ସୁନ୍ଦରଗଡ଼ : ସୁନ୍ଦରଗଡ଼ ଜିଲ୍ଲାରେ ଏକ ଭିନ୍ନ ଧରଣର ଠକେଇ ସାମ୍ନାକୁ ଆସିଛି। ଗରିବଙ୍କ ନଁ‌ାରେ ଋଣକରି ଲକ୍ଷଲକ୍ଷ ଟଙ୍କା ଠକି ନେଇଛନ୍ତି ଦଲାଲ। ଏଥିରେ ବ୍ୟାଙ୍କ କର୍ମଚାରୀଙ୍କ ସମ୍ପୃକ୍ତି ବି ରହିଛି। ସରକାରୀ ସହାୟତା କହି ଯତ୍‌କିଞ୍ଚିତ ଧରାଇବା ପରେ ଏହି ଗରିବ ତଥା ଦିନମଜୁରିଆ ଶ୍ରେଣୀର ବ୍ୟକ୍ତିମାନେ ବର୍ଷେଦି’ବର୍ଷ ତଳେ ଯେଉଁ ଖୁସି ହୋଇଥିଲେ, ଋଣ ଶୁଝିବା ପାଇଁ ନୋଟିସ୍‌ ପାଇବା ପରେ ତାହା ପାଣିଫୋଟକା ଭଳି ମିଳେଇ ଯାଇଛି। ଏବେ କେମିତି ଟଙ୍କା ଶୁଝିବେ, ସେହି ଚିନ୍ତାରେ ମୁଣ୍ଡରେ ହାତଧରି ବସିଛନ୍ତି।

Advertisment

ସେମାନଙ୍କ ମଧ୍ୟରୁ ଜଣେ ହେଉଛନ୍ତି ସୁନ୍ଦରଗଡ଼ ଜିଲ୍ଲା ଟାଙ୍ଗରପାଲି ବ୍ଲକ୍‌ ବନ୍ଧପାଲି ପଞ୍ଚାୟତର ସଦରଥାନା ଛକର ଦିନ ମଜୁରିଆ ତପନ ଓରାମ। ସରକାରୀ ଯୋଜନାରେ ବ୍ୟାଙ୍କରୁ ଆର୍ଥିକ ସହାୟତା ମିଳିବ କହି ତାଙ୍କଠାରୁ ୨ ଜଣ ଦଲାଲ ଓ ଏକ ନିର୍ଦିଷ୍ଟ ବ୍ୟାଙ୍କ କର୍ମଚାରୀ ସଂଗ୍ରହ କରି ନେଇଥିଲେ ଆଧାରକାର୍ଡ, ଘରଡିହ ପଟ୍ଟା ଓ ପାସ୍‌ପୋର୍ଟ ଫଟୋ। ୨୦୨୦ ଫେବ୍ରୁଆରିରେ ତାଙ୍କୁ ସୁନ୍ଦରଗଡ଼ର ଏକ ନିର୍ଦିଷ୍ଟ ବ୍ୟାଙ୍କକୁ ନେଇ କାଗଜପତ୍ରରେ ଦସ୍ତଖତ ଦେବାକୁ କୁହାଯାଇଥିଲା। ଦସ୍ତଖତ ଦେବାପରେ ସମ୍ପୃକ୍ତ ବ୍ୟାଙ୍କ କର୍ମଚାରୀ ହାତରେ ୧୦ ହଜାର ଟଙ୍କା ଧରାଇଦେଇ ଏହା ସରକାରୀ ସହାୟତା, ଶୁଝିବାକୁ ପଡ଼ିବ ନାହିଁ ବୋଲି କହିଥିଲେ।

ଚଳିତମାସ ୧୮ ତାରିଖରେ ତପନ ନିଜ ଆକାଉଣ୍ଟରେ ଜମାଥିବା କିଛି ଅର୍ଥ ଏଟିଏମ୍‌ ମାଧ୍ୟମରେ ଉଠାଇବାକୁ ଚେଷ୍ଟା କରିଥିବାବେଳେ ତାହା ବନ୍ଦ (ଲକ୍‌) ଥିବା ଜଣାପଡ଼ିଥିଲା। ଏହାପରେ ସେ ବ୍ୟାଙ୍କକୁ ଯାଇ ବୁଝିବାପରେ ତାଙ୍କ ମୁଣ୍ଡ ଘୂରିଯାଇଥିଲା। ଏବେ ଦିନମଜୁରି କରି ପରିବାର ପ୍ରତିପୋଷଣ କରୁଥିବା ତପନ କିପରି ଏତେ ଟଙ୍କା ଶୁଝିବେ ସେ ଚିନ୍ତାରେ ପଡ଼ିଛନ୍ତି। ତପନଙ୍କ ପରି ପଡ଼ାର ଜୁନୁ ଓରାମଙ୍କ ନାମରେ ମଧ୍ୟ ସମାନ ଢଙ୍ଗରେ ଦଲାଲ ଓ ବ୍ୟାଙ୍କ କର୍ମଚାରୀ ଋଣ ଉଠାଇ ନେଇଛନ୍ତି। କାଗଜପତ୍ର ନେଇ ଜୁନୁ ନାମରେ ଗତ ୨୦୨୦ ଫେବ୍ରୁଆରି ୨୬ରେ ଏକ ପାସ୍‌ବୁକ୍‌ ଖୋଲାଯାଇଥିଲା। ଏହାପରେ ସହାୟତା ନାମରେ ବ୍ୟାଙ୍କ କାଗଜପତ୍ରରେ ଦସ୍ତଖତ ନେଇ ତାଙ୍କୁ ୨୦୨୦ ମାର୍ଚ୍ଚ ୨୧ରେ ୫ ହଜାର ଓ ୩୦ ତାରିଖରେ ୫ ହଜାର ଟଙ୍କା ଦିଆଯାଇଥିଲା। କିନ୍ତୁ, ତାଙ୍କ ନାମରେ ୭୦ ହଜାର ଟଙ୍କା ଋଣ ଉଠାଇ ନେଇଥିଲେ ଦଲାଲ।

କେବଳ କେବଳ ତପନ କି ଜୁନୁ ନୁହନ୍ତି,‌ ତାଙ୍କ ପଡ଼ାର ଶ୍ରମିକ ଶ୍ରେଣୀର ଅଶୋକ ଓରାମ ଓ ତାଙ୍କ ମା’ ବୁଧନୀ ଓରାମ, ଗୋବିନ୍ଦ ଓରାମ, ରଂଜିତ ଓରାମ, ଅନିଲ ଓରାମ, ବୁଧୁ ଓରାମ, ଚୁମନୁ ଓରାମଙ୍କ ସମେତ ସିଆଁବାହାଲ, ଭାଲୁବାହାଲ, ବନ୍ଧପାଲି ଆଦି ଗାଁର ଶତାଧିକ ଗରିବଙ୍କୁ ସଦରଥାନା ଛକର ଜଣେ ଦଲାଲ ସମେତ ସୁନ୍ଦରଗଡ଼ ବ୍ରାହ୍ମଣପଡ଼ାର ଦଲାଲ ଓ ବ୍ୟାଙ୍କ କର୍ମଚାରୀ ସହାୟତା କହି ୧୦ ହଜାର ଟଙ୍କା ଲେଖାଏଁ ଦେଇ ସେମାନଙ୍କ ନାମରେ ଲକ୍ଷ ଲକ୍ଷ ଟଙ୍କାର ଋଣ ଉଠାଇ ନେଇଛନ୍ତି। ଏବେ ୩ ବର୍ଷ ପରେ ସେମାନଙ୍କ ମଧ୍ୟରୁ କାହାକୁ ବ୍ୟାଙ୍କରୁ ଋଣ ଶୁଝିବାକୁ ମୋବାଇଲ୍‌ରେ ମେସେଜ୍‌ ଆସିବା ଏବଂ କାହାକୁ ବ୍ୟାଙ୍କ ଅଧିକାରୀ ସିଧାସଳଖ ଋଣ ଶୁଝିବାକୁ କହିବା ପରେ ସେମାନେ ଏ କାରସାଦି ସମ୍ପର୍କରେ ଜାଣିପାରି ମୁଣ୍ଡରେ ହାତ ଦେଇଛନ୍ତି। ଖଟିଲେ ଖାଇବାକୁ ପାଉଥିବା ଗରିବ, ଶ୍ରମିକ ପିଠିରେ ଜାଲ୍‌ ଋଣର ବୋଝ ବୋହି କୁଆଡ଼େ ଯିବେ ବାଟ ପାଉନାହାନ୍ତି।