ଯାଜପୁରଟାଉନ/ସଦର: ଅବସରପ୍ରାପ୍ତ ଶିକ୍ଷକଙ୍କ ପେନସନ କାଗଜପତ୍ର କାମ କରିବାକୁ ୪ ହଜାର ଟଙ୍କା ଲାଞ୍ଚ ନେଇ ଯାଜପୁର ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି କବୀରପୁର ପୁରୁଷୋତ୍ତମ ଉଚ୍ଚବିଦ୍ୟାଳୟର କିରାଣି ମହେଶ୍ବର ସାମଲ। ମିଳିଥିବା ସୂଚନା ଅନୁସାରେ ଯାଜପୁର ବ୍ଲକ୍ କବୀରପୁର ପୁରୁପୋତ୍ତମପୁର ଉଚ୍ଚବିଦ୍ୟାଳୟରେ ନିରଜଂନ ରାୟ ଶିକ୍ଷକତା କରୁଥିଲେ। ଗତ ଜୁନ ମାସରେ ସେ ଚାକିରିରୁ ଅବସର ନେଇଥିଲେ। ପେନସନ ପାଇଁ ତାଙ୍କର କିଛି କାଗଜପତ୍ର କାମ ବାକି ରହିଥିଲା। ଏହି କାମ କରିଦେବା ଲାଗି ସେ ସେହି ସ୍କୁଲ କିରାଣି ମହେଶ୍ବର ସାମଲଙ୍କୁ କହିଥିଲେ। ମାତ୍ର ସେ ଶୁଣି ନଥିଲେ, ଓଲଟା ଏହି କାମ କରିବାକୁ ସେ ୭ ହଜାର ଟଙ୍କା ଦାବି କରିଥିଲେ। ଶିକ୍ଷକଜଣକ ୩ ହଜାର ଟଙ୍କା ଦେଇଥିଲେ ବି ସେ କାମ କରିନଥିଲେ।
ଅବଶିଷ୍ଟ ୪ ହଜାର ଟଙ୍କା ନଦେଲେ କାମ ହୋଇପାରିବ ନାହିଁ ବୋଲି ସେ କହିଥିଲେ। ଶେଷରେ ଏନେଇ ଗତକାଲି ଯାଜପୁର ଭିଜିଲାନ୍ସ ବିଭାଗକୁ ଯୋଗାଯୋଗ କରିଥିଲେ ଅବସରପ୍ରାପ୍ତ ଶିକ୍ଷକ ଶ୍ରୀ ରାୟ। ଯୋଜନା ମୁତାବକ ଆଜି କିରାଣି ଅବଶିଷ୍ଟ ୪ହଜାର ଟଙ୍କା ନେଉଥିବାବେଳେ ଭିଜିଲାନ୍ସ ଟିମ୍ ତାଙ୍କୁ କାବୁ କରିଥିଲା। ପରେ ତାଙ୍କୁ ଯାଜପୁର ଭିଜିଲାନ୍ସ କାର୍ଯ୍ୟାଳୟକୁ ଅଣାଯାଇ କଟକ ପଠାଯାଇଥିଲା। ଭିଜିଲାନ୍ସ ପକ୍ଷରୁ ମହେଶ୍ବରଙ୍କ ଘର ଓ ଯାଜପୁର ଟାଉନରେ ଥିବା ଭଡ଼ାଘରେ ଚଢ଼ଉ କରାଯାଇଛି। ଭିଜିଲାନ୍ସ ଡିଏସ୍ପି ସୁଶୀଲ କୁମାର ଏକ୍କା, ଇନ୍ସପେକ୍ଟର ଜ୍ୟୋତିଶଙ୍କର ସାହୁ, ଭାଗ୍ୟଲତା ପ୍ରଧାନ, ଏଏସ୍ଆଇ ଶ୍ରୀକାନ୍ତ ନାୟକ ଓ କନେଷ୍ଟବଳ ଅକ୍ଷୟ ପରିଡ଼ା ଏହି ଚଢ଼ଉରେ ସାମିଲ ଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/11/sfsfsfsfsfssss.jpg)