ଦୁର୍ଦ୍ଦଶା ମଧ୍ୟରେ କରୋନା ଅନାଥ, ସିଡବ୍ଲୁସିରେ ହାଜର କରାଯାଉନି

ଥଇଥାନରେ ଅବହେଳା କରୁଛି ଜିଲ୍ଲା ପ୍ରଶାସନ

ଭୁବନେଶ୍ବର: କରୋନା ଯୋଗୁ ରାଜ୍ୟରେ ଅନାଥ ଶିଶୁଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଏଭଳି ସ୍ଥିତିରେ ସେମାନଙ୍କ ଥଇଥାନ ପାଇଁ ସ୍ବତନ୍ତ୍ର ପଦକ୍ଷେପ ଗ୍ରହଣ କରୁଛନ୍ତି ରାଜ୍ୟ ଏବଂ କେନ୍ଦ୍ର ସରକାର। ଉଚ୍ଚତମ ନ୍ୟାୟାଳୟ ପକ୍ଷରୁ ପ୍ରତି ସପ୍ତାହରେ ଅନାଥ ଏବଂ ମା କିମ୍ବା ବାପା ଛେଉଣ୍ଡଙ୍କ ରିପୋର୍ଟ ମଗାଯାଉଛି। ମା’ଙ୍କୁ ହରାଇ ଅନାଥ ହୋଇ ପଡ଼ିଥିବା ସମ୍ବଲପୁର ଜିଲ୍ଲା ଯୁଯୁମୁରା ବ୍ଲକ୍‌ ଛାମୁଣ୍ଡା ପଞ୍ଚାୟତର ଅନୁସୂଚିତ ଜାତିର ୮ ଓ ୬ ବର୍ଷର ଦୁଇ ଉଭଣୀ, ସୁବର୍ଣ୍ଣପୁର ଜିଲ୍ଲାରେ ବାପା ଛେଉଣ୍ଡ ହୋଇଥିବା ୭ ଓ ୩ ବର୍ଷର ଦୁଇ ଭାଇ, ଭଉଣୀଙ୍କୁ ୧୫ ଦିନରୁ ଅଧିକ ସମୟ ହେଲା ସିଡବ୍ଲୁସିରେ ହାଜର କରାଯାଉ ନାହିଁ। ସେମାନଙ୍କ ଥଇଥାନ ପାଇଁ ପଦକ୍ଷେପ ଗ୍ରହଣ କରାନଯିବାରୁ ସେମାନଙ୍କ ଭବିଷ୍ୟତ ନେଇ ଅନିଶ୍ଚିତତା ସୃଷ୍ଟି ହୋଇଛି। ଅନ୍ୟ କେତେକ ଜିଲ୍ଲାରେ ମଧ୍ୟ ଅନାଥ ଏବଂ ବାପା କିମ୍ବା ମା’ ଛେଉଣ୍ଡ ପିଲାଙ୍କୁ ସିଡବ୍ଲୁସିରେ ହାଜର କରାଇ ତାଙ୍କୁ ଥଇଥାନ କରିବା ନେଇ ଜିଲ୍ଲା ପ୍ରଶାସନ ଅବହେଳା କରୁଥିବା ନେଇ ଅଭିଯୋଗ ହୋଇଛି।

ଏବେ ରାଜ୍ୟର ବହୁ ଗାଁରେ ଜ୍ବରରେ ଲୋକଙ୍କ ମୃତ୍ୟୁ ହେଉଛି। ଡାକ୍ତରୀ ରିପୋର୍ଟରେ ଏହା ଅଣକୋଭିଡ ହୋଇଥିଲେ ମଧ୍ୟ ଲକ୍ଷଣ କରୋନା ଭଳି ରହୁଛି। ମୃତ୍ୟୁ ପରେ ସେମାନଙ୍କ ନାବାଳକ ପୁଅଝିଅ ଅନାଥ ହୋଇ ଯାଉଛନ୍ତି। ୬ ବର୍ଷ ପୂର୍ବରୁ ବାପାଙ୍କୁ ହରାଇଥିବା ଛାମୁଣ୍ଡା ପଞ୍ଚାୟତର ହରିପ୍ରିୟା ସିନ୍ଦ୍ରିଆ(୮) ଓ ଲିଜା ସିନ୍ଦ୍ରିଆ(୬) ସ୍ବପ୍ନରେ ବି ଭାବି ନ ଥିଲେ ଯେ ସେମାନେ ଜ୍ବରରେ ଆକ୍ରାନ୍ତ ମା’ଙ୍କୁ ହରାଇ ଅନାଥ ହୋଇଯିବେ। କୋଭିଡରେ ମହିଳାଙ୍କ ମୃତ୍ୟୁ ହୋଇଥିବା ନେଇ ସନ୍ଦେହ କରାଯାଉଥିଲେ ବି କାଗଜପତ୍ରରେ ଏହାର କୌଣସି ପ୍ରମାଣ ନାହିଁ। ଦାରିଦ୍ର୍ୟ ସୀମାରେଖା ତଳେ ଥିବା ଏହି ମହିଳା ମଜୁରି ଲାଗି ନିଜ ଦୁଇଝିଅଙ୍କୁ ଲାଳନପାଳନ କରୁଥିଲେ। ବର୍ତ୍ତମାନ ମା’ଙ୍କ ମୃତ୍ୟୁ ପରେ ଉଭୟ ଅନାଥ ହୋଇ ବଡ଼ବାପା କୁଶ ସିନ୍ଦ୍ରିଆଙ୍କ ହେପାଜତରେ ଅଛନ୍ତି। କୁଶ ଅତ୍ୟନ୍ତ ଗରିବ। ତାଙ୍କର ୩ ନାବାଳକ ସନ୍ତାନ ଅଛନ୍ତି। ଏହି ଦୁଇ ଅନାଥ ଶିଶୁ କନ୍ୟାଙ୍କୁ ଶିଶୁ କଲ୍ୟାଣ ସମିତିରେ ହାଜର କରିବା ପାଇଁ ସ୍ଥାନୀୟ ସାମାଜିକ କର୍ମକର୍ତ୍ତାମାନେ ଶିଶୁ ସୁରକ୍ଷା ବିଭାଗ, ଶିଶୁ କଲ୍ୟାଣ ସମିତିର ଦୃଷ୍ଟି ଆକର୍ଷଣ କରିଥିଲେ। ମାତ୍ର ଆଜି ପର୍ଯ୍ୟନ୍ତ ଦୁଇ ଅନାଥ ଶିଶୁଙ୍କୁ ସିଡବ୍ଲୁସିରେ ହାଜର କରାଯାଇ ନାହିଁ, ପ୍ରାଥମିକ ସହାୟତା ରାଶି ମଧ୍ୟ ଦିଆଯାଇ ନାହିଁ। ପ୍ରଶାସନ ପକ୍ଷରୁ କୁହାଯାଇଛି, ଉଭୟ ଶିଶୁ ଅନାଥ ହୋଇଥିଲେ ମଧ୍ୟ ତାଙ୍କ ବଡ଼ବାପା ନିଜ ପାଖରେ ରଖିବାକୁ ଚାହୁଁଥିବା ନେଇ ଚାରମାଲ ଚାଇଲ୍ଡ ଲାଇନ ରିପୋର୍ଟ ଦାଖଲ କରିଛି।

ଏ‌ ନେଇ ସାମାଜିକ କର୍ମକର୍ତ୍ତା ଘାସିରାମ ପଣ୍ଡା କହିଛନ୍ତି, ସରକାରୀ ନିୟମ ଅନୁସାରେ ଶିଶୁ ଅନାଥ ଏବଂ ବାପା କିମ୍ବା ମା’ ଛେଉଣ୍ଡ ହେବା ପରେ ତାଙ୍କ ସ୍ଥିତି ଶୋଚନୀୟ ହୋଇ ଯାଉଥିଲେ ୨୪ ଘଣ୍ଟା ମଧ୍ୟରେ ସେମାନଙ୍କୁ ସିଡବ୍ଲୁସିରେ ହାଜର କରାଯିବା ଉଚିତ। ମାତ୍ର ଏଥିପ୍ରତି ଧ୍ୟାନ ଦିଆଯାଉ ନାହିଁ। ପ୍ରଥମତଃ ମୃତକଙ୍କ କ୍ରିୟାକର୍ମ ଆଳରେ ସିଡବ୍ଲୁସିରେ ହାଜର କରାଯାଉ ନାହିଁ। ଏହାର ଫାଇଦା ଶିଶୁ ଶ୍ରମିକ ଦଲାଲମାନେ ନେଉଛନ୍ତି।

ସମ୍ବନ୍ଧିତ ଖବର