ଓଡ଼ିଶା ଢାଞ୍ଚାରେ ଆନ୍ଧ୍ରପ୍ରଦେଶର ପ୍ରତି ଜିଲ୍ଲାରେ ହେବ ଦକ୍ଷତା ତାଲିମ କେନ୍ଦ୍ର

ବିଶ୍ବ ଦକ୍ଷତା ତାଲିମ କେନ୍ଦ୍ରରେ ଆନ୍ଧ୍ରପ୍ରଦେଶର ପ୍ରତିନିଧି ଦଳ

ଭୁବନେଶ୍ବର: ଓଡ଼ିଶା ଢାଞ୍ଚାରେ ଆନ୍ଧ୍ରପ୍ରଦେଶରେ ହେବ ଦକ୍ଷତା ତାଲିମ କେନ୍ଦ୍ର। ଭୁବନେଶ୍ବର ଭଳି ଏତେ ବଡ଼ ତାଲିମ କେନ୍ଦ୍ର କରାନଯାଇ ଜିଲ୍ଲାସ୍ତରରେ ଛୋଟ କେନ୍ଦ୍ର ହେବ। ଏଥିପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ଓଡ଼ିଶାରେ ଏହି କାର୍ଯ୍ୟ କିପରି କରାଯାଉଛି ଏହା ଜାଣିବା ପାଇଁ ବିଶ୍ବ ଦକ୍ଷତା ତାଲିମ କେନ୍ଦ୍ରକୁ ଆସିଥିବା ଜଣାଇଛନ୍ତି ଆନ୍ଧ୍ରପ୍ରଦେଶର ଶିଳ୍ପ, ଦକ୍ଷତା ବିକାଶ ଏବଂ ପ୍ରଯୁକ୍ତି ବିଭାଗର ପ୍ରମୁଖ ଶାସନ ସଚିବ ଜି. ରାଜ୍ୟଲକ୍ଷ୍ମୀ। ତାଙ୍କ ସହିତ ଆନ୍ଧ୍ରପ୍ରଦେଶ ସରକାରଙ୍କ ଦକ୍ଷତା ବିକାଶ ନିର୍ଦ୍ଦେଶକ ଲାବଣ୍ୟା, ପରିଚାଳନା ନିର୍ଦ୍ଦେଶକ ପି ଭାସ୍କର, ଉପନିର୍ଦ୍ଦେଶକ କଲ୍ୟାଣ ବାର୍ଲା ପ୍ରମୁଖ ଉପସ୍ଥିତ ଥିଲେ। ଓଡ଼ିଶା ସରକାରଙ୍କ ପକ୍ଷରୁ ଦକ୍ଷତା ବିକାଶ ବିଭାଗର ପ୍ରମୁଖ ସଚିବ ହେମନ୍ତ ଶର୍ମା, ନିର୍ଦ୍ଦେଶକ ରେଘୁ ଜୀଙ୍କ ସହିତ ଦକ୍ଷତା ବିକାଶ ତାଲିମ କେନ୍ଦ୍ରରେ କାର୍ଯ୍ୟ କରୁଥିବା ସିଙ୍ଗାପୁରର ୫ ଜଣିଆ ପ୍ରତିନିଧି ଦଳ ଉପସ୍ଥିତ ଥିଲେ।

୨୦୨୧ ମସିହାରେ ଭୁବନେଶ୍ବରରେ ଉଦ୍‌ଘାଟିତ ହୋଇଥିଲା ବିଶ୍ବ ଦକ୍ଷତା ତାଲିମ କେନ୍ଦ୍ର। ସିଙ୍ଗାପୁରର ଆଇଟିଇଏସ (ଇନଷ୍ଟିଚ୍ୟୁଟ ଅଫ ଟେକ୍‌ନିକାଲ ଏଜୁକେସନ ସର୍ଭିସେସ)ର ସହଯୋଗ ଆଇଟିଆଇ ଏବଂ ଡିପ୍ଲୋମାଧାରୀ ବିଦ୍ୟାର୍ଥୀଙ୍କୁ ଉଚ୍ଚମାନର ପ୍ରଶିକ୍ଷଣ ପ୍ରଦାନ ଲକ୍ଷ୍ୟରେ ଏହି କେନ୍ଦ୍ର ଖୋଲାଯାଇଛି। ସିଙ୍ଗାପୁରର ୫ ଜଣିଆ ପ୍ରତିନିଧି ଦଳ ଏହାର ତତ୍ତ୍ବାବଧାନ କରୁଛନ୍ତି। ସେମାନେ ୨ ବର୍ଷ ପର୍ଯ୍ୟନ୍ତ ଓଡ଼ିଶାରେ ରହି କାର୍ଯ୍ୟ କରିବେ। ବର୍ତ୍ତମାନ ସମୁଦାୟ ୨୪୦ ବିଦ୍ୟାର୍ଥୀଙ୍କୁ ଏୟାରକଣ୍ଡିସିନିଂ ଆଣ୍ଡ ରେଫ୍ରିଜେରେସନ, ଇଲେକ୍ଟ୍ରିକାଲ ଆଣ୍ଡ ମେକାନିକାଲ ସର୍ଭିସେସ, ମେକାଟ୍ରନିକ୍ସ ପ୍ରଶିକ୍ଷଣ ଦିଆଯାଉଛି। ଜୁଲାଇ ମାସରେ ଇଲେକ୍ଟ୍ରିକାଲ ଟେକ୍ନୋଲୋଜି, ହେୟାର ଫେସନ ଆଣ୍ଡ ଡିଜାଇନ, ବ୍ୟୁଟି ୱେଲନେସ୍‌ ଆଣ୍ଡ ସ୍ପାର ପ୍ରଶିକ୍ଷଣ ଦିଆଯିବ ବୋଲି ଦକ୍ଷତା ବିକାଶ ତାଲିମ କେନ୍ଦ୍ର ପକ୍ଷରୁ କୁହାଯାଇଛି।

ସମ୍ବନ୍ଧିତ ଖବର