ପୁରୀ: ମହାପ୍ରଭୁଙ୍କ ମାନବୀୟ ଲୀଳାଖେଳର ଅଂଶବିଶେଷ ସ୍ବରୂପ ଆଜି ଓଢ଼ଣ ଷଷ୍ଠୀ ନୀତି ଶ୍ରୀମନ୍ଦିରରେ ଅନୁଷ୍ଠିତ ହୋଇଛି। ଶୀତରୁ ରକ୍ଷା ପାଇଁ ମହାପ୍ରଭୁଙ୍କୁ ଆଜିଠାରୁ ଘୋଡ଼ଲାଗି କରାଯାଇଛି। ସପ୍ତାହକୁ ୭ ରଙ୍ଗରେ ଘୋଡ଼ଲାଗି ହେଉଥିବା ମହାପ୍ରଭୁଙ୍କୁ ଆଜି ପ୍ରଥମ ଦିନରେ କଳାରଙ୍ଗର ଘୋଡ଼ଲାଗି କରାଯାଇଛି। ମାଘ ମାସ ଶୁକ୍ଳପକ୍ଷ ପଞ୍ଚମୀ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ନୀତି ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସ୍ବତନ୍ତ୍ର ନିର୍ଘଣ୍ଟ ହୋଇଛି। ଓଢ଼ଣ ଷଷ୍ଠୀ ମହାପ୍ରଭୁଙ୍କ ଦ୍ବାଦଶ ଯାତ୍ରା ମଧ୍ୟରେ ଅନ୍ୟତମ। ଏହାକୁ ପ୍ରାବରଣ ଯାତ୍ରା ମଧ୍ୟ କୁହାଯାଏ। ମହାପ୍ରଭୁ ଶୀତରୁ ରକ୍ଷା ପାଇବା ପାଇଁ ଆଜିଠାରୁ ଶୀତବସ୍ତ୍ର ପରିଧାନ କରିଛନ୍ତି। ମାର୍ଗଶୀର ଶୁକ୍ଳ ଷଷ୍ଠୀକୁ ଓଢ଼ଣ ଷଷ୍ଠୀ କୁହାଯାଏ।
ଏହି ନୀତି ଅନୁଯାୟୀ, ଆଜି ସକାଳ ଧୂପ ସରିବା ପରେ ଭୋଗମଣ୍ଡପ ଘରେ ଅଧିବାସ ହୋଇ ରହିଥିବା ଘୋଡ଼ମାନଙ୍କୁ ଅଣାଯାଇ ଶ୍ରୀମନ୍ଦିର ଚାରିପାଖରେ ସାଢ଼େ ତିନି ଘେରା ଓ ରତ୍ନସିଂହାସନ ଚାରିପଟେ ସାଢ଼େ ତିନିଘେରା ପରିକ୍ରମା କରାଯାଇଥିଲା। ପରେ ଘୋଡ଼ଗୁଡ଼ିକୁ ରତ୍ନସିଂହାସନ ଉପରକୁ ନିଆଯାଇ ମହାପ୍ରଭୁଙ୍କୁ ଲାଗି କରାଯାଇଥିଲା। ଘୋଡ଼ଲାଗି ସରିବା ପରେ ଠାକୁରଙ୍କୁ ସୁବର୍ଣ୍ଣ ଅଳଙ୍କାର ପିନ୍ଧା ଯାଇଥିଲା। ପରେ ବନ୍ଦାପନା କରି ଅନ୍ୟାନ୍ୟ ନୀତି ସଂପନ୍ନ କରାଯାଇଥିଲା। ଘୋଡ଼ଲାଗି ନୀତି ମାର୍ଗଶୀର ଶୁକ୍ଳପକ୍ଷ ଷଷ୍ଠୀଠାରୁ ଆରମ୍ଭ ହୋଇ ମାଘ ମାସ ଶୁକ୍ଳପକ୍ଷ ପଞ୍ଚମୀ ପର୍ଯ୍ୟନ୍ତ ଚାଲିବ। ସାତବାରରେ ସାତପ୍ରକାର ଘୋଡ଼ ଠାକୁରଙ୍କୁ ଲାଗି କରିବାର ପରମ୍ପରା ରହିଛି। ରବିବାର ନାଲିବସ୍ତ୍ରର ଘୋଡ଼, ସୋମବାର କଳାଛିଟ ମିଶା ଧଳାବର୍ଣ୍ଣର ଘୋଡ଼, ମଙ୍ଗଳବାର ୫ ରଙ୍ଗ ମିଶା ଘୋଡ଼, ବୁଧବାର ନୀଳରଙ୍ଗର ଘୋଡ଼, ଗୁରୁବାର ହଳଦୀ ରଙ୍ଗର ଘୋଡ଼, ଶୁକ୍ରବାର ଧଳା ରଙ୍ଗର ଘୋଡ଼ ଓ ଶନିବାର କଳା ରଙ୍ଗର ଘୋଡ଼ ଲାଗି କରାଯିବାର ପରମ୍ପରା ରହିଛି।