ପୌରାଧ୍ୟକ୍ଷାଙ୍କ ନାଁରେ ଏତଲା ଦେଲେ ପୂର୍ବ ନିର୍ବାହୀ ଅଧିକାରୀ

ବ୍ୟାସନଗର: ବ୍ୟାସନଗର ପୌରାଧ୍ୟକ୍ଷା ଓ ନିର୍ବାହୀ ଅଧିକାରୀଙ୍କ ମଧ୍ୟରେ ବିବାଦ ଥାନାରେ ପହଞ୍ଚିଛି। ନିର୍ବାହୀ ଅଧିକାରୀ ଅଶୋକ କୁମାର ରାଉତ ଆଜି ରାତିରେ ଯାଜପୁରରୋଡ ଥାନାରେ ପୌରାଧ୍ୟକ୍ଷା ସଂଗୀତା ପିଙ୍ଗୁଆଙ୍କ ନାଁରେ ଏତଲା ଦେଇଛନ୍ତି। ଶ୍ରୀ ରାଉତଙ୍କ ଅଭିଯୋଗ ଅନୁଯାୟୀ, ଗତ ଅକ୍ଟୋବର ମାସ ୧୫ ତାରିଖରେ ପୌରାଧ୍ୟକ୍ଷା ଶ୍ରୀମତୀ ପିଙ୍ଗୁଆ ତାଙ୍କୁ ଗାଳିଗୁଲଜ କରିବା ସହ ଏକ ଫାଇଲ୍‌ ତାଙ୍କ ଉପରକୁ ଫୋପାଡ଼ିଥିଲେ। ପିଅନ ଦ୍ବାରା ତାଙ୍କୁ ପୌରାଧ୍ୟକ୍ଷା ତାଙ୍କ କାର୍ଯ୍ୟାଳୟକୁ ଡକାଇ ଅପମାନିତ କରିଥିଲେ।

ପୌରାଧ୍ୟକ୍ଷାଙ୍କ ଫାଇଲ୍‌ ମାଡ଼ରେ ସେ ଆହତ ହେବା ସହ ଅସୁସ୍ଥ ହୋଇ ପଡ଼ିଥିଲେ। ଜଣେ ଘରୋଇ ଡାକ୍ତରଙ୍କ ନିକଟରେ ଚିକିତ୍ସିତ ହୋଇ ସୁସ୍ଥ ହେବା ପରେ କାର୍ଯ୍ୟାଳୟକୁ ଯାଇଥିଲେ ମଧ୍ୟ ପୌରାଧ୍ୟକ୍ଷା ତାଙ୍କୁ ବାରମ୍ବାର ଗାଳିଗୁଲଜ ଓ ଅପମାନିତ କରୁଥିଲେ। ଦୁର୍ନୀତିକୁ ବିରୋଧ କରିବାକୁ ପୌରାଧ୍ୟକ୍ଷା ଉଦ୍ଦେଶ୍ୟମୂଳକ ଭାବେ ଏପରି କରୁଥିଲେ ବୋଲି ଶ୍ରୀ ରାଉତ ଅଭିଯୋଗ କରିଛନ୍ତି। ପୌରାଧ୍ୟକ୍ଷାଙ୍କ ବାରମ୍ବାର ଅଶାଳୀନ ବ୍ୟବହାର ଫଳରେ ଗତ ୨ ମାସ ଧରି ସେ ପୌର କାର୍ଯ୍ୟାଳୟକୁ ଯିବାକୁ ଭୟ କରୁଥିଲେ। ଗତ ୧୫ ତାରିଖରେ ତାଙ୍କୁ ଫାଇଲ୍‌ ଫିଙ୍ଗି ଆକ୍ରମଣ କରିବା ସହ ଏହାର ଭିଡିଓ ଉତ୍ତୋଳନ କରିଥିଲେ। ଗତକାଲି ତାଙ୍କର ବଦଳି ହେବା ପରେ ଏହି ଭିଡିଓ ଭାଇରାଲ କରାଯାଇଥିଲା। ସେମାନଙ୍କ ବିଜୟ ହେଲା ବୋଲି ପ୍ରଚାର କରିବା ସହ ତାଙ୍କୁ ଅଧିକ ନିନ୍ଦିତ କରିବାକୁ ଉଦ୍ୟମ କରାଯାଇଥିଲା। ଏନେଇ ଶ୍ରୀ ରାଉତ ଆଜି ଯାଜପୁରରୋଡ ଥାନାରେ ଅଭିଯୋଗ କରି ନ୍ୟାୟ ଭିକ୍ଷା କରିଛନ୍ତି। ଏନେଇ ଥାନାଧିକାରୀ ଉପେନ୍ଦ୍ର କୁମାର ପ୍ରଧାନଙ୍କୁ ପଚାରିବାରୁ, ଉଚ୍ଚ ପଦସ୍ଥ ଅଧିକାରୀଙ୍କ ସହ ପରାମର୍ଶ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି।

ସମ୍ବନ୍ଧିତ ଖବର