ଚୌଧୁରୀ ଅମିତାଭ ଦାସ
ଭୁବନେଶ୍ବର: ଆଗଧାଡ଼ିର କର୍ମୀ କି ନେତା ନୁହନ୍ତି, ମୋ ପରେ ମୋ ପୁଅ। ପରିବାର ହାତରେ ହିଁ ରହିବ ସାମ୍ରାଜ୍ୟ। ୨୦୨୪ ନିର୍ବାଚନ ପାଇଁ ଚାଲିଥିବା ଟିକଟ୍ ଲବିରେ ଏହା ହିଁ ମୁଖ୍ୟ ପ୍ରସଙ୍ଗ ପାଲଟିଛି। ଶାସକ ବିଜୁ ଜନତା ଦଳରେ ସର୍ବାଧିକ ନେତା ନିଜ ପର ପିଢ଼ି ପାଇଁ ଲବି କରୁଛନ୍ତି। କଂଗ୍ରେସ ଓ ବିଜେପି ବି ପଛରେ ନାହାନ୍ତି। କିଛି ମାସ ତଳେ ଉପକୂଳ ଓଡ଼ିଶାର ଜଣେ ବରିଷ୍ଠ ବିଜେଡି ବିଧାୟକ କହିଥିଲେ, ଯୁବପିଢ଼ି ରାଜନୀତିରେ ସୁଯୋଗ ପାଇବା ଉଚିତ। ଆମେ ସବୁ ପର ପିଢ଼ି ପାଇଁ ବାଟ ଛାଡ଼ିଦେଲେ ଭଲ ହେବ। ସେବେ ଆଉ ଜଣେ ବରିଷ୍ଠ ବିଧାୟକ ତାଙ୍କୁ ସମର୍ଥନ କରିଥିଲେ।

Advertisment

ଏହି ଦୁଇ ବିଧାୟକଙ୍କ ବିବୃତିକୁ ବିଭିନ୍ନ ମହଲରେ ସ୍ବାଗତ କରାଯାଇଥିଲା। ହେଲେ ରୋଚକ ବିଷୟ ହେଲା, ଉଭୟ ନେତା ନିଜ ପୁଅଙ୍କୁ ଏଥର ପ୍ରାର୍ଥୀ କରିବା ପାଇଁ ଉଦ୍ୟମ ଚଳାଇଛନ୍ତି। ସେମାନେ ନିଜ ପୁଅକୁ ଟିକଟ୍ ଦେଇ ନିଜେ ପ୍ରତ୍ୟକ୍ଷ ରାଜନୀତିରୁ ସନ୍ନ୍ୟାସ ନେବାକୁ ଢେର୍ ଦିନ ହେବ ଯୋଜନା କଲେଣି। ଏହି ଦୁଇ ବିଧାୟକଙ୍କ ମଧ୍ୟରୁ ଜଣେ କେନ୍ଦୁଝରର ଓ ଜଣେ ଭଦ୍ରକର। କେବଳ ଏଇ ଦୁଇ ଜିଲ୍ଲାରୁ ନୁହେଁ, କେନ୍ଦ୍ରାପଡ଼ାରୁ ବଲାଙ୍ଗୀର, ଗଞ୍ଜାମରୁ ବାଲେଶ୍ବର ସବୁଠି ଏବେ ପର ପିଢ଼ି ରାଜନୀତିକୁ ଆସିବାକୁ ବେଶ୍ ତତ୍ପର। ବହୁ ବରିଷ୍ଠ ବିଧାୟକ ଓ ପୂର୍ବତନ ବିଧାୟକ ନିଜେ ପ୍ରାର୍ଥୀ ନହୋଇ ପୁଅମାନଙ୍କୁ ଥଇଥାନ କରିବାକୁ ଲାଗି ପଡ଼ିଲେଣି। ହାତଗୋଡ଼ ଚାଲୁଥିଲା ବେଳେ ପୁଅ ପାଇଁ ରାଜନୀତିରେ ସୁରକ୍ଷିତ ଜାଗାଟିଏ ରଖିବାକୁ ସେମାନେ ଯେ କୌଣସି ସ୍ତରକୁ ଯିବାକୁ ଚାହୁଛନ୍ତି। ପୂର୍ବ ନିର୍ବାଚନମାନଙ୍କରେ ମଧ୍ୟ ଅନେକ ଆସନରେ ଏହି ସୂତ୍ରରେ ଉତ୍ତରାଧିକାରୀ ନିର୍ଣ୍ଣୟ ହୋଇଛନ୍ତି।

ଉପକୂଳ ଓଡ଼ିଶାରେ ପୁଅମାନଙ୍କୁ ନେଇ ଅଧିକ ଚର୍ଚ୍ଚା। କେନ୍ଦ୍ରାପଡ଼ା ଜିଲ୍ଲାର ପାଟକୁରା ବିଧାୟିକା ସାବିତ୍ରୀ ଅଗ୍ରୱାଲ୍‌ଙ୍କ ପୁଅ ଟିକଟ୍ ପାଇଁ ଲବି ଜୋର୍‌ଦାର ଚଳାଇଛନ୍ତି। କେନ୍ଦ୍ରାପଡ଼ା ବିଧାୟକ ଶଶୀଭୂଷଣ ବେହେରାଙ୍କ ପୁଅ ବି। ବରିଷ୍ଠ ବିଜେପି ନେତା ତଥା ପୂର୍ବତନ ମନ୍ତ୍ରୀ ବିଜୟ ମହାପାତ୍ରଙ୍କ ପୁଅକୁ ପାଟକୁରାର
ବିଭିନ୍ନ କାର୍ଯ୍ୟକ୍ରମରେ ଦେଖିବାକୁ ମିଳୁଛି। ବିଜୟ କିମ୍ବା ତାଙ୍କ ପୁଅଙ୍କ ମଧ୍ୟରୁ କିଏ ପ୍ରାର୍ଥୀ ହେବେ, ତାହା ସ୍ପଷ୍ଟ ହୋଇ ନାହିଁ। ସେହିପରି ମନ୍ତ୍ରୀ ଅତନୁ ସବ୍ୟସାଚ୍ଚୀ ନାୟକଙ୍କ ବଡ଼ ଭାଇଙ୍କ ନାମ ଟିକଟ୍ ଆଶାୟୀ ତାଲିକାରେ ରହିଛି। ଜଗତସିଂହପୁର ଜିଲ୍ଲାରେ ବାଲିକୁଦା ବିଧାୟକ ରଘୁନନ୍ଦନ ଦାସ ନିଜ ପୁଅକୁ ଆସନଟି ଛାଡ଼ି ଦେବାକୁ ଆଗ୍ରହୀ। କଟକ ଜିଲ୍ଲାରେ ଆଠଗଡ଼ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ବାଇଁଙ୍କ ପୁଅଙ୍କ ନାମ ଏଥର ଟିକଟ୍ ଚର୍ଚ୍ଚାର ଆଗରେ ରହିଛି। ଏମିତିରେ ବି ତାଙ୍କ ପୁଅ ବିଜେଡିର ସାଂଗଠନିକ କାର୍ଯ୍ୟରେ ବେଶ୍ ସକ୍ରିୟ ଅଛନ୍ତି। ଗତ ନିର୍ବାଚନରେ ଏହି ଜିଲ୍ଲାରୁ ଦୁଇ ବିଧାୟକ ନିଜ ପୁଅଙ୍କୁ ବିଧାୟକ କରାଇବାରେ ସଫଳ ହୋଇଥିଲେ। ଯାଜପୁରରେ ବଡ଼ଚଣା ବିଧାୟକ ଅମର ଶତପଥୀଙ୍କ ପୁଅ ରାଜନୀତିରେ ପାଦ ଥାପିସାରିଲେଣି। ତାଙ୍କୁ ଟିକଟ୍ ଦେବା ପାଇଁ ବି ଲବି ଆରମ୍ଭ ହୋଇଛି।

ଭଦ୍ରକରେ ଭଣ୍ଡାରୀପୋଖରୀ ବିଧାୟକ ପ୍ରଫୁଲ୍ଲ ସାମଲ ନିଜ ପୁଅଙ୍କୁ ଏଥର ପ୍ରାର୍ଥୀ କରିବାକୁ ଚାହାନ୍ତି। ଗତ ଥର ବିଫଳ ହୋଇଥିବା ବରିଷ୍ଠ ନେତା ଯୁଗଳ ପଟ୍ଟନାୟକ ବି ତାଙ୍କ ପୁଅ ପାଇଁ ଉଦ୍ୟମ ଚଳାଇଛନ୍ତି। ବାଲେଶ୍ବରରେ ଭୋଗରାଇ ବିଧାୟକ ଅନନ୍ତ ଦାସ ସମାନ ରାସ୍ତାରେ। ବସ୍ତା ବିଧାୟକ ନିତ୍ୟାନନ୍ଦ ସାହୁ ସ୍ବାସ୍ଥ୍ୟଗତ କାରଣରୁ ରାଜନୀତିରେ ସନ୍ନ୍ୟାସ ନେଇ ପୁଅର ଥଇଥାନ ପାଇଁ ଗୋଟି ଚଳାଉଛନ୍ତି। ସେଠାରେ ପୂର୍ବତନ ସାଂସଦ ରବି ଜେନାଙ୍କ ପତ୍ନୀ ନିର୍ବାଚନକୁ ଆଖେଇଛନ୍ତି। ସିମୁଳିଆର ପୂର୍ବତନ ବିଧାୟକ ତଥା ବିଜେପି ନେତା ପଦ୍ମଲୋଚନ ପଣ୍ଡାଙ୍କ ପୁଅ ଏଥର ମଇଦାନରେ ବେଶ୍‌ ସକ୍ରିୟ ଅଛନ୍ତି। ଏହି ଜିଲ୍ଲାର ଆଉ ଜଣେ ବରିଷ୍ଠ ବିଜେପି ନେତା ରଘୁନାଥ ମହାନ୍ତି ମଧ୍ୟ ପୁଅକୁ ଆଣି ନିଜେ ଅବସର ନେଇପାରନ୍ତି। ଢେଙ୍କାନାଳ ଜିଲ୍ଲାରେ ପରଜଙ୍ଗ ବିଧାୟକ ଡାକ୍ତର ନୃସିଂହ ସାହୁ ନିଜ ପୁ୍ଅ ପାଇଁ ଟିକଟ୍ ଚାହୁଛନ୍ତି। ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ବୋହୂଙ୍କୁ କାମାକ୍ଷାନଗର ଆସନ ଛାଡ଼ିବାକୁ ପ୍ରସ୍ତୁତ ଥିବା ଦଳୀୟ ମହଲରେ ଚର୍ଚ୍ଚା ଚାଲିଛି।

ଖୋର୍ଦ୍ଧା ଜିଲ୍ଲାରେ ଜଟଣୀର କଂଗ୍ରେସ ବିଧାୟକ ସୁରେଶ କୁମାର ରାଉତରାୟ ଖୋଲାଖୋଲି ଭାବେ ନିଜ ପୁଅ ପ୍ରାର୍ଥୀ ହେବ ବୋଲି ଘୋଷଣା କରିସାରିଲେଣି। ଏପରିକି ସେ ନିଜର ଦୁଇ ପୁଅଙ୍କୁ ଦୁଇଟି ଜାଗାରେ ( ଜଟଣୀ ଓ ନିମାପଡ଼ା) ପ୍ରାର୍ଥୀ କରିବାକୁ କହିଲେଣି। ତେବେ ଉଭୟ କଂଗ୍ରେସରୁ ପ୍ରାର୍ଥୀ ହେବେ ନା ଅନ୍ୟ ଦଳକୁ ଯିବେ, ତାହା ସ୍ପଷ୍ଟ ହୋଇ ନାହିଁ। ପୁରୀ ସଦର ଆସନରେ ଦିବଂଗତ ନେତା ମହେଶ୍ବର ମହାନ୍ତିଙ୍କ ପୁଅ ବି ଟିକଟ୍‌ ଲବିରେ ଅଛନ୍ତି।
ଗଞ୍ଜାମ ଜିଲ୍ଲାରେ ଆସିକା ବିଧାୟିକା ମଞ୍ଜୁଳା ସ୍ବାଇଁଙ୍କ ପୁଅ ନାଁକୁ ନେଇ ଚର୍ଚ୍ଚା ଚାଲିଛି। ଦିଗପହଣ୍ଡିର ପୂର୍ବତନ ବିଧାୟକ ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ପରଲୋକ ପରେ ସେଠାରେ ଉପନିର୍ବାଚନ ହୋଇ ନାହିଁ। ଆସନ୍ତା ନିର୍ବାଚନରେ ଏହି ଆସନ ପାଇଁ ସ୍ବର୍ଗତ ପାତ୍ରଙ୍କ ପୁଅ ହିଁ ବଡ଼ ଦାବିଦାର ରହିଛନ୍ତି। ସମ୍ବଲପୁରରେ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ସ୍ବାସ୍ଥ୍ୟଗତ କାରଣରୁ ଯଦି ପ୍ରାର୍ଥୀ ନ ହୁଅନ୍ତି, ତେବେ ତାଙ୍କ ଝିଅ ପ୍ରାର୍ଥୀ ହୋଇପାରନ୍ତି ବୋଲି ଚର୍ଚ୍ଚା ଚାଲିଛି।

ଏ ନେଇ ଶ୍ରୀ ମିଶ୍ର କେବେ କୌଣସି ମନ୍ତବ୍ୟ ଦେଇନାହାନ୍ତି। ହେଲେ ରାଜନୀତି ପ୍ରତି ଆଗ୍ରହୀ ବୋଲି ଜୟ ନାରାୟଣଙ୍କ ଝିଅ ଗଣମାଧ୍ୟମକୁ ପୂର୍ବରୁ କହିସାରିଛନ୍ତି। ଏହି ପ୍ରସଙ୍ଗରେ ବଲାଙ୍ଗୀର ଜିଲ୍ଲାରେ ଚର୍ଚ୍ଚାରେ ଅଛନ୍ତି ବରିଷ୍ଠ ବିଧାୟକ ତଥା କଂଗ୍ରେସ ନେତା ନରସିଂହ ମିଶ୍ର ଓ ବିଜେଡି ନେତା ଅନଙ୍ଗ ଉଦୟ ସିଂହଦେଓ। ଗତ ଥର ଉଭୟ ନେତା ନିଜେ ପ୍ରାର୍ଥୀ ହେବା ସହ ପୁଅଙ୍କୁ ପ୍ରାର୍ଥୀ କରାଇବାକୁ ସକ୍ଷମ ହୋଇଥିଲେ। ବଲାଙ୍ଗୀର ଲୋକସଭା ଆସନରୁ ଶ୍ରୀ ମିଶ୍ରଙ୍କ ପୁଅ ସମରେନ୍ଦ୍ର ମିଶ୍ର ଓ ଶ୍ରୀ ସିଂହଦେଓଙ୍କ ପୁଅ କଳିକେଶ ସିଂହଦେଓ ପ୍ରାର୍ଥୀ ହୋଇଥିଲେ। ତେବେ ଉଭୟ ପରାଜୟର ସାମ୍ନା କରିଥିଲେ। ଏଥର ମଧ୍ୟ ଉଭୟ ପୁନର୍ବାର ପ୍ରାର୍ଥୀ ହେବା ଏକପ୍ରକାର ସ୍ପଷ୍ଟ। ତେବେ କିଏ ବିଧାନସଭା ଆଉ କିଏ ଲୋକସଭା ଆସନରେ ପ୍ରାର୍ଥୀ ହେବେ, ତାହା ସ୍ପଷ୍ଟ ହୋଇ ନାହିଁ। ଏହା ମଧ୍ୟରେ ନରସିଂହ ମିଶ୍ର ଆଉ ନିର୍ବାଚନ ଲଢ଼ିବେ ନାହିଁ ବୋଲି ନିଜେ ଘୋଷଣା କରିସାରିଲେଣି।