ସଫେଇ ନାଁରେ ଅର୍ଥ ସ୍ବାହା!ବାର୍ଷିକ ଖର୍ଚ୍ଚ ହେଉଛି ୫ କୋଟି ଟଙ୍କା

ତଥାପି କୁଢ଼କୁଢ଼ ଅଳିଆ, ଆବର୍ଜନା,ମହାନାଳ ସଫେଇ ଟଙ୍କା ବି ଲାଗୁଛି

ବାଲେଶ୍ବର: ସହରକୁ ସ୍ବଚ୍ଛ, ସବୁଜ ଓ ସୁନ୍ଦର ରଖିବା ପାଇଁ ସରକାର କୋଟିକୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ଏପଟେ ସକାଳ ଓ ରାତିରେ ଦୁଇ ବେ‌ଳା ନିୟମିତ ସଫେଇ କାର୍ଯ୍ୟ ଚାଲିଛି ବୋଲି ପୌର ପ୍ରଶାସନ ପକ୍ଷରୁ ସୋସିଆଲ ମିଡିଆରେ ଫଟୋ ପୋଷ୍ଟ କରାଯାଉଥିବା ବେଳେ ପୌର ନିର୍ବାହୀ ଅଧିକାରୀ ଏବଂ ସ୍ଥାନୀୟ ବିଧାୟକ ବୁଲି ବୁଲି ତଦାରଖ କରୁଥିବା ମଧ୍ୟ ଦେଖିବାକୁ ମିଳୁଛି। ତା ସତ୍ତ୍ବେ ବିଭିନ୍ନ ନାଳ ସଫା ହେଲା ବେଳେ ସେଥିରୁ କୁଢ଼କୁଢ଼ ଅଳିଆ ଆବର୍ଜନା ବାହାରିବା ପୌର କର୍ତ୍ତୃପକ୍ଷ ଓ ସଫେଇ ସଂସ୍ଥା ଉପରେ ସନ୍ଦେହ ସୃଷ୍ଟି କରିଛି। ଏପରିକି ସଫେଇ ନାଁରେ ବାଲେଶ୍ବର ସହରରେ କୋଟିକୋଟି ଟଙ୍କା‌ ସ୍ବାହା କରାଯାଉଥିବା‌ ଅଭିଯୋଗ ହୋଇଛି।

ସୂଚନା ଥାଉକି, ଏବେ ବର୍ଷାଋତୁ ପୂର୍ବରୁ ବାଲେଶ୍ବର ସହରରେ ମହାନାଳ ସଫେଇ ପାଇଁ ପୌରପାଳିକା ପକ୍ଷରୁ ୩୦ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଉଛି। ହେଲେ ଏହି ଟଙ୍କା ମହାନାଳ ସଫେଇରେ ବିନିଯୋଗ ହେବା ବଦଳରେ ସହରର ମହାନାଳକୁ ସଂଯୋଗ ହୋଇଥିବା ଛୋଟ ଛୋଟ ଶାଖା ନାଳ ସଫେଇରେ ବିନିଯୋଗ କରାଯାଉଛି। ତେବେ ଏହାକୁ ନେଇ ପୌରପାଳିକାର କିଛି ୱାର୍ଡ କାଉନସିଲର ସଙ୍ଗିନ୍‌ ଅଭିଯୋଗ ଆଣିଛନ୍ତି।  ସେମାନଙ୍କ କହିବା ଅନୁସାରେ ପୂର୍ବରୁ ବାଲେଶ୍ବର ସହରରେ ସଫେଇ କାର୍ଯ୍ୟ ପାଇଁ ବ‌ାର୍ଷିକ ୨୦ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଉଥିଲା। ଏବେ ତାହା ୫ କୋଟିର ବ୍ୟୟ ଅଟକଳ କରାଯାଇ ଟଙ୍କା ଖର୍ଚ୍ଚ କରାଯାଉଛି। ସଫେଇ କାର୍ଯ୍ୟ ପାଇଁ ପ୍ରତ୍ୟୁଷ ନାମକ ଏକ ସଂସ୍ଥାକୁ କାମ ମିଳିଥିବା ବେଳେ ସକାଳ ଓ ରାତି ଦୁଇବେଳା ସହରରୁ ଅଳିଆ ଉଠାଯିବା ସହ ଶାଖା ନାଳଗୁଡ଼ିକୁ ମଧ୍ୟ ଉକ୍ତ ସଂସ୍ଥା ନିୟମିତ ସଫା କରୁଥିବା କୁହାଯାଉଛି।

ଏଥିସହ ସଫେଇ କାମ ତଦାରଖ କରିବା ପାଇଁ ପ୍ରତି ୱାର୍ଡରେ ଜଣେ/୨ଜଣ ଲେଖାଏଁ ସ୍ବଚ୍ଛସାଥୀ, ୩ଟି ୱାର୍ଡକୁ ନେଇ ଜଣେ ଲେଖାଏ ସୁପର ଭାଇଜର ନିୟୋଜିତ ହୋଇଛନ୍ତି। ଏହା ସହିତ ସହରରେ ସଫେଇ କାମର ତଦାରଖ କରି ପୌର ନିର୍ବାହୀ ଅଧିକାରୀଙ୍କୁ ରିପୋର୍ଟ ଦେବା ପାଇଁ ଜଣେ ସାନିଟେସନ ଇନ୍ସପେକ୍ଟର ଏବଂ ଜଣେ ହେଲ୍‌ଥ ଅଫିସରଙ୍କୁ ନିଯୁକ୍ତ କରାଯାଇଛି। ସେହିପରି ପୌର କାର୍ଯ୍ୟନିର୍ବାହୀ ଅଧିକାରୀ ଅଧିକାରୀ ନିଜେ ମଧ୍ୟ ସହରର ବିଭିନ୍ନ ୱାର୍ଡ ପରିଦର୍ଶନ କରି ସ୍ଥିତି ଅନୁଧ୍ୟାନ କରୁଥିବା ଦେଖିବାକୁ ମିଳୁଛି। ତେବେ ବର୍ଷାଦିନ ପୂର୍ବରୁ ଏବେ ସହରର ମହାନାଳଗୁଡ଼ିକୁ ସଫେଇ ପାଇଁ ପୌରପାଳିକା ପକ୍ଷରୁ ୩୦ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଉଥିବା ବେଳେ ସେଥିରେ ମହାନାଳ ସଫା କରିବା ପରିବର୍ତ୍ତେ ‌ବିଭିନ୍ନ ୱାର୍ଡର ଛୋଟ ଛୋଟ ଶାଖା ନାଳଗୁଡ଼ିକୁ ସଫା କରାଯାଉଛି, ଆଉ ସେଥି‌ରୁ ମହଣ ମହଣ ଅଳିଆ ଆବର୍ଜନା ବାହାରୁଥିବା ଦେଖିବାକୁ ମିଳୁଛି।

ଏଠାରେ ଗୋଟିଏ କଥା ସାମ୍‌ନାକୁ ଆସୁଛି ଯେ, ଯଦି ସହରର ସଫେଇ କାମ ନେଇଥିବା ଠିକା ସଂସ୍ଥା ପ୍ରତିଦିନ ନାଳଗୁଡ଼ିକୁ ସଫା ରଖୁଥିଲେ ଏବଂ ସ୍ବଚ୍ଛସାଥୀ, ସ୍ବଚ୍ଛ ସୁପରଭାଇଜର, ସାନିଟେସନ ଅଧିକାରୀ, ହେଲ୍‌ଥ ଅଫିସର ଏବଂ ସର୍ବୋପରି ପୌର ନିର୍ବାହୀ ଅଧିକାରୀ ଓ ବିଧାୟକ ନିୟମିତ ଏହାକୁ ତଦାରଖ କରୁଥିଲେ ତାହେଲେ ବର୍ଷ ଶେଷକୁ ଏତେ ପରିମାଣର ଅଳିଆ ସେଥିରୁ ବାହାରିଲା କେମିତି? ତେଣୁ ଏଥିରୁ ଗୋଟିଏ କଥା ସ୍ପଷ୍ଟ ହେଉଛି ଯେ, ସହରରେ ସଫେଇ ନାଁରେ ସମ୍ପୃକ୍ତ ଠିକା ସଂସ୍ଥା ଓ ବିଭାଗୀୟ ଅଧିକାରୀମାନେ ପ୍ରହସନ ଚଳାଇଛନ୍ତି।

ଉପରଠାଉରିଆ ଭାବେ ରାସ୍ତାଘାଟ ଓ ପ୍ରମୁଖ ଛକଗୁଡ଼ିକୁ ସଫାସୁତୁରା କରି ନାଳ ସଫେଇ ଆଦୌ କରା ଯାଉନାହିଁ। ଯାହାର ଜ୍ବଳନ୍ତ ଦୃଷ୍ଟାନ୍ତ ହେଉଛି ଓଟିରୋଡ୍‌ର ଦୁଇପାର୍ଶ୍ବ ଡ୍ରେନ୍‌, ପଡ଼ୁଆଁପଦା ରାସ୍ତା, ବେବିଲୋନ୍ ରାସ୍ତା, ଶୋଭାରାମପୁର, ଗୁଡ଼ିପଦା, ଭାସ୍କରଗଞ୍ଜ, ସହଦେବଖୁଣ୍ଟା, ରାଣୀପାଟଣା, ନୂଆବଜାର, ହସ୍ପିଟାଲ ଆଦି ରାସ୍ତାଗୁଡ଼ିକର ଦୁଇପାର୍ଶ୍ବ ନାଳ। ଅଳିଆ ଆବର୍ଜନାରେ ମାସମାସ ଧରି ଏହା ଜାମ୍‌ ରହୁଥିବାରୁ ଜଳ ନିଷ୍କାସନ ହୋଇପାରୁନାହିଁ। କିନ୍ତୁ ନିୟମିତ ଭାବରେ ଏଗୁଡ଼ିକ ସଫା କରାଯାଉଥିବା କହି ଅଧିକାରୀ ଓ ନେତାମାନେ ନିଜନିଜର ଫଟୋ ପୋଷ୍ଟ କରି ବାହା ବାଃ ନେଉଛନ୍ତି। ଏସବୁ ନାଳଗୁଡ଼ିକୁ ପୌର କର୍ତ୍ତୃପକ୍ଷ ବା ସଫେଇ ଠିକା ସଂସ୍ଥା ଆଦୌ ଦୃଷ୍ଟି ଦେଉନଥିବା ସହରବାସୀ ଅଭିଯୋଗ କରିଥିବା ବେଳେ କେବଳ ବର୍ଷାଋତୁ ଆସିଲେ କାଁଭାଁ ସଫା କରାଯାଏ ବୋଲି କହିଛନ୍ତି।

ସ୍ବଚ୍ଛତାର ଦ୍ବାହି ଦେଇ ଯେନତେନ ସଫେଇ ଚାଲିଥିବା ବେଳର କିଛି ଭଲଭଲ ଦୃଶ୍ୟକୁ ସଂଗ୍ରହ କରି ତାର ଫଟୋ ଓ ଭିଡିଓ ସୋସିଆଲ ମିଡିଆ ତଥା ସରକାରଙ୍କ ନିକଟକୁ ପଠାଇ ସ୍ବଚ୍ଛତା ପୁରସ୍କାର ହାତଉଥିବା ବାଲେଶ୍ବର ସହରରେ ବାସ୍ତବ ଚିତ୍ର କିନ୍ତୁ ଭିନ୍ନ କିଛି ବୟାନ କରୁଛନ୍ତି। ସଫେଇ ନାଁରେ ଏଠାରେ କୋଟି କୋଟି ଟଙ୍କା ଚଳୁ କରାଯାଉଥିବା ବେଳେ ସହରରେ ସ୍ବଚ୍ଛତାର ଚିତ୍ର ଯେପରି ବଦଳିବା ଦରକାର ବଦଳୁନାହିଁ।  ଜିଲ୍ଲା ପ୍ରଶାସନ ତଥା ସହରାଞ୍ଚଳ ବିକାଶ ବିଭାଗ ତୁରନ୍ତ ଏଥିପ୍ରତି ଦୃଷ୍ଟି ଦେବାକୁ ସହରବାସୀଙ୍କ ପକ୍ଷରୁ ଦାବି କରାଯାଇଛି।

ସମ୍ବନ୍ଧିତ ଖବର