କଟକ: ଓଡ଼ିଶା ବଜାରରେ ଗଲା ୫ବର୍ଷ ଭିତରେ ଶହେ ପ୍ରତିଶତ ଔଷଧ ବେପାର ବଢ଼ିଛି। ୫ବର୍ଷ ତଳେ ରାଜ୍ୟରେ ମୋଟ ୩ହଜାର ୫ଶହ କୋଟି ଟଙ୍କାର ଔଷଧ ବିକ୍ରି ହୋଇଥିଲା। ବର୍ତ୍ତମାନର ବିକ୍ରି ୭ହଜାର ୫ଶହ କୋଟି ଟଙ୍କାରେ ପହଞ୍ଚିଛି। ରାଜ୍ୟ ଔଷଧ ବ୍ୟବସାୟୀ ସଂଘ ସମ୍ପାଦକ ପ୍ରଶାନ୍ତ ମହାପାତ୍ରଙ୍କ ନିକଟରୁ ଏହି ସୂଚନା ମିଳିଛି। ତେବେ, କୋଭିଡ୍ ସମୟରେ ବେପାର ଅଧିକ ବଢ଼ିଥିବା ବେଳେ ପରେ କିଛିଟା କମିଛି। ଅନ୍ଲାଇନ୍ ଔଷଧ ବିକ୍ରି ଯୋଗୁ ଦୋକାନରେ ୧୩ ପ୍ରତିଶତ ଔଷଧ ବିକ୍ରି କମିଛି। ଔଷଧ ବେପାର ଯେତିକି ବଢ଼ିଛି, ସେଥିରେ ନକଲି ଔଷଧ କାରବାର ଓ ବିକ୍ରି ଘଟଣା ବି ସଙ୍ଗିନ ପରିସ୍ଥିତି ସୃଷ୍ଟି କରିଛି। ନକଲି ଔଷଧ ଧରାପଡୁଥିଲେ ବି ସଂପୃକ୍ତ ବେପାରୀଙ୍କ ବିରୋଧରେ ସମୁଚିତ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ। ବିଳମ୍ବିତ ତଦନ୍ତ ପ୍ରକ୍ରିୟା ଯୋଗୁଁ ଦୋଷୀ ଖସିଯାଉଥିବା ଦେଖାଯାଉଛି।
ସୂଚନା ଅନୁସାରେ, ଓଡ଼ିଶା ବଜାରରେ ଏବେ ୫୫୦ କମ୍ପାନିର ଔଷଧ ବିକ୍ରି ହେଉଛି। ସେଥିରେ ‘ପ୍ରୋପାଗାଣ୍ଡା କମ୍ପାନି’ ବି ରହିଛନ୍ତି। ଔଷଧ ବିକ୍ରି ବ୍ୟବସ୍ଥାକୁ ବ୍ୟବସ୍ଥିତ କରିବା ପାଇଁ ୧୦୦ଜଣ ‘କ୍ୟାରିଙ୍ଗ ଆଣ୍ଡ ଫରୱାଡିଂ ଏଜେନ୍ସି(ସି ଆଣ୍ଡ ଏଫ୍)’ ରହିଛନ୍ତି। ଏଥିସହ ରାଜ୍ୟରେ ୨୫ହଜାର ରିଟେଲ୍ କାଉଣ୍ଟର୍, ୫ହଜାର ହୋଲ୍ସେଲ୍ କାଉଣ୍ଟର୍ ରହିଛି। ସବୁଠାରୁ ଗୁରୁତ୍ବପୂର୍ଣ୍ଣ ହେଲା, ରାଜ୍ୟର ସି ଆଣ୍ଡ ଏଫ୍ ମଧ୍ୟରୁ କେବଳ କଟକରେ ରହିଛନ୍ତି ୮୦ଜଣ ଏବଂ ଅବଶିଷ୍ଟ ୨୦ଟି ସଂସ୍ଥା ଭୁବନେଶ୍ବର ଓ ରାଜ୍ୟର ଅନ୍ୟ କେତେକ ସ୍ଥାନରେ ରହିଛି। ସରକାରୀ ତଥ୍ୟରେ ଏହା ଦର୍ଶାଯାଇଥିବାବେଳେ ବାସ୍ତବ କ୍ଷେତ୍ରରେ କିନ୍ତୁ ଅନେକ ଅଣପଞ୍ଜିକୃତ ସଂସ୍ଥାର ମଧ୍ୟ ଗୋଦାମ ଓ ଔଷଧ ବିକ୍ରି ହେଉଥିବା ଜଣାପଡ଼ିଛି।
ଗୋଟିଏପଟେ ଔଷଧ ବିକ୍ରି ପରିମାଣ ବୃଦ୍ଧି ପାଇଥିବା ବେଳେ ଅନ୍ୟପଟେ ନକଲି ଔଷଧ ବିକ୍ରି ମଧ୍ୟ ନିୟମିତ ବ୍ୟବଧାନରେ ସାମ୍ନାକୁ ଆସିବାରେ ଲାଗିଛି। ଗତବର୍ଷ କଟକରେ କୋଭିଡ୍ ତଥା ବିଭିନ୍ନ ରୋଗର ନକଲି ଔଷଧ ବିକ୍ରି କରାଯାଉଥିବା ଧରାପଡ଼ିଥିଲା ଘଟଣାରେ ‘ମେଡିଲଏଡ୍ ମେଡିକାମେଣ୍ଟ ପ୍ରାଇଭେଟ୍ ଲିମିଟେଡ୍’ର ପରିଚାଳନା ନିର୍ଦ୍ଦେଶକ ଶିବପ୍ରସନ୍ନ ଜେନାଙ୍କ ସମେତ ୪ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିଲା। ଏହି ଘଟଣାରେ ଜବତ୍ ହୋଇଥିବା ଔଷଧ ସବୁ ବ୍ୟବହାରଯୋଗ୍ୟ ନୁହେଁ ବୋଲି ବି ପ୍ରମାଣ ମିଳିଥିଲା। ଲାବୋରେଟୋରି ରିପୋର୍ଟରୁ ବି ବ୍ୟବହାରଯୋଗ୍ୟ ନୁହେଁ ସ୍ପଷ୍ଟ ହୋଇଥିଲା। କୋଭିଡ୍ ଔଷଧ ନକଲି ବୋଲି ଜଣାପଡ଼ିବା ପରେ ଔଷଧ କେଉଁଠି ତିଆରି ହୋଇଥିଲା, ଅନ୍ୟ କେଉଁମାନଙ୍କର ଏହି ଘଟଣାରେ ସଂପୃକ୍ତି ରହିଛି ସେସବୁର ଗୁମର ଆଜିପର୍ଯ୍ୟନ୍ତ ଖୋଲି ପାରିନାହିଁ। କ୍ରାଇମବ୍ରାଞ୍ଚ ଏସ୍ଟିଏଫ୍ ପ୍ରାଥମିକ ଅଭିଯୋଗଫର୍ଦ୍ଦ ଦାଖଲ କରିଥିଲେ ମଧ୍ୟ ତଦନ୍ତକୁ ତ୍ବରାନ୍ବିତ କରିପାରି ନାହିଁ।
ସବୁଠାରୁ ଗୁରୁତ୍ବପୂର୍ଣ୍ଣ ହେଲା କୋଭିଡ୍ର ନକଲି ଔଷଧ ଧରପଗଡ଼ ପରେ ରାଜ୍ୟ ଔଷଧ ବ୍ୟବସାୟୀ ସଂଘ ଓଡ଼ିଶା ବଜାରରେ ବିକ୍ରି କରୁଥିବା ବା ବେପାର କରୁଥିବା ସମସ୍ତ କମ୍ପାନିଙ୍କୁ ସେମାନଙ୍କ ଆନାଲିଟିକାଲ୍ ସାର୍ଟିଫିକେଟ୍ ମାଗିଥିଲା। କମ୍ପାନିର ବୈଧତା ନେଇ ପ୍ରମାଣ ବିତରକଙ୍କ ପାଖରେ ରହିବ ବୋଲି ଏପରି କରାଯାଇଥିଲା। ଏଭଳି ବ୍ୟବସ୍ଥା ଦ୍ବାରା ପର୍ଯ୍ୟାୟକ୍ରମେ ସମସ୍ତ କମ୍ପାନି ସେମାନଙ୍କ ଆନାଲିଟିକାଲ୍ ସାର୍ଟିଫିକେଟ୍ ଦାଖଲ କରିଥିଲେ। କିନ୍ତୁ, ଲୋକଙ୍କ ଜୀବନକୁ ବିପଦ ମୁହଁକୁ ଠେଲି ଦେଉଥିବା ଏହି ଅସାଧୁ ବ୍ୟବସାୟୀଙ୍କୁ ଦମନ କ୍ଷେତ୍ରରେ ସରକାରଙ୍କ ପକ୍ଷରୁ ଯେଉଁଭଳି କଠୋର ପଦକ୍ଷେପ ନିଆଯିବା କଥା ତାହା ଆଜି ପର୍ଯ୍ୟନ୍ତ ହୋଇପାରୁନି।