ଭୁବନେଶ୍ବର: ତୃତୀୟ ଲହରରେ ଶିଶୁ ଅଧିକ ସଂକ୍ରମିତ ହେବାର ଆଶଙ୍କା କମ । ଆରଏମଆରସି କରିଥିବା ଗବେଷଣାରୁ କିଛି ଏଭଳି ତଥ୍ୟ ସାମ୍ନାକୁ ଆସିଛି । ୨୦୨୦ ମାର୍ଚ୍ଚରୁ ୨୦୨୧ ଅଗଷ୍ଟ ମଧ୍ୟରେ କରାଯାଇଥିବା ନମୁନା ପରୀକ୍ଷାରେ ୧୮ବର୍ଷରୁ ଅଧିକ ବର୍ଷର ଯେତିକି ଲୋକ ସଂକ୍ରମିତ ହୋଇଥିଲେ, ଠିକ୍ ସମାନ ହାରରେ ଶିଶୁ ବି ସଂକ୍ରମିତ ହୋଇଥିବା ଜଣାପଡିଥିଲା । ତେଣୁ ଆଗାମୀ ଦିନରେ ଯଦି କୌଣସି ଲହର ଆସେ ତେବେ ସେଥିରେ ଯେ କେବଳ ଶିଶୁ ହିଁ ସଂକ୍ରମିତ ହେବେ ତାହା କୁହାଯାଇପାରିବ ନାହିଁ ବୋଲି ଏହି ସର୍ଭେରେ କୁହାଯାଇଛି ।
Sambad is now on WhatsApp
Join and get latest news updates delivered to you via WhatsApp
ଦେଶରେ କରୋନା ସ୍ଥିତି ସୁଧୁରୁଥିବା ବେଳେ ସଂକ୍ରମଣ ମାତ୍ରା କମୁଛି। ଏହା ସହ ତୃତୀୟ ଲହର କେବେ ଆସିବ କିଛି ସ୍ପଷ୍ଟ ହୋଇନାହିଁ । ହେଲେ ଯଦି ତୃତୀୟ ଲହର ଆସେ, ତାହେଲେ ଏଥିରେ ଛୋଟ ପିଲାମାନେ ଅଧିକ ସଂକ୍ରମିତ ହୋଇପାରନ୍ତି ବୋଲି ପୂର୍ବରୁ ଆଶଙ୍କା ପ୍ରକାଶ ପାଇଥିଲା । ହେଲେ ନିକଟରେ ରିଜନାଲ ମେଡିକାଲ ରିସର୍ଚ ସେଣ୍ଟର, ଆରଏମଆରସି କରିଥିବା ସର୍ଭେରୁ ଜଣାପଡ଼ିଛି ଯେ ଏହି ଆଶଙ୍କା ଅମୂଳକ । ତୃତୀୟ ଲହରରେ ପିଲାମାନେ ଯେ, ଅଧିକ ସଂକ୍ରମିତ ହେବେ ସେନେଇ କୌଣସି ସୂଚନା ମିଳୁନାହିଁ ।
ଆଇସିଏମଆର, ଭୁବନେଶ୍ୱର ଆରଏମଆରସି ଓ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ମିଳିତ ଭାବେ ୫ ଲକ୍ଷ ୫୦ ହଜାରରୁ ଅଧିକ ନମୁନା ପରୀକ୍ଷା କରିଥିଲେ । ୨୦୨୦ ମାର୍ଚ୍ଚ ୭ରୁ ୨୦୨୧ ଅଗଷ୍ଟ ୧୭ ପର୍ଯ୍ୟନ୍ତ ୫ ଲକ୍ଷ ୫୩ ହଜାର ନମୁନାର ଆରଟିପିସିଆର ଟେଷ୍ଟ କରାଯାଇଥିଲା । ଏଥିରୁ ମୋଟ୍ ୭୫ ହଜାର ସଂକ୍ରମିତ ରିପୋର୍ଟ ଆସିଥିବା ବେଳେ ୫ ହଜାର ୯୮୮ ଜଣଙ୍କ ବୟସ ୧୮ ବର୍ଷ ଭିତରେ ଥିଲା । ଏହି ରିପୋର୍ଟ କହୁଛି ଯେ, ଅନ୍ୟ ବର୍ଗର ଲୋକମାନେ ଯେତେମାତ୍ରାରେ ସଂକ୍ରମିତ ହେଉଛନ୍ତି, ଠିକ୍ ସମାନ ଭାବେ ଶିଶୁବର୍ଗ ମଧ୍ୟ ସଂକ୍ରମିତ ହୋଇଛନ୍ତି । ପିଲାମାନେ ଯେ ଅଧିକ ସଂକ୍ରମିତ ହେଉଛନ୍ତି, ଏହି ସର୍ଭେରୁ ସେଭଳି କିଛି ରିପୋର୍ଟ ମିଳିନାହିଁ ।
ସୂଚନାଯୋଗ୍ୟ ଯେ, ବିଦେଶରେ ପିଲାଙ୍କୁ ଟିକା ଦିଆଯାଉଥିବା ବେଳେ ଭାରତରେ ଏହା ଆରମ୍ଭ ହୋଇନାହିଁ । ତେବେ ଦେଶରେ ଖୁବଶୀଘ୍ର ପିଲାଙ୍କ ଟିକାକରଣ ଆରମ୍ଭ ହେବାର ସମ୍ଭାବନା ରହିଛି ।