ରାଉରକେଲା: ପ୍ରଥମରୁ ଦଶମ ଶ୍ରେଣୀ ପିଲାଙ୍କ ପାଇଁ ସ୍କୁଲ ଖୋଲା ରହିଛି। ସକାଳ ୬ଟାରୁ ୯ ଟା ପର୍ଯ୍ୟନ୍ତ ଶିକ୍ଷାଦାନ ଚାଲିଛି। ଏହା ଭିତରେ, ଅର୍ଥାତ୍ ସକାଳ ପ୍ରାୟ ସାଢ଼େ ୮ଟାରେ ହିଁ ୧-୮ ଶ୍ରେଣୀ ପିଲାଙ୍କୁ ମଧ୍ୟାହ୍ନ ଭୋଜନ ଦିଆଯାଉଛି। ଜଳଖିଆ ସମୟରେ ପିଲାମାମାନେ ଗରିଷ୍ଠ ଖାଦ୍ୟ ଖାଇବାକୁ ବାଧ୍ୟ ହେଉଛନ୍ତି। ଅନେକ ଖାଉ ନାହାନ୍ତି ମଧ୍ୟ। ଏଠାରେ ପ୍ରଶ୍ନ ଉଠେ, ଯେଉଁ ଉଦ୍ଦେଶ୍ୟରେ ମଧ୍ୟାହ୍ନଭୋଜନ ବଣ୍ଟନ ଯୋଜନା ଆରମ୍ଭ ହୋଇଥିଲା, ତାହା ସାଧିତ ହେଉଛି ତ? ପ୍ରକୃତରେ ଏବେ ଏହା କେବଳ ଏକ ଔପଚାରିକତାରେ ସୀମିତ ରହିଥିବା କହିଲେ ଅତ୍ୟୁକ୍ତି ହେବନାହିଁ। ପିଲାମାନେ ସ୍କୁଲକୁ ଭୋର୍ ସମୟରୁ ଆସୁଥିବାବେଳେ ଘରୁ ପ୍ରାୟତଃ ଜଳଖିଆ ଖାଇ ଆସୁଛନ୍ତି। ସ୍କୁଲରେ ପାଦ ଦେବାର ମାତ୍ର ଅଢ଼େଇ ଘଣ୍ଟାପରେ, ମଧ୍ୟାହ୍ନଭୋଜନ ପରସାଯାଉଛି। ଏଣୁ ପିଲାମାନେ ଅନିଚ୍ଛା ସତ୍ତ୍ବେ ମଧ୍ୟାହ୍ନଭୋଜନ ଖାଉଥିବା ଦେଖା ଯାଉଛି। ସକାଳ ସାଢ଼େ ୮ଟାରେ ଭାତ ଡାଲି ଖାଇବାର ଅଭ୍ୟାସ ନଥିବାରୁ ଅନେକ ଛାତ୍ରଛାତ୍ରୀ ତା’ଠାରୁ ଦୂରେଇ ରହୁଛନ୍ତି। ଫଳରେ ବହୁ ପରିମାଣରେ ମଧ୍ୟାହ୍ନଭୋଜନ ନଷ୍ଟ ହେଉଛି। ଏହା ନିର୍ଦ୍ଦିଷ୍ଟ ଗୋଟିଏ ସ୍କୁଲରେ ନୁହେଁ, ଜିଲ୍ଲାର ପ୍ରାୟ ସବୁ ସ୍କୁଲରେ ଏହା ଘଟୁଛି। କେବଳ ମଧ୍ୟାହ୍ନଭୋଜନ ବାଣ୍ଟିବା ନାଁରେ ବଣ୍ଟାନଯାଇ କିଭଳି ପିଲାମାନେ ଏହାଦ୍ବାରା ଉପକୃତ ହେବେ ସେଥିପ୍ରତି ଶିକ୍ଷା ବିଭାଗ ଦୃଷ୍ଟି ଦେବାକୁ ଅଭିଭାବକ, ଶିକ୍ଷାବିତ୍ ମତ ଦେଇଛନ୍ତି।
ପ୍ରଥମରୁ ପଞ୍ଚମ ଶ୍ରେଣୀ ପିଲାଙ୍କ ପାଇଁ ଶହେ ଗ୍ରାମ ଚାଉଳ ଓ ପନିପରିବା, ଅଣ୍ଡା ବାବଦକୁ ୫.୪୨ ଟଙ୍କା ଏବଂ ୬-୮ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ୧୫୦ ଗ୍ରାମ ଚାଉଳ ଓ ପନିପରିବା ବାବଦକୁ ୮.୧୦ ଟଙ୍କା ଅନୁଦାନ ଦିଆଯାଇଥାଏ। ସଂପୃକ୍ତ ସ୍କୁଲର ବ୍ୟାଙ୍କ୍ ଆକାଉଣ୍ଟ୍କୁ ଏହି ଅନୁଦାନ ରାଶି ଆସିବାପରେ ତଦନୁଯାୟୀ କିଣାବିକା କରାଯାଏ। ଏହି କ୍ରମରେ ସୁନ୍ଦରଗଡ଼ ଜିଲ୍ଲାରେ ମଧ୍ୟ ଏମ୍ଡିଏମ୍ ବଣ୍ଟାଯାଉଛି। ବର୍ତ୍ତମାନ ଜିଲ୍ଲାର ୨୩୨୪ ସ୍କୁଲର ୧ ଲକ୍ଷ ୮୭ ହଜାର ୧୬୧ ଜଣ ଛାତ୍ରଛାତ୍ରୀ ଏହାଦ୍ବାରା ଉପକୃତ ହେଉଛନ୍ତି। ଉଲ୍ଲେଖଯୋଗ୍ୟ, ଗତ ଦୁଇଟି ଶିକ୍ଷାବର୍ଷ, ଅର୍ଥାତ୍ ୨୦୨୦-୨୧ ଓ ୨୦୨୧-୨୨ରେ କରୋନା ମହାମାରୀ ଯୋଗୁଁ ସ୍କୁଲଗୁଡ଼ିକ ବନ୍ଦ ରହିବାରୁ ମଧ୍ୟାହ୍ନଭୋଜନ ମଧ୍ୟ ବନ୍ଦ ରହିଥିଲା। ତେବେ ଏହି ଯୋଜନାରୁ ପିଲାଙ୍କୁ ବଞ୍ଚିତ ନ ରଖିବାକୁ ସରକାର ପଦକ୍ଷେପ ନେଇଥିଲେ। ସେତେବେଳେ ମଧ୍ୟାହ୍ନ ଭୋଜନ ବାବଦକୁ ଆସୁଥିବା ପ୍ରତ୍ୟେକ ପିଲା ପିଛା ଅନୁଦାନକୁ ସିଧାସଳଖ ପିଲାମାନଙ୍କ ଆକାଉଣ୍ଟ୍ରେ ଡିପୋଜିଟ୍ କରାଯାଇଥିଲା। ଯେଉଁ ପିଲାମାନଙ୍କର ବ୍ୟାଙ୍କ୍ ଆକାଉଣ୍ଟ୍ ନ ଥିଲା, ସେମାନଙ୍କ ପିତା-ମାତାଙ୍କୁ ନଗଦ ଟଙ୍କା ଦିଆଯାଉଥିଲା। ସୁରୁଖୁରୁରେ ଗତ ଦୁଇ ବର୍ଷ ଏହି ପ୍ରକ୍ରିୟା ଚାଲିଥିବାବେଳେ ଏହି ନିୟମକୁ ଏଥର ଲାଗୁ କରିବାକୁ ଦାବି ହୋଇଛି। ଅତି ସକାଳୁ ମଧ୍ୟାହ୍ନଭୋଜନ ଦିଆଯାଉଥିବାରୁ ପିଲାମାନେ ଏଥିପ୍ରତି ବିମୁଖ ହେବା ସ୍ବାଭାବିକ୍। ଏଣୁ ପୂର୍ବଭଳି ପିଲା ଆକାଉଣ୍ଟ୍କୁ ଟଙ୍କା ପଠାଗଲେ ଅପଚୟ ରୋକାଯାଇପାରିବ ଏବଂ ଉକ୍ତ ଅର୍ଥର ସୁବିନିଯୋଗ ସମ୍ଭବ। ଏହି ଅନୁଦାନରେ ଅନ୍ତତଃ ପିଲାମାନେ ନିଜ ନିଜ ଘରେ ମଧ୍ୟାହ୍ନଭୋଜନବେଳେ ସୁସ୍ବାଦୁ ବ୍ୟଞ୍ଜନ ଖାଇପାରିବେବୋଲି ମତ ଆସିଛି।
ମହିଳାମାନଙ୍କୁ ସ୍ବାବଲମ୍ବୀ କରିବା ଉଦ୍ଦେଶ୍ୟରେ ପ୍ରାୟ ଅଢ଼େଇ ବର୍ଷ ପୂର୍ବେ ରାଜ୍ୟ ସରକାର ସ୍ବୟଂ ସହାୟକ ଗୋଷ୍ଠୀ (ଏସ୍ଏଚ୍ଜି) ଜରିଆରେ ଏମ୍ଡିଏମ୍ ବଣ୍ଟନ କରିବାକୁ ନିଷ୍ପତ୍ତି ନେଇଥିଲେ। ଏଯାଏଁ କିନ୍ତୁ ଏହା ପୂରଣ ହୋଇପାରିଲାନି। ଜିଲ୍ଲାରେ ଏମ୍ଡିଏମ୍ ବଣ୍ଟନ ପାଇଁ ମୋଟ୍ ୨୪୧ଟି ଏସ୍ଏଚ୍ଜିକୁ ଚୟନ କରାଯାଇଥିବାବେଳେ ମାତ୍ର ୯୭ଟି ଏସ୍ଏଚ୍ଜି ଏଥିରେ ସହମତି ପ୍ରକାଶ କରିଛନ୍ତି। ଫଳରେ ସ୍କୁଲ କର୍ତ୍ତୃପକ୍ଷ ଖୋଦ୍ ଏମ୍ଡିଏମ୍ ବଣ୍ଟନ ଦାୟିତ୍ବ ନେଇଛନ୍ତି। ଏଭଳିସ୍ଥିତିରେ ପିଲାଙ୍କ ଅଧିକ ଉପସ୍ଥାନ ଦର୍ଶାଇ ଅର୍ଥ ବାଟମାରଣା ହେବାର ଆଶଙ୍କାକୁ ଏଡ଼ାଇ ଦିଆଯାଇନପାରେ। ଏଣୁ ସବୁ ଦିଗକୁ ବିଚାରକୁ ନେଇ ଯଥାଶୀଘ୍ର ଏମ୍ଡିଏମ୍ ବଣ୍ଟନରେ ନୀତି ପରିବର୍ତ୍ତନ କରିବାକୁ ବୁଦ୍ଧିଜୀବୀ ମତ ଦେଇଛନ୍ତି।