ଟିଟିଲାଗଡ଼: ଟିଟିଲାଗଡ଼ ପୌର ପରିଷଦରେ ଶାସକ ଏବଂ ବିରୋଧୀ ମଧ୍ୟରେ ଲାଗିରହିଥିବା ବିବାଦ ପୁଣି ଘନେଇଛି। ଶୁକ୍ରବାର ପୌର ପରିଷଦ ବୈଠକ ଆରମ୍ଭରୁ ଉଭୟ ଗୋଷ୍ଠୀ ତୁ ତୁ ମେ ମେ ହେବାରୁ ବୈଠକ ହୋଇ ପାରି ନଥିଲା। ୟାରି ଭିତରେ ଅନେକ ପ୍ରସଙ୍ଗ ଚାପି ହୋଇଗଲା ବୋଲି ଆଲୋଚନା ହେଉଛି।

Advertisment

ସୂଚନା ଅନୁସାରେ, ଶୁକ୍ରବାର ସହରର ବିଭିନ୍ନ ସମସ୍ୟା ନେଇ ଅଧ୍ୟକ୍ଷା ମମତାଦେବୀ ଜୈନ, ଉପାଧ୍ୟକ୍ଷାଙ୍କ ସମେତ ୧୪ଟି ୱାର୍ଡର କାଉନ୍‌ସିଲରମାନଙ୍କୁ ନେଇ ଏକ ବୈଠକ ଡାକିଥିଲେ। ବୈଠକରେ ସହରର ପରିମଳ ବ୍ୟବସ୍ଥାଠୁ ଆରମ୍ଭ କରି ବିଭିନ୍ନ ଛକରେ ସିସିଟିଭି କ୍ୟାମେରା ଲଗାଇବା, ପୌର ପରିଷଦର ନୂଆ କୋଠା ନିର୍ମାଣ, ମହାରାଜ ସାଗର ଆଲୋକୀକରଣ ଆଦି ଅନେକ ପ୍ରସଙ୍ଗର ଏକ ଚିଠା ପ୍ରସ୍ତୁତ କରି ବୈଠକରେ ଉପସ୍ଥାପନ କରୁଥିଲେ। ଏହି ସମୟରେ ଉପାଧ୍ୟକ୍ଷା ପୁଷ୍ପା ମଞ୍ଜରୀ ଜାଲ ହସ୍ତକ୍ଷେପ କରି ଦୁର୍ବ୍ୟବହାର ପ୍ରଦର୍ଶନ କଲେ ବୋଲି ଅଧ୍ୟକ୍ଷା ଶ୍ରୀମତୀ ଜୈନ ଗଣମାଧ୍ୟମ ଆଗରେ ପ୍ରକାଶ କରିଛନ୍ତି। ଏହା ପୂର୍ବରୁ ମଧ୍ୟ ପୌର ପରିଷଦର ପ୍ରଥମ ବୈଠକରେ ଶାସକ ବିଜେଡି ଓ ବିରୋଧୀ ବିଜେପି ୱାର୍ଡସଭ୍ୟଙ୍କ ମଧ୍ୟରେ ତୁ ତୁ ମେ ମେ ହୋଇଥିଲା। ଏପରିକି ମନ୍ତ୍ରୀ ଟୁକୁନୀ ସାହୁ ଏବଂ ଅଧ୍ୟକ୍ଷା ମମତାଦେବୀ ଜୈନଙ୍କ ମଧ୍ୟରେ ଯୁକ୍ତିତର୍କ ଘଟଣା ଜିଲ୍ଲା ସାରା ଚର୍ଚ୍ଚାର ବିଷୟ ହୋଇଥିଲା। ଅଭିଯୋଗ ସଂପର୍କରେ ପୌର ଉପାଧ୍ୟକ୍ଷା ପୁଷ୍ପା ମଞ୍ଜରୀ ଜାଲଙ୍କୁ ପଚାରିବାରୁ ଘଟଣା ସମ୍ପର୍କରେ କୌଣସି ପ୍ରତିକ୍ରିୟା ଦେବାକୁ ମନା କରିଦେଇଥିଲେ।