ଦୁର୍ଦ୍ଦିନରେ ‘ଏ ପାନ୍‌ବାଲା ବାବୁର ସ୍ରଷ୍ଟା…’ : ମିଳିନି କଳାକାର ଭତ୍ତା, ପତ୍ନୀ ମୁଣ୍ଡରେ ପରିବାରର ବୋଝ

ସାଲେଭଟା : ‘ଏ ପାନ୍‌ବାଲା ବାବୁ…, ପାନ୍‌ ବିଡ଼େକେ କେତେନେବୁ…ରେ.. ଏ ପାନ୍‌ବାଲା ବାବୁ…।’ ନବେ ଦଶକର ଏହି ସୁପରହିଟ୍ ଗୀତର ସ୍ରଷ୍ଟା ଅନିଲ ହରିପାଲ ଏବେ ଦୁର୍ଦ୍ଦିନ ମଧ୍ୟରେ ଗତି କରୁଛନ୍ତି। ରୋଗାକ୍ରାନ୍ତ ହୋଇ ଦାନା ମୁଠାଏ ପାଇଁ ସଂଘର୍ଷ କରୁଛନ୍ତି। ଘୋର ଆର୍ଥିକ ଅନଟନ ଦେଇ ଗତି କରୁଛନ୍ତି। ତାଙ୍କ ପତ୍ନୀ କୁନ୍ତଳା ହରିପାଲ ଏବେ ଦିନ ମଜୁରିଆ ଭାବେ କାମ କରି ପରିବାରର ବୋଝ ସମ୍ଭାଳୁଛନ୍ତି।

ପ୍ରକାଶ ଯେ, ଅନିଲ ସଂଗୀତ ଜଗତରେ ବହୁଦିନ ଯାଏ ଲୋକଙ୍କ ମନରେ ଆସ୍ଥାନ ଜମାଇଥିଲେ। ପରିବାରର ବୋଝ ତାଙ୍କୁ ସଂଗୀତ ଜଗତରୁ ଘରକୁ ଟାଣିଆଣିଲା। ପରିବାର ପାଇଁ ମୁଠାଏ ଦାନା ଯୋଗାଡ଼ କରିବା ପାଇଁ ସେ ଅହରହ ସଂଘର୍ଷ କରିଥିଲେ। ସେ ଜଣେ ଗରିବ ଓ ଭୂମିହୀନ କଳାକାର ଅଟନ୍ତି। ଦିଓଳି ଖାଦ୍ୟ ଯୋଗାଡ଼ ପାଇଁ ମନରେଗା ଯୋଜନାରେ ମାଟିକାମ କରିଆସୁଥିଲେ। ହେଲେ ଏବେ ଅନେକ ରୋଗ ତାଙ୍କଠାରୁ ସବୁକିଛି ଛଡ଼ାଇନେଇଛି। ବର୍ତ୍ତମାନ ସେ ଘରେ ପଡ଼ିରହିଛନ୍ତି। ତାଙ୍କ ଗୋଡ଼ ହାତ ଠିକ୍‌ ଭାବେ କାମ କରୁ ନାହିଁ। ଘରୁ ବାହାରି ପାରୁନାହାନ୍ତି। ପରିବାରର କାହାର ସାହାଯ୍ୟ ନେଲେ ବାହାରକୁ ଆସିପାରୁଛନ୍ତି।

ଅନିଲ ବଲାଙ୍ଗୀର ଜିଲ୍ଲା ଆଗଲପୁର ବ୍ଲକ ରିନବଚନ ଗ୍ରାମର ହରିଜନ ପଡ଼ାରେ ରହୁଛନ୍ତି। ୨୫.୬.୧୯୬୭ ମସିହାରେ ସୁନ୍ଦରଗଡ଼ ଜିଲ୍ଲାର ବୀରମିତ୍ରପୁରରେ ସେ ଜନ୍ମଗ୍ରହଣ କରିଥିଲେ। ବାପା ସ୍ବର୍ଗତ ଅବଧୂତ ହରିପାଲ ଓ ମା’ ଦହନା ହରିପାଲ ସୁନ୍ଦରଗଡ଼ ଖଣି ଅଞ୍ଚଳରେ ଦିନମଜୁରିଆ ଭାବେ କାମକରୁଥିଲେ। ପିଲାଟି ଦିନରୁ ସଂଗୀତ ପ୍ରତି ଅନିଲ ଆକୃଷ୍ଟ ହୋଇ ୧୯୯୦ ମସିହା ଡିସେମ୍ବର ୨୦ ତାରିଖ ଦିନ କଟକର ସମ୍ରାଟ କ୍ୟାସେଟ କମ୍ପାନି ଦ୍ଵାରା ଏ ପାନବାଲା ବାବୁ… ଗୀତ ରିଲିଜ ହୋଇଥିଲା। ରଙ୍ଗବତୀ ଗୀତର ଗାୟକ  ପଦ୍ମଶ୍ରୀ ଜିତେନ୍ଦ୍ର ହରିପାଲଙ୍କ ସହିତ ସାକ୍ଷାତ ପରେ ଅନିଲ ଛତିଶଗଡ଼ୀ, ଭୋଜପୁରୀ, ମରାଠୀ ଆଦି ବିଭିନ୍ନ ଭାଷାରେ ଗୀତ ତିଆରି କରିଥିଲେ। ସେ ଚଲାବୁଲା କରିପାରୁ ନଥିବାରୁ ବହୁ କଷ୍ଟରେ କାଳ କାଟୁଛନ୍ତି। ତାଙ୍କ ପତ୍ନୀ କୁନ୍ତଳା ଦିନମଜୁରିଆ ଭାବେ ଯାହା ରୋଜଗାର କରନ୍ତି ସେଥିରେ ପରିବାର ଚଳେ। ତାଙ୍କର ଗୋଟିଏ ପୁଅ ଓ ଗୋଟିଏ ଝିଅ ଅଛନ୍ତି। କଳାକାର ଭତ୍ତା ପାଇଁ ସେ ଅନେକ ଥର ଜିଲ୍ଲାପାଳ, ଜିଲ୍ଲା ସଂସ୍କୃତି ଅଧିକାରୀ, ଅନେକ ରାଜନେତାଙ୍କୁ ସାକ୍ଷାତ କରିଛନ୍ତି। ହେଲେ କୌଣସି ସୁଫଳ ମିଳି ନାହିଁ। ଗୁରୁବାର ସେ ‘ସମ୍ବାଦ’ ଆଗରେ ତାଙ୍କର ସବୁ ଦୁଃଖ ବଖାଣିଛନ୍ତି। ଆଗକୁ ପ୍ରଶାସନ ପକ୍ଷରୁ ତାଙ୍କୁ ସହାୟତା ଯୋଗାଇ ଦେବାକୁ ସେ ଅନୁରୋଧ କରିଛନ୍ତି।

ସମ୍ବନ୍ଧିତ ଖବର