ଭୁବନେଶ୍ବର: ଏମଏସ୍ପିର ଆଇନଗତ ମାନ୍ୟତା ନେଇ ଦିଲ୍ଲୀରେ ଚାଲିଛି ଚାଷୀଙ୍କ ଲଢେଇ। ଏଯାଏ କେନ୍ଦ୍ର ସରକାର ଏମ୍ଏସ୍ ସ୍ବାମୀନାଥନ୍ଙ୍କ ରିପୋର୍ଟ କାର୍ଯ୍ୟକାରୀ କରିନାହାନ୍ତି। ଏପଟେ ଓଡ଼ିଶା ବିଧାନସଭାରେ ମଧ୍ୟ ଦଳମତ ନିର୍ବିଶେଷରେ ସବୁ ରାଜନୈତିକ ଦଳ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ କ୍ବିଣ୍ଟାଲ୍ ପିଛା ୨୯୩୦ ଟଙ୍କା କରିବା ଲାଗି ପ୍ରସ୍ତାବ ପାରିତ କରିଥିଲେ। ଓଡ଼ିଶା ସରକାର କେନ୍ଦ୍ରକୁ ଜଣାଇଲେ। ଏହା ଉପରେ ବି ମଧ୍ୟ କୌଣସି ପଦକ୍ଷେପ ନିଆଯାଇନାହିଁ। ଏପଟେ ଆହୁରି ଆଚମ୍ବିତ କରିବା ଭଳି କଥା ହେଉଛି, ପାଖାପାଖି ୫୦ରୁ ଅଧିକ ପ୍ରକାରର ଚାଷ କରାଯାଉଛି। ମାତ୍ର ୨୩ଟି ଚାଷ ପାଇଁ କେନ୍ଦ୍ର ସରକାର ଏମଏସ୍ପି ଦେଉଛନ୍ତି। ଏହି ପ୍ରସଙ୍ଗଟି ଧୀରେ ଧୀରେ ତୃଣମୂଳସ୍ତରକୁ ଯିବା ଆରମ୍ଭ କଲାଣି। ୧୯୬୫ ମସିହାରୁ ୨୩ଟି ଫସଲରେ କଷ୍ଟ ଆଣ୍ଡ ପ୍ରାଇସ୍ କମିସନ ପକ୍ଷରୁ ସର୍ବନିମ୍ନ ସହାୟକ ମୂଲ୍ୟ ନିର୍ଧାରଣ କରାଯାଉଛି। ସେହି ସମୟରୁ ଏମଏସ୍ପିକୁ ନେଇ ଚାଷୀଙ୍କ ଲଢେଇ ଜାରି ରହିଛି। ୬୦ ଦଶକରୁ ରାଜ୍ୟର ବିଭିନ୍ନ ସ୍ଥାନରୁ ଆରମ୍ଭ ହୋଇଥିବା ଏହି ଆନ୍ଦୋଳନ ଏଯାଏ ଥମିନାହିଁ। ଏହାକୁ ସମାଧାନ କରିବା ଲାଗି କେନ୍ଦ୍ର ସରକାର ବିଭିନ୍ନ କୌଶଳ ଅବଲମ୍ବନ କରିଛନ୍ତି। ଗୋଟିଏ ସମୟରେ ମନମୋହନ ସିଂ ସରକାର ସମୟରେ ଲାଭଜନକ ଏମଏସ୍ପି ପାଇଁ ଏମଏସ ସ୍ବାମୀନାଥନଙ୍କ ନେତୃତ୍ବରେ କମିସନ ଗଠନ ହୋଇଥିଲା। ହେଲେ ଏହି ରିପୋର୍ଟ କାର୍ଯ୍ୟକାରୀ ହୋଇପାରିଲା ନାହିଁ।
ଅନ୍ୟପକ୍ଷରେ ଓଡ଼ିଶା କଥା ଯଦି କହିବା, ରାଜ୍ୟରେ ୫୦ରୁ ଉର୍ଧ୍ବ ପ୍ରକାର ଫସଲ ହୁଏ। ଏଥିରୁ ସବୁ ଜିଲ୍ଲାରେ କେବଳ ଧାନ ଏବଂ ମାଣ୍ଡିଆ, କିଛି ଜିଲ୍ଲାରେ ମକା, କପା ମଣ୍ଡିରେ ବିକ୍ରି ହୁଏ। ଧାନ ଚାଷୀ ଯେ ଲାଭଜନକ ଏମଏସ୍ପି ପାଉ ନାହାନ୍ତି ଏହା କେବଳ ଚାଷୀ କିମ୍ବା ଚାଷୀ ସଙ୍ଗଠନ ନୁହେଁ, ନିଜେ ଓଡ଼ିଶା ସରକାର ମଧ୍ୟ କହି ଆସୁଛନ୍ତି। ୨୦୧୭ ମସିହା ବିଧାନସଭାରେ ରାଜ୍ୟ ସରକାର କହିଥିଲେ ୧ କ୍ବିଣ୍ଟାଲ୍ ଧାନ ପାଇଁ ଚାଷୀଙ୍କୁ ୨୩୪୪ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିଥାଏ। ଚାଷୀଙ୍କ ଲାଭ ପାଇଁ ଏମଏସ୍ପି ୨୯୩୦ ଟଙ୍କା କରିବା ପାଇଁ ସେବେ ସରକାର ଆଣିଥିବା ପ୍ରସ୍ତାବକୁ ଉଭୟ କଂଗ୍ରେସ ଓ ବିଜେପି ସମର୍ଥନ କଲେ। ବିଜେଡି ଦିଲ୍ଲୀ ପର୍ଯ୍ୟନ୍ତ ଆନ୍ଦୋଳନ କଲା। ଏତେ ବର୍ଷ ଅତିକ୍ରାନ୍ତ ହୋଇ ସାରିଥିଲେ ମଧ୍ୟ ଧାନ ଏମଏସ୍ପି ବୃଦ୍ଧି ପାଇ ନାହିଁ। କେନ୍ଦ୍ରରେ ବିଜେପି ସରକାର ବି ସ୍ବାମୀନାଥନ୍ କମିସନ ସୁପାରିସକୁ କାର୍ଯ୍ୟକାରୀ କରି ନାହାନ୍ତି କିନ୍ତୁ ରାଜ୍ୟ ବିଜେଡି ସରକାର ନିଜ ପୁରୁଣା ଦାବି ପ୍ରସଙ୍ଗରେ ଆଉ ଆଗଭଳି ଆନ୍ଦୋଳନ ଜୋର କରୁନାହାନ୍ତି।
ଗୁରୁତ୍ବପୂର୍ଣ୍ଣ କଥା ହେଉଛି, ହରଡ଼, ମୁଗ, ବିରି, ତୈଳବୀଜ, ରାଶି ଆଦି ରାଜ୍ୟ ସରକାର ବ୍ୟାପକ ପରିମାଣରେ ଚାଷ କରୁଛନ୍ତି। ଏହାର ଏମଏସ୍ପି ବ୍ୟବସ୍ଥା ରହିଛି। ନାଫେଡ କିଛି ଚାଷୀଙ୍କ ଠାରୁ ଡାଲିଜାତୀୟ ଫସଲ କ୍ରୟ କରୁଥିଲେ ମଧ୍ୟ ଏହା ସେତେଟା ବ୍ୟାପକ ନୁହେଁ। ଏହାବାଦ ରାଜ୍ୟରେ ୯ ପ୍ରକାର ତୈଳବୀଜ, ଆଳୁ, ପିଆଜ ସମେତ ସବୁ ପ୍ରକାର ପରିବା, ଅଦା, ଅଳସୀ ଫୁଲ, କଫି ଆଦିର ଏମଏସପି ନାହିଁ। ଏଥିଯୋଗୁଁ ଏହି ଚାଷୀ ନିଜର ଉତ୍ପାଦନ ବିକ୍ରି ନେଇ ହଇରାଣର ସମ୍ମୁଖୀନ ହୁଅନ୍ତି। ପ୍ରତ୍ୟେକ ବର୍ଷ ପରିବା ଚାଷୀଙ୍କ ବିକ୍ରି ସମସ୍ୟା ନେଇ ଆଲୋଚନା ହୁଏ କିନ୍ତୁ ସମାଧାନ ବାହାର କରାଯାଏ ନାହିଁ। ଚାଷୀ ନେତା ସରୋଜ କହିଛନ୍ତି, ରାଜ୍ୟରେ ମଣ୍ଡିର ବ୍ୟାପକ ଅବ୍ୟବସ୍ଥା ଏବଂ ସରକାରଙ୍କ ତ୍ରୁଟିପୂର୍ଣ୍ଣ ନୀତି ଯୋଗୁଁ ସିଂହଭାଗ ଧାନଚାଷୀ ମଣ୍ଡି ଜରିଆରେ ଏମଏସ୍ପିରେ ଧାନ ବିକ୍ରୟ କରନ୍ତିନାହିଁ। ବରଂ କମ୍ ଦରରେ ବ୍ୟବସାୟୀଙ୍କୁ ବିକ୍ରି କରିବା ନେଇ ସମସ୍ତେ ଅବଗତ। କଟ୍ନିଛଟ୍ନିରେ ଚାଷୀ କ୍ଷତିଗ୍ରସ୍ତ। କପାରେ ବ୍ୟବସାୟୀହିଁ ଲାଭ ଉଠାନ୍ତି। ଡାଲିଜାତୀୟ ଚାଷୀ ମଣ୍ଡି ପର୍ଯ୍ୟନ୍ତ ପହଞ୍ଚି ପାରନ୍ତି ନାହିଁ। ଜଙ୍ଗଲଜାତ ଦ୍ରବ୍ୟ ସର୍ବନିମ୍ନ ସହାୟକ ମୂଲ୍ୟ ଘୋଷଣା ସତ୍ତ୍ବେ ମଧ୍ୟ ଏହାର କ୍ରୟ ନୀତି ଠୋସ ଭାବରେ କାର୍ଯ୍ୟକାରୀ କରାଯାଏ ନାହିଁ। ଏଭଳି ସ୍ଥିତିରେ ଏମଏସ୍ପିର ଆଇନଗତ ଆବଶ୍ୟକତା ରହିଛି। ଯେଉଁଠି ଏମଏସ୍ପି ଥାଇ ଚାଷୀ ଶୋଷିତ, ବାକି ଫସଲରେ ଚାଷୀଙ୍କ ଅବସ୍ଥା କିଭଳି ଥିବ ଅନୁମାନ କରାଯାଇ ପାରେ। ଓୟୁଏଟି ବିଶେଷଜ୍ଞ କହିଛନ୍ତି, କଷ୍ଟ ଆଣ୍ଡ ପ୍ରାଇସ୍ କମିସନ ବୈଷୟିକ ବିଶେଷଜ୍ଞ କମିଟି ଠୋସ ତର୍ଜମା କରି ଏମଏସ୍ପି ନିର୍ଧାରଣ କରିଥାନ୍ତି। ଅଧିକାଂଶ ଅଣଧାନ ଫସଲ ବଜାର ଦର ଅଧିକ ରହିଛି। ତେଣୁ ଚାଷୀ କ୍ଷତିଗ୍ରସ୍ତ ହୁଅନ୍ତି ନାହିଁ।