ପ୍ରତି ବର୍ଷ ଖଣିଜ ସେସ୍‌ରୁ ଅତି କମ୍‌ରେ ୫୦ ହଜାର କୋଟି ଟଙ୍କା ପାଇପାରିବେ। ସୁପ୍ରିମକୋର୍ଟଙ୍କ ଏହି ନିଷ୍ପତ୍ତି ବିରୋଧରେ କେନ୍ଦ୍ର ସରକାର ପୁନର୍ବିଚାର ପାଇଁ ଆବେଦନ କରିଛନ୍ତି। କେନ୍ଦ୍ର ସରକାରଙ୍କ ଏହି ଆଭିମୁଖ୍ୟ ଯୋଗୁଁ ଓଡ଼ିଶା ସବୁଠାରୁ ଅଧିକ କ୍ଷତି ସହିବ। ଓଡ଼ିଶାରୁ ନିର୍ବାଚିତ ୨୦ ଜଣ ବିଜେପି ସାଂସଦ ତୁରନ୍ତ ପ୍ରଧାନମନ୍ତ୍ରୀଙ୍କୁ ଏ ସମ୍ପର୍କରେ ଅବଗତ କରାନ୍ତୁ। କେନ୍ଦ୍ର ସରକାର ସୁପ୍ରିମକୋର୍ଟରେ ଦାଖଲ କରିଥିବା ରିଭ୍ୟୁ ପିଟିସନ୍‌କୁ ପ୍ରତ୍ୟାହାର କରନ୍ତୁ। 

ସାମ୍ବାଦିକ ସମ୍ମିଳନୀରେ ପୂର୍ବତନ ମନ୍ତ୍ରୀ ସ୍ନେହାଙ୍ଗିନୀ ଛୁରିଆ କହିଥିଲେ, ପ୍ରଧାନମନ୍ତ୍ରୀ ସୁଭଦ୍ରା ଯୋଜନାର ଶୁଭାରମ୍ଭ କାର୍ଯ୍ୟକ୍ରମରେ ହିତାଧିକାରୀମାନଙ୍କୁ ପ୍ରଦାନ କରାଯାଇଥିବା ଚେକ୍‌ରେ ବଡ଼ ବଡ଼ ଅକ୍ଷରରେ ୫୦ ହଜାର ଟଙ୍କା ଲେଖାଯାଇଥିବା ବେଳେ ତଳେ ଛୋଟ ଅକ୍ଷରରେ ୫ ବର୍ଷରେ ପାଇବେ ବୋଲି ଲେଖାଯାଇଥିଲା। ଦେଲେ ୫ ହଜାର, ଲେଖିଲେ ୫୦ ହଜାର। ୫ ହଜାର ଦେଇ ୫୦ ହଜାର ଟଙ୍କା ଲେଖିବାର ଅଭିପ୍ରାୟ ପ୍ରତାରଣା ନୁହେଁ ତ ଆଉ କ’ଣ? ସେହିପରି ପ୍ରଧାନମନ୍ତ୍ରୀ ସୁଭଦ୍ରା ଯୋଜନାରେ ପ୍ରାୟ ୧ କୋଟିରୁ ଅଧିକ ମହିଳା ଲାଭବାନ ହେବେ ବୋଲି କହିଥିଲେ, ଯାହାର ଅର୍ଥ ରାଜ୍ୟର ପ୍ରାୟ ୨ କୋଟି ମହିଳାଙ୍କ ଭିତରୁ ଅଧିକାଂଶ ଏହି ଯୋଜନାର ସୁଫଳ ପାଇବାରୁ ବଞ୍ଚିତ ହୋଇଛନ୍ତି।