ନାଲକୋନଗର/ବନ୍ତଳା: ଅନୁଗୁଳ ଜିଲ୍ଲା ବଅଂରପାଳ ବ୍ଲକରେ ରବିବାର ବନ୍ଧୁତ୍ବ ଦିବସ ପାଳନ ବେଳେ ଏକ ଅଭାବନୀୟ ଘଟଣା ଘଟିଛି। ଡେରଜାଙ୍ଗ ଡ୍ୟାମରେ ୪ ବନ୍ଧୁ ଗାଧୋଇ ବନ୍ଧୁତ୍ବ ଦିବସର ମଜା ନେଉଥିବାବେଳେ ଜଣେ ବନ୍ଧୁ ପାଣିରେ ବୁଡ଼ିଯାଇଛନ୍ତି। ଏଯାଏଁ ତାଙ୍କର ପତ୍ତା ମିଳିନଥିବାବେଳେ ଏହି ଦୁଃଖଦ ଖବର ସମସ୍ତଙ୍କୁ ସ୍ତବ୍ଧ କରିଛି।
ନାଲୋକର ଅବସରପ୍ରାପ୍ତ ଏଚଆରଡି କର୍ମଚାରୀ ତ୍ରିନାଥ ଶଙ୍କର ହୋତାଙ୍କ ପୁଅ ବିଭ୍ରାଂଶୁ ହୋତା (୨୮) ୪ଜଣ ସାଙ୍ଗଙ୍କ ସହ ବନ୍ଧୁତ୍ବ ଦିବସ ପାଳିବାକୁ ଡେରଜାଙ୍ଗ ଡ୍ୟାମ ନିକଟରେ ସକାଳେ ପହଞ୍ଚିଥିଲେ। ସମସ୍ତେ ଡ୍ୟାମରେ ଗାଧୋଇ ବନ୍ଧୁତ୍ବ ଦିବସର ମଜା ନେଉଥିବାବେଳେ ବିଭ୍ରାଂଶୁ ପାଣି ଭିତରକୁ ଅକସ୍ମାତ ଚାଲି ଯାଇ ନିଖୋଜ ହୋଇଯାଇଥିଲେ। ଅନ୍ୟ ସାଥୀମାନଙ୍କୁ ପହଁରା ଜଣାନଥିବାରୁ ତାଙ୍କୁ କେହି ଉଦ୍ଧାର କରିପାରିନଥିଲେ। ପରେ ଏହି ଖବର ବିଭ୍ରାଂଶୁଙ୍କ ପରିବାରକୁ ଜଣାଇଥିଲେ। ପରିବାର ପକ୍ଷରୁ ସଙ୍ଗେ ସଙ୍ଗେ ଅନୁଗୁଳ ସଦର ଥାନା ଅଧିକାରୀ ସତ୍ୟବ୍ରତ ରାଉତଙ୍କୁ ଅବଗତ କରାଯାଇଥିଲା। କିନ୍ତୁ ଉକ୍ତ ଘଟଣା ଜରପଡ଼ା ଥାନା ଇଲାକାରେ ବୋଲି କହିବାରୁ ଜରପଡା ଥାନା ପୁଲିସକୁ ଜଣାଇ ଦିଆଯାଇଥିଲା।
ଏନେଇ ପଚାରିବାରୁ ଜରପଡ଼ା ଥାନା ଅଧିକାରୀ ସରୋଜ ସାମଲ କୁହନ୍ତି ତାଙ୍କ ପରିବାରଠାରୁ ଅବଗତ ହେବା ପରେ ଓଡ୍ରାଫ ଟିମକୁ ଖବର ଦିଆଯାଇଥିଲା। ସେମାନେ ଆସି ଖୋଜାଖୋଜି ଜାରି ରଖିଛନ୍ତି। କିନ୍ତୁ ରାତି ସାଢ଼େ ୯ଟା ପର୍ଯ୍ୟନ୍ତ ବିଭ୍ରାଂଶୁଙ୍କ ପତ୍ତା ମିଳିନାହିଁ ବୋଲି ଶ୍ରୀ ସାମଲ କହିଛନ୍ତି। ବିଭ୍ରାଂଶୁ ଏମ.ବି.ଏ ପାଠ ପଢା ସାରି ଏକ ଘରୋଇ କମ୍ପାନୀରେ ୱାର୍କ ଫ୍ରମ ହୋମରେ ରହି କାମ କରୁଥିଲେ। ତାଙ୍କ ମା’ ଡିପିଏସ ସ୍କୁଲରେ ଗଣିତ ବିଭାଗର ଏଚଓଡି ଅଛନ୍ତି। ବିଭ୍ରାଂଶୁ ପାଣିରେ ବୁଡ଼ି ନିଖୋଜ ଖବର ଶୁଣିବା ପରେ ତାଙ୍କ ବନ୍ଧୁ ପରିଜନଙ୍କ ଭିଡ଼ ଲାଗିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/08/୧.jpg)