ପୁରୀ : ରଥର ଦକ୍ଷିଣ ମୋଡ଼ ବେଳେ ଉଭୟ ସମ୍ମୁଖ ଓ ପଶ୍ଚାତ ଭାଗରେ ଦଉଡ଼ି ସଂଯୋଗ କରି ଟଣାଯାଏ। ଗୁଣ୍ଡିଚା ମନ୍ଦିରରୁ ନାକଚଣା ଦ୍ବାରକୁ ରଥ ସ୍ଥାନାନ୍ତର କରାଯିବାର ବିଧିକୁ ଦକ୍ଷିଣ ମୋଡ଼ କୁହାଯାଏ। ମହାଲକ୍ଷ୍ମୀଙ୍କୁ ମହାପ୍ରଭୁ ରଥଯାତ୍ରାରେ ଆଣି ନ ଥିବାରୁ ଦେବୀ ହେରା ପଞ୍ଚମୀରେ ଗୁପ୍ତରେ ଆସି ମହାପ୍ରଭୁଙ୍କୁ ଏକାନ୍ତରେ ଦର୍ଶନ କରି ମୋହାଞ୍ଜନରେ ପ୍ରଭୁଙ୍କୁ ମୁଗ୍ଧ କରିବା ପରେ ପ୍ରତ୍ୟାଗମନ ପାଇଁ ରଥ ଦକ୍ଷିଣାଭିମୁଖୀ କରାଯିବା ନିମନ୍ତେ ଆଦେଶ ରହେ ବୋଲି ଗବେଷକ ଭାସ୍କର ମିଶ୍ରଙ୍କ ରଚିତ ‘ଶ୍ରୀଗୁଣ୍ଡିଚା ଯାତ୍ରା’ ପୁସ୍ତକରେ ବର୍ଣ୍ଣନା ରହିଛି।

Advertisment

ବାହୁଡ଼ାରେ ଗୁଣ୍ଡିଚା ମନ୍ଦିରର ନାକଚଣା ଦ୍ବାର ଦେଇ ଶ୍ରୀବିଗ୍ରହମାନେ ରଥାରୂଢ଼ ହୋଇ ଶ୍ରୀମନ୍ଦିର ଅଭିମୁଖେ ଆସନ୍ତି। ଦକ୍ଷିଣ ମୋଡ଼ ସମୟରେ ପ୍ରଚଳିତ ପ୍ରଥା ମୁତାବକ, ଦେବୀ ସୁଭଦ୍ରାଙ୍କ ରଥ ପ୍ରଥମେ ଟଣାଯାଏ। ଏହା ପରେ ତାଳଧ୍ବଜ ଓ ନନ୍ଦିଘୋଷ ଟଣାଯାଏ। ଅତୀତରେ କଳା ବେଠିଆଙ୍କ ସମେତ ହାତୀମାନଙ୍କ ସହଯୋଗରେ ରଥର ଦକ୍ଷିଣ ମୋଡ଼ କରାଯାଉଥିଲା। ଏହି ସମୟରେ ରଥକୁ ସାମ୍ନା ଓ ପଛରୁ ଟାଣି ଦକ୍ଷିଣ ମୋଡ଼ କରାଯାଉଥିବାରୁ ହାତୀମାନେ ମୁଣ୍ଡ ଲଗେଇ ଠେଲିବାରେ ଏହା ସହଜ ହେଉଥିଲା। କାଳକ୍ରମେ ହାତୀମାନଙ୍କୁ ଏଥିରୁ ବିଚ୍ୟୁତ ରଖାଗଲା। ତେବେ ରଥର ଉଭୟ ଆଗ ଓ ପଛ ପାର୍ଶ୍ବରେ ଦଉଡ଼ି ବନ୍ଧା ହୋଇ ରଥକୁ ନାକଚଣା ଦ୍ବାରରେ ଯଥାସ୍ଥାନରେ ରଖାଯାଏ। ଶ୍ରୀମନ୍ଦିରର ଅଧିକାରୀ, କର୍ମଚାରୀ ଓ ପୁଲିସ କର୍ମଚାରୀମାନେ ରଥକୁ ଦକ୍ଷିଣମୋଡ଼ କରାଇଥାନ୍ତି। ରଥରେ ଶ୍ରୀବିଗ୍ରହ ଅନୁପସ୍ଥିତ ରହୁଥିବାରୁ ଭକ୍ତମାନେ ରଥ ଟାଣନ୍ତି ନାହିଁ।

ଅନ୍ୟପକ୍ଷରେ ଦକ୍ଷିଣ ମୋଡ଼ କରିବା ପାଇଁ ରଥକୁ ଆବଶ୍ୟକତା ଅନୁସାରେ ଆଗପଛ ହୋଇ ଟଣାଯାଉଥିବାରୁ ଏଥିରେ ଭକ୍ତମାନଙ୍କୁ ଜଡ଼ିତ କରାଯାଏ ନାହିଁ। ସାଧାରଣତଃ ଦକ୍ଷିଣ ମୋଡ଼ ଦୁଇଦିନ ଲାଗିଯାଇଥାଏ। ମାତ୍ର ଏବେ ଏହା ଗୋଟିଏ ଦିନରେ ସମ୍ପାଦନ କରାଯାଇପାରୁଛି। ରଥ ଟାଣିବା ପାଇଁ ସିନା ଭକ୍ତ ରହନ୍ତି ନାହିଁ, କିନ୍ତୁ ଘଣ୍ଟୁଆମାନେ ଘଣ୍ଟ ବଜାଇବାକୁ ଏବଂ ରଥକୁ ସଠିକ ମାର୍ଗରେ ନେବା ପାଇଁ ଡାହୁକମାନଙ୍କ ଉପସ୍ଥିତି ରହିଥାଏ। ଗବେଷକ ଶ୍ରୀ ମିଶ୍ରଙ୍କ ସୂଚନା ମୁତାବକ, ୧୯୮୫-୮୬ ମସିହା ପୂର୍ବରୁ ଶ୍ରୀଗୁଣ୍ଡିଚା ମନ୍ଦିରଠାରୁ ବଡ଼ଶଙ୍ଖ ପର୍ଯ୍ୟନ୍ତ ରାସ୍ତାର ଉଭୟ ପାର୍ଶ୍ବ ଖାଲୁଆ ଥିଲା। ଦୁଇ ତିନି ଫୁଟ ପର୍ଯ୍ୟନ୍ତ ପାଣି ଜମି ରହୁଥିଲା। ତେଣୁ ରଥର ଦକ୍ଷିଣମୋଡ଼ ସହଜ ହେଉ ନ ଥିଲା। କାଳକ୍ରମେ ଉଭୟ ପାର୍ଶ୍ବର ଖାଲୁଆ ସ୍ଥାନକୁ ପୋତି ରାସ୍ତା ସମତୁଲ କରାଯିବା ପରେ ରଥ ଦକ୍ଷିଣ ମୋଡ଼ରେ ଆଉ ବିଶେଷ ସମସ୍ୟା ହେଉନାହିଁ।