କୋରାପୁଟ:ମୃତ୍ୟୁ ଛକିଥିଲା ଆରଟିଓ ଅଫିସ ଛକରେ। ବୁଧବାର ପ୍ରତ୍ୟୁଷରେ ପ୍ରାତଃ ଭ୍ରମଣକୁ ଯାଉଥିବା ଜଣେ ଯୁବକଙ୍କ ଉପରେ ଏକ ଗାଡ଼ି ଚଢ଼ିଯାଇଛି। ମୃତକ ହେଲେ ଦଧିଚି ଗଳିର ଡି.ଶ୍ରୀନିବାସ ରାଓ (୪୩)। ଗାଡ଼ିଟି ପଳାଇଛି।
କୋରାପୁଟର ଏକ ଘରୋଇ ହୋଟେଲରେ କାର୍ଯ୍ୟ କରନ୍ତି ଶ୍ରୀନିବାସ। ସକାଳୁ ସେ ଉକ୍ତ ହୋଟେଲରେ ନିଜ ବାଇକ୍ ରଖିଥିଲେ। ଏହାପରେ ସେଠାରୁ ଆରଟିଓ ଅଫିସ ଆଡକୁ ଚାଲି ଚାଲି ଯାଉଥିବାବେଳେ ହଠାତ୍ ଏକ ଗାଡ଼ି ମାଡିଯାଇପଳାଇଥିଲା। ଖବର ପାଇ ଟାଉନ ପୁଲିସ ସେଠାରେ ପହଞ୍ଚି କୋରାପୁଟ ବଡ ମେଡିକାଲକୁ ନେଇଥିଲେ। ଚିକିତ୍ସାଧୀନ ଅବସ୍ଥାରେ ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା। ଶବବ୍ୟବଚ୍ଛେଦ ପରେ ପୁଲିସ ଶବକୁ ପରିବାରବର୍ଗଙ୍କୁ ହସ୍ତାନ୍ତର କରିଥିଲା। ତେବେ କେଉଁ ଗାଡ଼ି ତାଙ୍କୁ ଧକ୍କା ଦେଲା ତାହା ଜଣାପଡ଼ିନାହିଁ।
୨୬ ନମ୍ବର ଜାତୀୟ ରାଜପଥର ଏହି ଛକରେ ରିତିମତ ଦୁର୍ଘଟଣା ଘଟୁଛି। ଏହିଠାରେ ବ୍ଲାକସ୍ପଟ ଘୋଷଣା କରାଯାଇ ନ ଥିବାବେଳେ ଏହି ରାସ୍ତା ଦେଇ ପ୍ରତିଦିନ ୫୦୦୦ରୁ ଅଧିକ ଯାନବାହନ ଚଳାଚଳ କରୁଛି। ଦୂରଗାମୀ ବସ ସହ ଭାରୀଯାନ ଚଳପ୍ରଚଳ କରୁଥିବାବେଳେ ଏହାକୁ ରୋକ ଲାଗାଯିବାକୁ କୌଣସି ବ୍ୟବସ୍ଥା ହେଉନି। ଦୀର୍ଘଦିନ ହେବ କୋରାପୁଟ ବାଇପାସ ପାଇଁ ଯୋଜନା ଚାଲିଥିଲେ ବି ଏହାର ମଧ୍ୟ ବାଟ ଫିଟୁ ନ ଥିବାରୁ ସମସ୍ୟା ବୃଦ୍ଧି ପାଇବାରେ ଲାଗିଛି।